Unknown

 

 

 

 

 

 

 

 

 

 

 

ନିଶାଣ ଖୁଣ୍ଟ

ରାଜକିଶୋର ପଟ୍ଟନାୟକ

 

ଡକ୍ଟର କରୁଣାକର କର

ଜୁନ ୧୯୫୧

 

କରକମଳେଷୁ,

 

ଦୀର୍ଘ ପଚିଶି ବର୍ଷର କେଇଟି ନିଶାଣ-ଖୁଣ୍ଟ ବହୁ ପ୍ରକାର ଦୁଃଖସୁଖ ନେଇ ଏହି ବହିଟିର ପାଣ୍ଡୁଲିପି ତିଆରି କଲାବେଳେ ପ୍ରାୟ ବାଇଶି ବର୍ଷ ତଳେ ମୋର ପ୍ରଥମ ପୁରୀ ଯିବାର ସ୍ମୃତି ମନକୁ ଆସୁଥିଲା । ସେତେବେଳେ ବଙ୍ଗଳା ଭାଷାର ପ୍ରାଧାନ୍ୟ ରହିଥାଏ । ସଂସ୍କୃତ ରଚନା ପାଇଁ ଶାସ୍ତ୍ରୀ ମହାଶୟଙ୍କର ବଙ୍ଗଳା ବହି ପଢ଼ିବା ପାଇଁ ହେଉଥିବା ଅସୁବିଧା ଆପଣ ଦୂର କରିଥିବାରୁ ଆମ ସ୍କୁଲରୁ ଚାରିଜଣ ପିଲା ପୁରୀ ସଂସ୍କୃତ କଲେଜକୁ ଆପଣ ଦେଖିବାକୁ ଯାଇଥିଲୁ । ସେଇଟା ଅତି ପୁରୁଣା କଥା ।

 

ଏଇ ବାଇଶି ବର୍ଷ ଭିତରେ ମୋର ଭାଇ ଭଉଣୀମାନଙ୍କର ପଢ଼ିବା ପାଇଁ ସେହି ‘ସଂସ୍କୃତ ରଚନା ଓ ଅନୁବାଦ ଶିକ୍ଷା’ ବହିକୁ ମୋଟ ନ’ ଥର କିଣିଲିଣି । ସେତେବେଳେ ମନେପଡ଼େ ବାଇଶି ବର୍ଷ ତଳର ପୁରୀ ଯାତ୍ରା ଓ ତାହା ସାଙ୍ଗରେ...‘ସାହିତ୍ୟ କ’ଣ ? ‘ବହି କ’ଣ ?’ ଇତ୍ୟାଦି ଅନେକ ପ୍ରାସଙ୍ଗିକ କଥା ।

 

ଭକ୍ତି ସହିତ ଏହି ‘ନିଶାଣ ଖୁଣ୍ଟ’ ପୁସ୍ତକଟିକୁ ନିବେଦନ କଲି ।

 

ଶାନ୍ତି ନିବାସ,

 

ପୁରୀଘାଟ ରୋଡ଼ କଟକ

ରାଜକିଶୋର

☆☆☆

 

ସୂଚୀପତ୍ର

 

୧.

ନିଶାଣ ଖୁଣ୍ଟ

୨.

ପୁରୁଣା କଥା

୩.

ମୂକ

୪.

ଜଞ୍ଜାଳ

୫.

ବିଶ୍ୱାସ

୬.

ଚକ୍ରବାଳ

୭.

ପଶୁ

୮.

ଜଗୁଆଳ

୯.

ଆସାମୀ

୧୦.

ମାଳୀ

☆☆☆

 

ନିଶାଣ ଖୁଣ୍ଟ

 

‘ଆଚ୍ଛା, କଣ୍ଠ ବାବୁ, ରାସ୍ତାରେ ଏମିତି ଗୋଟିଏ ଲେଖାଁ ପଥର ଖୁଣ୍ଟରେ କାହିଁକି ମାଇଲ୍‌ ଲେଖାଯାଇଛି ? କେଉଁଠି ଆରମ୍ଭ ହେଲା ? କ’ଣ ଦରକାରରେ ଏସବୁ ଲାଗେ ?’ ବିଧୁ ପଚାରିଲା-

 

ବହୁଦିନ ତଳର କଥା । ଚାହିଁଲେ ଯେମିତି ଆଖି ପାଏନା । ପାଞ୍ଚଗଣ୍ଡା କି ତହିଁରୁ ଅଧିକ ବର୍ଷ ଗଡ଼ି ଯାଇଛି ନଈରେ ପାଣିସୁଅ ଗଡ଼ିଗଲା ପରି । କେତେ ପାଣି ଯାଇଛି ସାଧାରଣ ଲୋକ ସିନା ମାପି ପାରିବେ ନାହିଁ । କିନ୍ତୁ କେତେ ଦିନ କି ଘଣ୍ଟା ହୋଇଯାଇଛି ହିସାବ କରି ବିଧୁ ବି କହି ଦେଇ ପାରିବ ।

 

ଦୁହିଁଙ୍କ ଭିତରେ ପ୍ରାୟ ଆଠବର୍ଷର ତଫାତ୍‌ । କଣ୍ଠବାବୁ ଇଂଜିନିୟରିଂ କଲେଜରୁ ଛିଡ଼ିକି ପଡ଼ିଛନ୍ତି କଟକ କଲେଜ ଭିତରକୁ । ସାଂସାରିକ ଅସୁବିଧା ତାଙ୍କୁ ତାଙ୍କ କଳ୍ପନାର କଲେଜରୁ ଫୋପାଡ଼ି ଦେଲା । ସେ ଏଠି ବି.ଏ, ପଢ଼ୁଥାନ୍ତି । ବିଧୁ ପଢ଼ୁଥାଏ ହାଇସ୍କୁଲରେ । ଛୋଟ ପିଲା, ଛୋଟ ଦେହ, ଛୋଟ ମନ, ଛୋଟ କଳ୍ପନା ଓ ଛୋଟ ଖିଆଲ । ଗୋଟିଏ ବାହାଘର ହୋଇ ଏହି ଦୁଇଜଣଙ୍କର ପରିଚୟ ହୋଇଥିଲା ।

 

ବିଧୁର ସୁନ୍ଦର ସ୍ୱାସ୍ଥ୍ୟ—ଦେହରେ ତୀବ୍ର ଚଞ୍ଚଳତା । କିନ୍ତୁ କଣ୍ଠବାବୁ ମାଡ଼ଖିଆ କୁକୁର । ମନର ଆକାଶରେ ଉଚ୍ଚ କଳ୍ପନା ଭାଙ୍ଗି ପଡ଼ିଛି ପାଟନାରେ । ସେ ମିଶନ୍ତି ପିଲାଙ୍କ ସାଙ୍ଗରେ । ସେଠୁ ଆଉ ଦୁଃଖ ଆଘାତର ଦୋହରି ମାଡ଼ ବାଜେ ନାହିଁ ।

 

ବିଧୁ ତାଙ୍କ ସାଙ୍ଗରେ ବୁଲିଲାବେଳେ ଏହି ପ୍ରଶ୍ନଟି ପଚାରିଥିଲା । କଣ୍ଠବାବୁ ବୁଝାଇ ଦେଇଥିଲେ ‘ସୃଷ୍ଟିର ଚାରିଆଡ଼େ ମଣିଷ ଏଠି ସେଠି ଠାଏ ଖୁଣ୍ଟପୋତି ଦେଇ ସେଠୁ ସ୍ଥାନକୁ ଚିହ୍ନିବା ଓ ଦୂରତା ମାପିବା ଆରମ୍ଭ କରିଦେଇଛି । ଯେମିତି କଟକ, ବନାରସ, ଦିଲ୍ଲୀ ସବୁଆଡ଼େ ଗୋଟିଏ ଲେଖା ଚାନ୍ଦିନିଚଉକ ରହିଛି; କି କଟକ, ଯାଯପୁର ଆଦି ଜାଗାରେ ଗୋଟିଏ ଲେଖାଁ ଲାଲବାଗ ରଖା ହୋଇଛି । ଏଠି କଟକରେ ସେମିତି ଲାଲବାଗରୁ ଦୂରତା ମାପିବାର ନିଶାଣ ଦିଆ ହୋଇଛି...... ।

 

ନିଜର ଭାବନାରେ ମଜ୍ଜି ରହିଲେ ଜୀବନରେ ବି ସେମିତି ଅନେକ ନିଶାଣ ଖୁଣ୍ଟ ରହିଯାଏ....... ।

 

ବିଧୁ ତାଙ୍କ ସାଙ୍ଗରେ ସମସରି ହେଲା ପରି କହିଲା, ‘ଓ, ଆପଣ ଜଣେ ସାହିତ୍ୟକ ନା, ସେଥିପାଇଁ ସବୁବେଳେ ଖାଲି ଏମିତିକିଆ କଥା କହନ୍ତି ।

 

କଣ୍ଠବାବୁଙ୍କର ଗୋଟିଏ ଖିଆଲ—ସାହିତ୍ୟ । ସେ ପଢ଼ିସାରିଲେ ଲେଖିବେଲେଖି ନିଜର ପେଟକୁ ବଞ୍ଚାଇବେ ଓ ମଲାପରେ ସେହି ଲେଖା ଦ୍ୱାରା ନିଜକୁ ବଞ୍ଚେଇ ରଖିବେ ବିଧୁ ପରି ପିଲାମାନଙ୍କ ଆଗରେ—

 

ବିଧୁ ହସିଲା ।

 

ବେଳ ଅବେଳରେ ସେହି କଥା—ଲେଖା, ଉପନ୍ୟାସ ଓ ସାହିତ୍ୟ । ଖାତାର ମଲାଟ ଛିଣ୍ଡି ଯାଇଛି । ପୃଷ୍ଠାଗୁଡ଼ାକର କର ସବୁ ମୋଡ଼ି ହୋଇଗଲାଣି । ଭିତରର ଅକ୍ଷର ସବୁ କାଗଜ ଉପରୁ ଲିଭି ଆସିଲାଣି । କେଜାଣି କେତେ ବହି ଲେଖି ଜମେଇଛନ୍ତି । ବିଧୁକୁ ପଢ଼ିବାକୁ ଭଲ ଲାଗେ ନାହିଁ । ଏହି କଣ୍ଠବାବୁ ପୁଣି ଜଣେ ବଡ଼ ସାହିତ୍ୟିକ ? —ହେଁ—

 

ଦିନେ କଣ୍ଠବାବୁ କହିଲେ, ‘ବିଧୁ, ମୋର ଚାକିରି ଖଣ୍ଡେ ହେଲା, ଦିନକୁ ଦି ଟଙ୍କା ଦଶଅଣା ଆଠପାହି । କଟକରେ ରହି ପାରିବି । ଆଉ କିଛିକୁ ଡର ନାହିଁ । ମୋ କଲମ ଉପାସରେ ମରିବ ନାହିଁ । ମୋର ଆଉକିଛି ଲୋଡ଼ା ନାହିଁ ।’

 

‘ହଉ, ଆଗ ତାହ ହେଲେ ଖାଇପିଇ ବଳୁଆ ହୁଅନ୍ତୁ—ନଇଲେ ହାତ ଥରିବ କଲମ ଧଇଲେ ।’

 

କଣ୍ଠବାବୁଙ୍କ ଶ୍ୟାମଳ ମୁହଁ ଯେମିତି କଳା ପଡ଼ିଗଲା । ଦେଖିବାକୁ ଦୁର୍ବଳ ଓ ଛୋଟିଆ; ମୁହଁଟି କିନ୍ତୁ ବଡ଼ । ବାଳଗୁଡ଼ାକ କୁଞ୍ଚୁକୁଞ୍ଚିଆ; ମୁଣ୍ଡ ମଝିରୁ ସୁନ୍ଥା ପାରନ୍ତି । ବାଳଗୁଡ଼ାକ ସେମିତି କୁଉଞ୍ଚ ରହେ ।

 

ବିଧୁ ପଚାରିଲା ‘ବୋଧହୁଏ ଆପଣ ପାଟଣାରେ କଳରେ ବାଳକୁ କୁଉଞ୍ଚ କରିଥିଲେ ? ମୁଁ ଶୁଣିଚି, କଲିକତାରେ ଲୋକେ ବାଳକୁ ଏମିତି ଥରେ ଲେଖାଁ କୁଉଞ୍ଚ କରି ଆସନ୍ତି—ଚାଲିଯାଏ ପାଞ୍ଚ ଦଶ ବର୍ଷ । ...ମୋ ବାଳଗୁଡ଼ାକ ଭାରି ଟାଉଁସା ।’

 

କଣ୍ଠବାବୁ ନିଜ ଲେଖୁଥିବା ବହିକୁ ଟାଣିଆଣି ଦି’ ଚାରି ପୃଷ୍ଠା ପଢ଼ି ପକେଇ ବିଧୁର ମତ ଶୁଣିବାକୁ ଚାହାନ୍ତି । ସେତେବେଳେ ବିଧୁ କଣ୍ଠବାବୁଙ୍କର ମୁଣ୍ଡଆଡ଼େ ଚାହିଁ ନିଜର ଦୂରବସ୍ଥା କଥା ଭାବୁଥାଏ । କହେ, ‘ହଁ—ଭଲ ହୋଇଛି ଯେ ମତେ ଭଲ ଲାଗୁନାହିଁ ।

 

କାହିଁକି ? —ବୁଝା ।

 

‘କେଜାଣି’—ଭଲ ଲାଗୁନାହିଁ ତ ।

 

ହସି କଣ୍ଠବାବୁ କହନ୍ତି, ‘ବୁଝିଲୁ ବାବୁ, ଯେଉଁଦିନ ଗୋଟିଏ ଛୋଟିଆ ମୋଟିଆ ଲେଖା ଲେଖିବୁ ସେଦିନ ଜାଣିବୁ ଏହି ଲେଖକର ଦୁଃଖ । ଲେଖାଟିଏ ଆରମ୍ଭ କରିବା ଭାରି କଷ୍ଟ । କିନ୍ତୁ ତାକୁ ଶେଷ କରିବା ତହିଁରୁ ଅଧିକ କଷ୍ଟ ।’

 

ବିଧୁ ଥଟ୍ଟାକରେ; କଣ୍ଠ ବାବୁ ତ କରନ୍ତି । କୁକୁର ମାଙ୍କଡ଼ଟିଏ ରଖି ତାହା ସାଙ୍ଗରେ ଗୁଣୁ ଗୁଣୁ ହୋଇ ଦୁଃଖ ସୁଖ ହେଲା ପରି ଜଣେ ଲେଖକର ବିଧୁଟି ଗୋଟିଏ ସାଥି । ଶିକ୍ଷିତ ହୋଇଛନ୍ତି, ଚାକିରି କରି ଅର୍ଜନ କରି ଶିଖିଛନ୍ତି । ଲେଖା ଲେଖି କରି ନାମ କରିଛନ୍ତି—ତଥାପି ବିଧୁ ଗୋଟିଏ ସାଙ୍ଗ ।

 

ୟେ ବି ବହୁଦିନ ତଳର କଥା ।

 

ଟାଇଫଏଡ଼ରେ ମାସେ ବିଛଣା ଧରିଲା ପରେ ଦିନେ କଣ୍ଠବାବୁ ବିଭା ହୋଇପଡ଼ିଲେ । ନିରୁତା ସାହିତ୍ୟ—ସେବକରୁ ଗୃହୀ ହୋଇଯାଇ କହିଲେ, ‘ରୋଗ ମୋତେ ଦୁର୍ବଳ କରି ଦେବାରୁ ଗୋଟିଏ ଆଶ୍ରା ଧଇଲି । ୟେ ମୋ ମାନସୀ—ମୋର କଳ୍ପନା ।’

 

ଲେଖାଠାରୁ ଅଧିକ ଆଲୋଚନାର ବିଷୟ ହୁଏ ସେହି ଗାଁର ଝିଅଟି । ବିଭାଘର ଆଗରୁ ଫଟୋଟିଏ ଉଠିଥିଲା । ସାଧାଲୁଗା ସାଧାବେଶ ଓ ହାତରେ ଗୋଟିଏ ଫୁଲ । ନାଁଟି ବି ସେମିତି ଗାଉଁଲୀ । ତଥାପି କଣ୍ଠବାବୁଙ୍କର କେଡ଼େ ଆନନ୍ଦ ସେହି ବୋହୁଟିରେ ।

 

କଣ୍ଠ ବାବୁ କହନ୍ତି, ‘ମୋର ଚାକିରି ପରେ—ଦୁଇଟି ଆଶ୍ରୟ । ଗୋଟିଏ ମୋର ଲେଖା, ଆରଟି ମୋର ସ୍ତ୍ରୀ ।’

 

ବିଧୁ ହସେ ଘୋଡ଼ା ପରି । ସେ ପଢ଼ୁଥିଲା କଲେଜରେ । ମନେ କରୁଥିଲା ଯେ, ସଂସାରର ବଡ଼ କଥା ହେଉଛି ତାହାର ନୂଆ ସାଇକଳ, ରଙ୍ଗ ଦିଆ ଯୋତା, ଧଳା ଲୁଗା କୁର୍ତା ।

 

ଆଠ ବର୍ଷର ବ୍ୟବଧାନ ବୟସରେ । କିନ୍ତୁ ମନଟା ଯେମିତି ଆଉରି ବହୁତ ପଛରେ ପଡ଼ି ଯାଇଛି ।

 

କଣ୍ଠବାବୁ ଲେଖନ୍ତି ପ୍ରତିଦିନ ତାରିଖ ଦେଇ । କଲମରୁ କାଳି ପିଇ ବହି ତାଙ୍କର ଦିନକୁ ଦିନ ମୋଟା ହୁଏ । ତାଙ୍କ ଦେହରେ ଚର୍ବି ଏଠି ସେଠି ଲାଗିବାରେ ଲାଗିଥାଏ । ବିଧୁ ଧାଏଁ ସେଠିକି–ଗପ କରିବ, ତର୍କ କରିବ, ଚର୍ଚ୍ଚା କରିବ ସଂସାରର ପାଞ୍ଚ ପଚିଶ କଥା । ବିଧୁର ବଂଧୁ ହେଲେ କଣ୍ଠବାବୁ ।

 

କଣ୍ଠବାବୁଙ୍କର ଭିତରୁ ଯେମିତି ହସ ଶୁଖି ଆସୁଛି । ସେ ଘରଭଡ଼ା ଦେଇ ଦେଇ କ୍ଳାନ୍ତ ହୋଇ ପଡ଼ିଲେଣି । କଟକଯାକ ଖୋଜୁଥିଲେ ଖଣ୍ଡେ ଜମି କିଣିବା ପାଇଁ । ଦୁଇଟି ପିଲା ହେଲେଣି-

 

ବିଧୁ ଦିନେ ଗୋଟିଏ କଣ ଲେଖି ପକାଇଲା । କୋଇଲିର କଣ୍ଠ ଖୋଲି ଯାଇଛି । ପରାମର୍ଶ ଓ ମତାମତ ପାଇଁ ଧାଇଁ ଗଲା କଣ୍ଠବାବୁଙ୍କ ପାଖକୁ—

 

‘ନା—ହେଉ ନାହିଁ ?’

 

କପାଳରୁ ଯେମିତି ଛୋଟିଆ ଛୋଟିଆ ଝାଳବିନ୍ଦୁ ବାହାରି ଆସିଲା । ପିଲାଟା ତାହାହେଲେ କାହାରି ଆଦର ପାଇବ ନାହିଁ ?

 

ବିଧୁ ପ୍ରତିବାଦ କଲା ନିଜର ଅଙ୍କ ଖାତାଗୁଡ଼ାକୁ ମନେ ପକାଇ । ଜୋରରେ କହିଲା, ‘ମୁଁ ବି ଲେଖିଲିଣି ବହୁତ—ଆପଣ ବୁଝି ପାରୁ ନାହାନ୍ତି ।’

 

ବେକାର ଭେଣ୍ଡା ବିଧୁକୁ କଣ୍ଠବାବୁ ଆଘାତ ଦେବାକୁ କହିଲେ, ‘ନ ବୁଝି ଉତ୍ତର ଦେଉଛୁ କ’ଣ ? ଯେଉଁଦିନ ଅନ୍ୟମାନଙ୍କର ମତାମତ ବୁଝିପାରିବୁ ସେହିଦିନ ତୁ ଲେଖକ ହେବୁ, ଆଉ ଲେଖିବୁ’

 

‘ନା—ନା, ଆପଣ ଭୁଲ କହୁଛନ୍ତି । ଏବେ ଆପଣ ଜୀବନବୀମା, ପୁଅର ପଢ଼ା, ଘରକଣା, ଚାକିରି ଆଦିରେ ବ୍ୟସ୍ତ ହେଲେଣି । କେବେ ଲେଖକ କି ସାହିତ୍ୟକ ଥିଲେ ନା—’

 

କଣ୍ଠବାବୁ ଉତ୍ତର ଦେଲେ ନାହିଁ । ନିଜର ସ୍ୱଗତୋକ୍ତିରେ କହିଲେ, ‘ବାବୁ ବଦଳି ହେବାର ହୁକୁମ ଆସିଲାଣି—ସତ ଚାକିରିରେ ଉନ୍ନତି ହେଲା; ଲେଖିବାର ଆଗ୍ରହର ତଣ୍ଟିକୁ ଚିପି ।

 

‘ସତେ ବଦଳି ହୋଇଯିବ’? ବିଧୁର ହଠାତ୍‌ ମନକୁ ଲାଗିଲା ଯେପରି ପ୍ରଥମେ ତାହାର ଗୋଟିଏ ପ୍ରିୟ ଜିନିଷ ହଜିଯିବ । ଖେଳପଡ଼ିଆ କି ଚା’ ଦୋକାନ ଗୋଟାଏ ଉଠିଗଲା । ଏକାଠି ବସାଉଠା କରିବାର ତିନିବର୍ଷ ହେଲାଣି । ମନେ ନ ଥିଲେ ବି କେତେ ସରସ ସୁନ୍ଦର ଦିନ ଏକାଠି କଟି ଯାଇଛି । ଏବେ କଣ୍ଠବାବୁ ସିନା ସୌଦାଗର ହେଲେଣି । ବିଧୁତ ହେଇ ନାହିଁ ।

 

କଣ୍ଠବାବୁ ବିଧୁକୁ ଛାଡ଼ିଲେ—ବଦଳି ହୋଇଗଲା କଟକରୁ । ସେଠି ଗରମ ବେଶୀ, ହଇଜା ହୁଏ, ପତ୍ରିକା ମିଳିବା କଷ୍ଟ—ସାହିତ୍ୟ ଚର୍ଚ୍ଚା ବୋଧହୁଏ କମିଯିବ କାମର ଭିଡ଼ରେ ।

 

ବିଧୁ କେହି ନୁହେଁ । ବିଧୁ ବିଚରା ବସି ଚାହିଁଥାଏ, ତାଙ୍କର ବଦଳି ପାଇଁ ଜିନିଷ ପତ୍ର ସଜଡ଼ା ଚାଲିଛି । ପୁଅର ପଢ଼ା, ଝିଅର ସ୍କୁଲ ଆଦିର ଚିନ୍ତା କଣ୍ଠବାବୁଙ୍କୁ ଘାରି ରଖିଛି ।

 

କଣ୍ଠବାବୁ ଚାଲିଗଲା ପରେ ବିଧୁ ଦୁଃଖିତ ହୋଇଥିଲା—ଯାଆସ ରାସ୍ତା ମରାମତ ପାଇଁ କିଛିଦିନ ବନ୍ଦ ହୋଇଗଲା ଯେମିତି ବିରକ୍ତ ଓ ଅସଜ ଲାଗେ । ଠିକ୍‌ ସେତିକି ।

 

କେବେ କେମିତି ଖଣ୍ଡେ ଖଣ୍ଡେ କାର୍ଡ଼ ଆସେ । ମାମୁଲି ଚିଠି । ମଝିରେ ମଝିରେ ଚାରି ପାଞ୍ଚଦିନ ଛୁଟି ନେଇ କଣ୍ଠବାବୁ ଧାଇଁ ଆସନ୍ତି କଟକ—ନିଜର ଘରଟିକୁ ଦେଖିବାକୁ ଓ ଲେଖାର ବ୍ୟବସ୍ଥା କରିବାକୁ । ବିଧୁ ସେ କେଇଦିନ ସାଇକେଲ ଛୁଟାଇ ଧାଏଁ କଣ୍ଠବାବୁଙ୍କ ସାଥିରେ । ଛାପାଖାନା ନ ହେଲେ ବହି ଦୋକାନ । ସବୁଠାରେ ଟଙ୍କା ଅଣା କଥା—ସାହିତ୍ୟ ନାହିଁ ।

 

‘ବୁଝିଲୁ ବାବୁ—ଖାଲି ଲେଖିଲେ ଲେଖା ହୁଏନାହିଁ କି ମଣିଷ ଲେଖକ ହୁଏ ନାହିଁ । ଲେଖାକୁ ପ୍ରକାଶ କରାଇ ଲୋକଙ୍କ ଆଗରେ ରଖିବା ହେଲା ସାହିତ୍ୟ ।’

 

ବିଧୁ ପ୍ରତିବାଦ କରେ ଠିକ୍‌ ଆଗପରି । ଆଉ ଶୁଣେ, ‘ବାବୁ, ନିଜର ପରିବାରଟିଏ କରି ତା’କୁ ସଂପାଦି ଶିଖିଲେ ଜାଣିବୁ ଲେଖକକୁ ତାହାର ଲେଖାଗୁଡ଼ିକ ପାଇଁ କ’ଣ ସବୁ କରିବା ଦରକାର । ...ଲେଖାଗୁଡ଼ିକ ହେଲେ ଲେଖକର ପିଲା ।’

 

‘ହୁଁ—ଅନେକ ପ୍ରକାର କଥା ଶୁଣିଲିଣି । ପ୍ରଥମେ ଶୁଣିଲି ଲେଖାଟିଏ ଆରମ୍ଭ କରି ଶେଷ କରି ପାରିଲେ ଲେଖା କ’ଣ ଜାଣିବି—ଜାଣିଲି । ପରେ ଶୁଣିଲି ବହିଟିଏ ଆରମ୍ଭ କରି ଶେଷ କଲେ ଲେଖକ କ’ଣ ବୁଝିବି ।—ବୁଝିଲି ବହି ଲେଖି ଲେଖି । ଏବେ ଶୁଣୁଛି ଯେ ଛାପାଖାନ ଓ ବହି ଦୋକାନକୁ ଧାଇଁବା ହେଲା ସାହିତ୍ୟ । ହଉ—’

 

‘ଚଗଲା—ଜାଣିପାରୁ ନାହୁଁ । ପୁଣି କେବେ କଟକରେ ରହିଲେ ଏସବୁ ଭଲକରି ବୁଝିବା । ଥାଉ ।’

 

ବହୁଦିନର ଚିହ୍ନା ଲୋକ କଣ୍ଠବାବୁଙ୍କର ପରିଚିତ ହାତର କାର୍ଡଖଣ୍ଡ ବିଧୁର ଟେବୁଲ ଉପରେ ପଡ଼ିଛି । କୋଡ଼ିଏ ବର୍ଷ ଚାକିରି କରି ପ୍ରଥମ କରି ସେ ଚାରିମାସ ଛୁଟିନେଇ କଟକକୁ ଆସୁଛନ୍ତି । ଟିକିଏ ବିଶ୍ରାମ କରିବେ—ଦରମା ପାଇବାର ତିନିଦିନ ପରେ କଟକରେ ଦେଖାହବ—ସାଥିରେ ତାଙ୍କର ସ୍ତ୍ରୀ ଓ ପାଞ୍ଚଟି ଯାକ ପିଲା ଆସୁଛନ୍ତି ।

 

କୋଡ଼ିଏ ବରଷର ଅନୁଭୂତି ପୁଣି ଯେମିତି କଅଁଳି ଉଠିଲା । ବିଧୁର ଦେହ ଉପରେ ଚଉତିରିଶ ବର୍ଷ ତାହାର ଖରା କାକର ନେଇ ମାଡ଼ି ଯାଇଛି । ମନ ଶୁଖିଛି, ଆଖି ପଶିଛି, ଗାଲ ଭାଙ୍ଗିଛି, ଦେହଟା ସେମିତି ଥୁଣ୍ଟା ହୋଇ ପଡ଼ିରହିଛି ।

 

କଣ୍ଠବାବୁଙ୍କ ଆସିବା ଦିନ ପାର ହୋଇଗଲା । ବିଧୁ ପ୍ରତିଦିନ ଯାଇ ତାଙ୍କର ବସାରୁ ବୁଝି ଆସେ । ଘରେ କ’ଣ ଦେହ ଖରାପ ହେବାରୁ ସେ ଆସିବାରେ ଡେରି କଲେ । ଆସୁଛନ୍ତି... ଆସିଲେ ଆସିଲା ପରି ।

 

ଆଗ୍ରହୀର ଉତ୍କଣ୍ଠା ନେଇ ବିଧୁବାବୁ ଯାଆନ୍ତି । କୋଡ଼ିଏ ବରଷର ପରିଚିତ ଲୋକ ଘନିଷ୍ଠ ହୋଇ ରହିବା କଷ୍ଟ । ବିଧୁବାବୁଙ୍କର ନିଛାଟିଆ ଜୀବନ ଗୋହିରୀରେ ବେଶୀ ଲୋକ ନାହାନ୍ତି କି ବେଶି ନିଶାଣଖୁଣ୍ଟ ନାହିଁ ।

 

ସେ ପ୍ରତିଦିନ ଲାଲବାଗ ଦେଖନ୍ତି—ବାଟରେ କୁଆଡ଼େ ଗଲା ଅଇଲାବେଳେ ମାଇଲଖୁଣ୍ଟ ଦେଖିଲେ କଣ୍ଠବାବୁଙ୍କ କଥା ମନେ ପକାନ୍ତି । କଣ୍ଠବାବୁ ସେମିତି ଛୋଟିଆ ଛୋଟିଆ କାର୍ଡ଼ ଲେଖି କେଇଟି ଚିହ୍ନ ପକାଇ ଥାନ୍ତି—କେଇଥର ବି ଦେଖା ପଡ଼ିଥାନ୍ତି କଟକରେ ।

 

ସମସ୍ତେ ଆସିଲେ—ବୁଢ଼ା ରୁଗୁଡ଼ି, ଗେହ୍ଲି, ଟିକି ଆଦି ସମସ୍ତେ । ବୁଢ଼ା ପଢ଼ିଲାଣି ସ୍କୁଲରେ । କୋଡ଼ିଏବର୍ଷ ତଳେ ବିଧୁବାବୁ ଯେଉଁଠି ଥିଲେ କଣ୍ଠବାବୁଙ୍କୁ ପ୍ରଥମ କରି ଚିହ୍ନିଲା ବେଳେ, ବୁଢା ସେଇଠି ପହଞ୍ଚିଲାଣି । ରୁଗୁଡ଼ି, ଗେହ୍ଲି ଆଦି ପଢ଼ିଲେଣି । ଟିକି ଗଛରେ ଚଢ଼େ—ମା’ ସାଙ୍ଗରେ କଳି କରେ । ସବା ସାନ ନମୁ ଗେହ୍ଲା ହୋଇଥାଏ ।

 

କଣ୍ଠବାବୁଙ୍କ ସାଥିରେ ଦେଖା ହେଲା । ଏଥର ନୂଆ କଥା ଯେ ସେ ଚାରିମାସ କଟକରେ ରହିବେ । ଆଗରୁ କହୁଥିଲେ ଯେ କଟକରେ ତାଙ୍କର ଗୋଟିଏ ସାଙ୍ଗ ବିଧୁ—ଏଥର ଭଲରେ ଦିନ କେଇଟା କଟିଯିବ । ବିଧୁକୁ ଭାରି ଏକୁଟିଆ ଲାଗୁଥିଲା ।

 

ଏ କ’ଣ ? ଲୋକଟି ଏକାବେଳକେ ଓଲଟା ହୋଇଯାଇଛି । ଯେ ସକାଳୁ ରାତି ଅଧଯାଏ ଗସ୍ତ, କଚେରୀ, ଫାଇଲ, ଲୋକଙ୍କର ଦରକାରୀ ଅଦରକାରୀ କାମରେ କୋଡ଼ିଏ ବରଷ ମଜ୍ଜି ରହିଥିଲା, ସେ ଆଜି ଗୀତା, ରାମାୟଣ, ବିଷ୍ଣୁପୁରାଣରେ ଆନନ୍ଦ ପାଉଛି । ସେଥି ଭିତରେ ଲେଖୁଛି—ପ୍ରେମର ଚିତ୍ର, ଅଭାବର ଛବି, ମନର ବିଭିନ୍ନ ଦିଗର ଆଲୋଚନା ।

 

ବେଉଷାଦାରୀ କାମରୁ ମଧ୍ୟ ତାହାର ମନ ଛାଡ଼ିନାହିଁ । ଦି’ ଦିନ ଦିନକେ ଧାଁଏ ସରକାରୀ କଳର କେନ୍ଦ୍ରକୁ—ସେକ୍ରେଟରିଏଟ୍‌ ଓ ସେଠି କଳ ଚଳାଉଥିବା ଅମଲା ଓ ହାକିମଙ୍କ ପାଖକୁ । ଚାକିରିର ଦାସତ୍ୱ ଯେମିତି ତାହାର ଗୋଡ଼ ହାତ ବାନ୍ଧି ସାରି ମୁଣ୍ଡଟାକୁ ବି ଲୁହା ପଟିରେ ବାନ୍ଧିଲାଣି ।

 

ଟଙ୍କା ଅଣାର ହିସାବ ବେଶ୍‌ ରଖି ପାରୁଛି । ଘର ଖରଚର ସବୁ ହିସାବ ରଖିଛି ଏହି କୋଡ଼ିଏ ବରଷ । ପାଖାପାଖି ସେହି ସେତିକି ଦିନର ବିବାହିତ ଜୀବନରେ ସେ ସ୍ତ୍ରୀ’କୁ ଛୁଟି ଦେଇଛି । ତଥାପି ତାଙ୍କର ଦୁଃଖ ଯେ ସ୍ତ୍ରୀ’ ନାଁରେ ଖଣ୍ଡେ ବହି ବି ସେ ଉତ୍ସର୍ଗ କରି ପାରିନାହାନ୍ତି । ସ୍ତ୍ରୀ ଭେଟିଛି ପାଞ୍ଚଟି ପିଲା—ବଡ଼ ସେମାନେ କଣ୍ଠ ବାବୁଙ୍କର ନାଁ ରଖିବେ । କେତେ ଦୁଃଖକୁ ଆଉଁସି ଭୁଲେଇଛି, ପାଶୋରେଇ ଦେଇଛି, ସେହି ସ୍ତ୍ରୀ’ଟି । ବହି ଲେଖା ଚାଲିଛି । ସ୍ତ୍ରୀ ବୁଝୁ ନ ବୁଝୁ ତାହାକୁ ପଢ଼ି ଶୁଣାଇବାରେ ଆଗ୍ରହ ମଧ୍ୟ କମ ନାହିଁ ।

 

ପିଲାଙ୍କର ପଢ଼ା ବୁଝିପାରୁଛି । ସେମାନଙ୍କୁ ଅଙ୍କ ଦେଇ ଠିକ ହେଲା ନ ହେଲା ଭଲ ଦେଖିପାରୁଛି । ହସ୍ତାକ୍ଷର ଖାତାରେ ରୁଲ୍‌ ପକାଇବା ଓ ହସ୍ତାକ୍ଷର ଲେଖା ଶିଖେଇବା ମଧ୍ୟ କରି ପାରୁଛି । ପିଲାମାନେ ଗୋଳମାଳ କଲେ ତାଙ୍କୁ ପଣକିଆ, ହସ୍ତାକ୍ଷର, ବ୍ୟାକରଣ ଆଦି ଭିନ୍ନ ଭିନ୍ନ ପାଠ ଦେଇ ସେ ଶାସନ କରି ଜାଣୁଛନ୍ତି ।

 

ସେଥିଭିତରେ ବି ଚାଲିଛି ଲେଖା, ଛପାଖାନା ଓ ବହି ଦୋକାନକୁ ଧାଉଡ଼ି । ଗୋଟାଏ ଅକ୍ଷର ଉଡ଼ିଗଲେ କି ଟିକିଏ ଭୁଲ ରହିଗଲେ ଦୁଃଖ ।

 

ପାଖରେ ବସି ବିଧୁ ଏସବୁ ଦେଖେ । ମନ ତାହାର ଦୂରେଇ ଯାଏ । ଠିକ୍‌ ପିଲାବେଳେ ଯେମିତି ଲାଲବାଗଠାରୁ ଦୂରରୁ ଦୂରକୁ ମାଇଲ ଖୁଣ୍ଟ ଗଣି ଗଣି ଆଗକୁ ଚାଲୁଥିଲା ।

 

କଣ୍ଠବାବୁଙ୍କ ପୁଅ ବୁଢ଼ା ସାଇକଲ ଶିଖିଛି ଯେ, ବିଧୁବାବୁଙ୍କ ସାଙ୍ଗରେ କଟାଳ କରେ ତାହା ସାଙ୍ଗରେ ସାଇକଲ ଦଉଡ଼ କରିବାକୁ । ଝିଅମାନେ ଜିଦ୍‌ କରନ୍ତି କ୍ୟାରମ୍‌ ଓ ବାଘ ଛେଳି ଖେଳିବା ପାଇଁ । ଟିକି, ନମୁ ଆସି ପାଖରେ ଠିଆ ହୁଅନ୍ତି ଆଦର ପାଇବାକୁ ।

 

କଣ୍ଠବାବୁ ତାଙ୍କ କାମରେ ବ୍ୟସ୍ତ । ମୁଣ୍ଡ ଉପରୁ ସେହି କୁଞ୍ଚୁକୁଞ୍ଚିଆ କଳାବାଳ ଉଡ଼ିଲେଣି-। ସେହି ସବୁ ଥାନ ଟାଙ୍ଗରା । ସେ ହାତଯାକ ରାଳ ଗୋଳି ହୋଇଥାନ୍ତି । କବାଟ, ଝରକା, କଡ଼ି, ବରଗା, ସବୁ ଖରାପ ହୋଇଯାଇଛି ଦଶ ବରଷର ଅଯତ୍ନରେ । ହାତେ ହାତେ ଅନେକ ମରାମତି କରି ପକାନ୍ତି । ସ୍ତ୍ରୀ ବି ଆସିଥାଏ—ତାହା ସାଙ୍ଗରେ ଚାଲିଥାଏ ସିମେଣ୍ଟ, ଚୁନ, ମୂଲିଆ କଥା-। ଆଉ କେତେ ପ୍ରକାରର ପ୍ରସ୍ତାବ । ଘରକୁ କାନ୍ଥଟିଏ ଏଠି ସେଠି ଭାଙ୍ଗି ନୂଆ ପ୍ରକାରର କରିବେ-

 

‘ନା—ଏମିତି ସବୁରେ ବ୍ୟସ୍ତ ଅଛନ୍ତି । ମୁଁ ଯାଉଛି ।’

 

‘ଆରେ ବିଧୁ, ଚାଲିଯିବୁ କି ? ରହ—ଅନେକ ଗପସପ ଅଛି । ଗେହ୍ଲି ଗଲୁ ଚଞ୍ଚଳ ଆଣିବୁ । ଦି’କପ ଚା । ବିଧୁ ପଳାଉଛି ।’

 

ଗେହ୍ଲି, ନମୁ, ଟିକି ଆସି ବାଟ ବନ୍ଦ କରି ଠିଆ ହୋଇଯାନ୍ତି, ବିଧୁ ବସି ବସି ବିଡ଼ି ଟାଣେ-। ରୋଷେଇଘରୁ ରଡ଼ ନିଆଁ ଆସି ରହେ, ଚା ପିଆଲା ଉପରେ । ସେ ହୁଏ ଡିଆସିଲି ।

 

‘ଆଚ୍ଛା, ଚାଲ୍‌ ତୁ ବ୍ୟସ୍ତ ହେଲୁଣି । ବୁଲିଯିବା ?’

 

ଏକାଠି ପୁଣି ଦୁଇଜଣ ବାହାରନ୍ତି । ସତେ କି ପୁରୁଣା ଦିନ ଫେରି ଆସୁଛି । ଗପସପ, ହସ ଖୁସ ହେଇ ହବ ।

 

ବାଟରେ ‘ହେ’ ରହ ଟିକିଏ ଇଠି—ଘରକୁ ମାଛ ନବା କଥା—ଆରେ ଗୋଟାଏ ଦଉଡ଼ି–ହଁ ତ, ପିଲାଙ୍କ ପାଇଁ ଲଜେନ୍‌ସ ନେବି, ଆଉ ମୋର ଗୋଟିଏ ଲଣ୍ଟଣ ଦରକାର—ହେ, ରମେଶବାବୁ, ରମେଶବାବୁ..........

 

ବିଧୁ କହେ, ‘ନାହିଁ—ମୁଁ ଫେରିଲି ଘରକୁ । ପ୍ରତିଦିନ ବୁଲି ଆସିଲେ ବି ବଜାର, ଘର କରଣା ଛାଡ଼ିଲା ନାହିଁ । ଆପଣ ବଜାର କରୁଥାନ୍ତୁ—ମୁଁ ଚାଲିଲି ।’

 

ବିଧୁ ଚାଲେ । କଣ୍ଠବାବୁ ତାଙ୍କ କାମ ଛାଡ଼ି ଦେଇ ଅପରାଧ କଲା ପରି ପଛେ ପଛେ ଚାଲନ୍ତି । ସାଇକଲର ଘନଘନ ଘଣ୍ଟି ଶୁଣି ବିଧୁ ଚାହିଁ ହସିଦିଏ । କଣ୍ଠବାବୁ ଆସିଗଲେଣି ।

 

ସେ ବି ଅନୁତାପ କରି କହେ, ‘ଆଚ୍ଛା, ଚାଲନ୍ତୁ ଯିବା ବଜାର କରି । ମୁଁ ବଜାର କରିବା ଶିଖିବି ।

 

କଣ୍ଠବାବୁ ଖୁସି ହୋଇଯାଆନ୍ତି ।

 

ଏଇ ହେଲା ସାହିତ୍ୟିକର ସାହିତ୍ୟ । କଲେଜ ପାଠ ସରିବାର କୋଡ଼ିଏ ବରଷ ପରେ–ଚାକିରି କରିବାର କୋଡ଼ିଏ ବରଷ ପରେ । ଦେହ ଭିତରେ ମନ ଏମିତି ବଦଳିଛି ।

 

ଲେଖା କଥା ପଡ଼େ । ଜଣକ ମୁହଁ ପୂର୍ବକୁ, ଆରକର ପଶ୍ଚିମକୁ । ପ୍ରତ୍ୟେକ ନିଜ ନିଜର ମନ, ରୁଚି, ଅନୁଭବ ଅନୁସାରେ ପ୍ରକାରେ ପ୍ରକାରେ କହନ୍ତି । ଅନ୍ୟ ଲୋକର ଲେଖାକଥା ପଡ଼ିଲେ ସେମିତି ଭିନ୍ନ ମତ ହୁଏ ଦୁହିଁଙ୍କର । ଶେଷରେ ରାଜିନାମା ହୁଏ ଯେ ଆଉ ସାହିତ୍ୟ ଓ ଲେଖକ ନେଇ କୌଣସି ଆଲୋଚନା ହବ ନାହିଁ । ଦୁହେଁ ଖୁସି ।

 

ବୈଶାଖ, ଜ୍ୟେଷ୍ଠମାସ ଦୁଇଟିଯାକ ଏକାଠି ବହୁତ ବୁଲା ହୋଇଛି । ଖଣ୍ଡେ ଖଣ୍ଡେ ଟୋପି ମୁଣ୍ଡରେ ଦେଇ ଦିନ ସାଢ଼େ ବାରଟା ଓ ଗୋଟାଏବେଳେ କଣ୍ଠବାବୁଙ୍କୁ ଘେନି ବିଧୁ ବାହାରି ପଡ଼େ ବୁଲିବାକୁ । କଟକର ସବୁ ଗଳି, ରାସ୍ତାର ଉତ୍ପତ୍ତି ଓ ଶେଷ ରେଲ ପୋଲ, ରେଲଲାଇନ, ନୂଆ ପୋଲ, ପୁରୁଣା ତେଲଙ୍ଗା ପେଣ୍ଠ ଆଦି ଦେଖା ହେଲା ।

 

ଆଖି ଉପରର ଖରା ଚଷମା ଭିତର ଦେଇ ଉପରୁ ବର୍ଷା ହେଲାପରି କପାଳର ଝାଳର ସୁଅ ବୋହିଯାଏ । ଲୁଣିଆ ଝାଳ ଶୁଖିଲା ଓଠ ଉପର ଦେଇ ଗଡ଼ିଯାଏ । ବାଟରେ ଠିଆ ହୋଇ ବିଡ଼ି ଖାଆନ୍ତି—ଓଃ, ବଡ଼ ମଜ୍ଜା । ଫେରିଲାବେଳକୁ ଦେହ ଏମିତି କ୍ଲାନ୍ତ ହୋଇପଡ଼ିଥିବ ଯେ ଖାଲି ଶୋଇପଡ଼ିବାକୁ ଇଚ୍ଛା ହେବ । ବଡ଼ ଭଲ ଲାଗିବ ।

 

ସେତିକିବେଳେ ହୁଏ ସଂସ୍କାର କଥା । ଆମର ସ୍ତ୍ରୀମାନେ ଯଦି ଏମିତି ମାସକେ ଥରେ ସାଇକଲ ଖଣ୍ଡେ ନେଇ ଦି’ଦଶ ମାଇଲ ଯା ଆସ କରନ୍ତେ ତାହାହେଲେ ଘରେ ଗଳିବା ଯେମିତି ସୁଖକର ହୁଅନ୍ତା ଦେହର ସହିବା ଶକ୍ତି ମଧ୍ୟ ସେମିତି ବଢ଼ି ଯାଆନ୍ତା ।

 

ବୁଝିଲୁ ବିଧୁ—ମୋର ଦୁଃଖ ରହିଗଲା ଯେ ମୋ ସ୍ତ୍ରୀ’ର ସହଯୋଗ ପାଇଲି ଖୁବ୍‌ କମ୍‌-। ମୁଁ ଉନ୍ନତି କରିପାରିଲି ନାହିଁ । ସବୁବେଳେ ଯେମିତି କିଏ ଗୋଡ଼କୁ ଆଗକୁ ନ ଠେଲି ପଛକୁ ଘୋସାରି ଆଣୁଛି ।

 

କଣ୍ଠବାବୁଙ୍କ ଛୁଟି ସରିଲା । ସେ ଚାଲିଯିବେ ।

 

ବିଧୁକୁ ଖରାପ ଲାଗିଲା । ଏତେ ଝାଳ, ଏଡ଼େ ଖରାରେ ସତେ ଯେମିତି ନୂଆ କରି, ଟାଣ କରି, ଗୋଟାଏ ଅସମ୍ଭବ ବନ୍ଧୁତା ଗଢ଼ି ଉଠୁଥିଲା—ଆଉ ଭାଙ୍ଗିଯାଉଛି । ଯାହା ଅସମ୍ଭବ ସେତକ ସମ୍ଭବ ହୋଇଥିଲା । ସାହିତ୍ୟ ଓ ଲେଖା ଉପରେ ଯେଉଁ ବନ୍ଧୁତା ଗଢ଼ି ଉଠିଥିଲା ସେ ପୁଣି ଥରେ ନୂଆ ମୂଳଦୁଆ ଉପରେ ଠିଆ ହେଲା—ସେଇଟା ହେଉଛି ଖରା ଦିନର ତାତିରେ ଏକାଠି ବୃଥା ଦଉଡ଼ିବାର ବନ୍ଧୁତା । ସାହିତ୍ୟ ମରି ଯାଇଥିଲା ଆଲୋଚନା ଭିତରୁ । କିନ୍ତୁ ମନ ମିଶିଥିଲା ମନ ସହିତ ।

 

କଣ୍ଠବାବୁ ଚାଲିଯିବାର ଦିନ । ସେ ବୁଲି ବୁଲି କଟକର ଚିହ୍ନା ଲୋକଙ୍କଠାରୁ ମେଲାଣି ହେଉଥିଲେ । ବିଧୁ ସେଦିନ ସାତଥର ଯାଇ ଫେରି ଆସିଥିଲା ଦେଖା ପାଇଲା ନାହିଁ । ରାତି ଗାଡ଼ିରେ କଣ୍ଠବାବୁ ଯିବେ ।

 

ଜିନିଷପତ୍ର ବନ୍ଧା ହୋଇଛି—ଟ୍ରକ୍‌ରେ ଲଦା ହେଉଛି ଷ୍ଟେସନକୁ ଯିବ । ସେ ସବୁ ଚାଲିଗଲା—ବାକି ରହିଲେ ଘର ଓ ମଣିଷ । ମଣିଷମାନେ ଯିବା ଆଗରୁ ବାବୁଟିଏ ଆସିଥାଆନ୍ତି ଯେ, କଣ୍ଠବାବୁ ଗଲେ ସେ ଚାବି ନେଇଯିବେ । ସେ ରହିବେ ଭଡ଼ାରେ ।

 

କଣ୍ଠବାବୁଙ୍କର ସ୍ତ୍ରୀ ଓ ପିଲାମାନେ ପ୍ରସ୍ତୁତ ହେଉଥାନ୍ତି । ତହିଁର ତନଖି କରିବାରେ କଣ୍ଠବାବୁ ବ୍ୟସ୍ତ ଥାନ୍ତି । କାଳେ କିଛି ରହିଯିବ । ମଝିରେ ମଝିରେ ଆସି, ବିଧୁକୁ କହୁଥାନ୍ତି, ‘ହେଇ–ସବୁ ଠିକ୍‌ ହେଇଗଲା ପ୍ରାୟ । ତାପରେ ଟିକିଏ ଦୁଃଖସୁଖ ହେବା—’

 

ସବୁ ସଇଲାବେଳକୁ ଘଡ଼ି ଦେଖା ହୋଇ ଜଣାଗଲା ଟ୍ରେନ ସମୟ ଆସି ହେବା ଉପରେ ।

 

ସମସ୍ତେ ଗାଡ଼ିରେ ଚଢ଼ିଲେ । ଘରେ ଢାଲା ପଡ଼ିଲା । ନୂଆ ବାବୁଟି, କଣ୍ଠବାବୁ, ପିଲାପିଲି ସମସ୍ତେ ବାହାରିଲେ ପଦାକୁ—ବିଧୁ ମଧ୍ୟ ।

 

‘ଆରେ ବାବୁ, ଟିକିଏ ଗପ କରି ପାରିଲେ ନାହିଁ—କ୍ଷମା କରିବୁ । ବଡ଼ ଜଞ୍ଜାଳ । ଏମିତି ପରିବାର ନେଇ ଏପାଖ ସେପାଖ ହେବା କ’ଣ ବୁଝିଲେ ମତେ କ୍ଷମା ଦେବୁ । ... ପିଲେ ଓଳଗି ହୁଅ ।

 

ଗୋଟି ଗୋଟି ହୋଇ ମୁଣ୍ଡ ଲଇଁଲା—ଉଠିଲା । କଣ୍ଠବାବୁ ବି ବିଦା ହେଲେ । ‘ହଉ, ଥା, ‘ବିଧୁ, ଚିଠି ଦେବୁ ଦେଉଥିବୁ ।’

 

ବିଧୁ ବିରକ୍ତ ହୋଇଥିଲା ବହୁତ । ସେ ‘ହଁ’ ମାରି ତୁନି ପଡ଼ିଲା । ତିନି ଦିନରେ ସେହି କାର୍ଡ଼— ‘‘ନିରାପଦରେ ଆସି ପହୁଞ୍ଚିଛୁ । ଚାକିରିରେ ଯୋଗ ଦେଇଛି । ବହୁତ କାମ ମୋର । ଶୁଭାଶୀର୍ବାଦ ଜାଣିବୁ—ଚିଠି ଦେବୁ ।’’

☆☆☆

 

ପୁରୁଣା କଥା

 

ଅନ୍ଧାର ରାତିରେ ଉପରକୁ ଚାହିଁଲେ ମହାଶୂନ୍ୟ ଭିତରେ ଦୁଇଟି ନକ୍ଷତ୍ର ବେଶି ଉଜାଲ ଦିଶନ୍ତି । ମନେ ହୁଏ ସେମାନେ ଯେପରି ପରସ୍ପରର ବଂଧୁ । କ’ଣ ଗୋଟିଏ ବଂଧନରେ ବାଂଧି ହୋଇ ରହିଛନ୍ତି । ସେମାନଙ୍କ ଭିତରେ ଦୂରତା କେତେ, ସଂପର୍କ କଣ, କେଇଦିନ ଏକାଠି ରହିବେ, ଯେମିତି ଜାଣି ହୁଏ ନାହିଁ ଅଥଚ ଖାଲି ରଖି ହୁଏ ଅନୁଭବ କରି ହୁଏ ।

 

ସତେ ତା ସଂସାରଟା ସେହି ଆକାଶରୁ ଯେମିତି ସେତକ ଦେଖି ଦେଖି ନିଜ ଭିତରକୁ ଟାଣି ଆଣିଛି । ଖଣ୍ଡକରେ ପାଣି, ଖଣ୍ଡକରେ ସର୍ବତ, ଅରାକରେ ଘର ଓ ଘରଭିତରେ ମଣିଷ । କିଏ କେଉଁଠୁ ଜନ୍ମପାଇ ଯେମିତି ପରସ୍ପର ସହିତ ଗୁନ୍ଥା ହୋଇ ଯାଇଛନ୍ତି ।

 

ଘର ଆଗରେ ଘର ଠିଆ ହୋଇଛି । କଚେରୀରେ ମକଦ୍ଦମା ହେଉଛି ଯେ, ଗୋଟିଏ ଘର ପଡ଼ୋଶୀର ଆଲୁଅ ପବନ ବନ୍ଦ କଲା; ଜଣକର ଘରବାଲା ଆର ଘରର ଘରୋଇ ଗୋପନୀୟତା ଭାଙ୍ଗି ଦେଲା; ଜଣକର ନାଳରୁ ପାଣି ଗଡ଼ିଆସି ଆରଘର ଉପରେ ବୋହିଗଲା । ଶତ୍ରୁ ମିତ୍ର ହୋଇଯାନ୍ତି । ବୁଦ୍ଧିବଳ ପରଖ କରୁ କରୁ କେଜାଣି କେତେ ଟଙ୍କା ଓ ସମୟ ଉଡ଼ିଯାଏ । ମଣିଷ ମରି ଯାଏ । ଘର ଭାଙ୍ଗିଯାଏ ।

 

କେହି କାହାର ବଂଧୁ ନୁହେ । କେହି କାହାର ଶତ୍ରୁ ନୁହେ । ଘଟଣାର ସ୍ରୋତରେ ଚାରିଜଣ ଏକାଠି ହୋଇ ଆନନ୍ଦରେ ହସିହସି ଗଡ଼ି ଯାଆନ୍ତି । ପୁଣି ସେମିତି ମୁହଁ ଓହଳେଇ ମନକୁ ମାରି ପରସ୍ପରକୁ ଚାହିଁ ଠିଆ ବି ହୋଇ ପାରନ୍ତି ନାହିଁ ।

 

ସଂସାରର ଏଇଟା ଅତି ପୁରୁଣା ସତ । ଅତି ପୁରୁଣା କଥା । ଏହି ହେଉଛି ଗଳ୍ପଟିର କଥାବସ୍ତୁ । ଚାରିଜଣ ଓଡ଼ିଆ ଶିକ୍ଷିତ ଲୋକଙ୍କର ଜୀବନର କେଇଟି ଚିହ୍ନଦିଅ କଥା ।

 

ଚାରୋଟି ପିଲାଙ୍କୁ ସଂସାରର ଅନ୍ୟମାନଙ୍କଠାରୁ ବାରି ନେବା ପାଇଁ ନାଁ ଦିଆ ହୋଇଥିଲା—ବିହରି, ଶ୍ରୀନାଥ, ମୋହନ ଓ କିଶୋର । ଜନ୍ମ ହେଲାବେଳେ ଦୂରତା ବହୁତ ଥିଲା–ମାପିଲେ ହେବ ପାଞ୍ଚଶହ ମାଇଲ ଓ ଗଣିଲେ ହେବ ହଜାରେ ଦିନ । ଏତିକି ବ୍ୟବଧାନ ।

 

କୁକୁର ଛୁଆ ପିଲାଦିନୁ ତାହାର ବୁଦ୍ଧି ଓ ସ୍ୱଭାବ ଅନୁସାରେ କାମ କରିଗଲା ପରି ଏହି ମଣିଷ ପିଲା ଚାରୋଟି ତାଙ୍କର ଦେଖାଶିଖା କାମ କରି ଆସୁଥିଲେ । ସମସ୍ତଙ୍କର ଗୋଟିଏ ଲେଖାଁ ଘର—ଘରେ ବାପ, ମା, ଭାଇ ଭଉଣୀ ଓ ଦୁଃଖ ସୁଖ । ସମସ୍ତେ ପଢ଼ିଥିଲେ ଓ ଏକା ବିଶ୍ୱବିଦ୍ୟାଳୟରୁ ଶିକ୍ଷିତର ମାର୍କା ଗ୍ରାଜୁଏଟ୍ ହୋଇ ଓଡ଼ିଶା ମା’ କୋଳକୁ ଡେଇଁ ପଡ଼ିଥିଲେ ।

 

ଓଡ଼ିଶାରେ ଆନନ୍ଦ । ନୂଆ କରି ପୁଣିଥରେ ରାଜା ଏଠି ଏହାର ସୀମା ସରହଦର ଅଲଗା ଗାର ଟାଣିଦେଲେ । ଦେଶ ଉଠିଯିବ ଦଶବର୍ଷରେ । ଭାରତବର୍ଷର ଦିନେ ମହୁଡ଼ରେ ଥିଲା-। ପୁଣି ବି ଉଠି ଆସିବ । ବୁଢ଼ା ପଡ଼ୋଶୀମାନେ ହଜିଯିବେ ।

 

ଚାରୋଟି ଓଡ଼ିଆ ସେମିତି ଶିକ୍ଷିତ ହୋଇ କଳ୍ପନା-କୁସୁମ ସଂଗ୍ରହରେ ଲାଗିଥିଲେ । ମଣିଷରେ ଗଣା ହେଲେଣି—ବଡ଼ ମଣିଷରେ ଗଣା ହେବେ । ବୁଢ଼ା, ମୁର୍ଖ ଲୋକେ, ବାଳୁଙ୍ଗା ପରି ମାଡ଼ିଯାଇଛନ୍ତି ଖାଲି ଏମାନେ ନ ଥିବା ଯୋଗୁଁ । ଏମାନେ ଆସିଗଲେଣି ଏଥର । ଆଲୁଅ ଆସିଲେ ଅନ୍ଧାର ଲୁଚିଗଲା ପରି ଏମାନଙ୍କୁ ଦେଖି ଆଗରେ ଭିଡ଼ିଗଲା ଲୋକେ ଆଗଛାଡ଼ି ଚାଲିଯିବେ ।

ଏକ କଥା ଓ ଏକା ଚିନ୍ତା । ପାଠପଢ଼ି ସାରିଛନ୍ତି; କିନ୍ତୁ ସେଇ ମାର୍କାକୁ ଚଳେଇ ଜାରି କରି ନାହାନ୍ତି । ଚାରିଙ୍କର ମୁହଁରେ ଯୌବନର ଲାଲ ରଙ୍ଗ ଚହଟି ଉଠେ । ହସିଲେ ଗାଲ ଉପରେ ମାଉଁସ ଭାଙ୍ଗ ଭାଙ୍ଗ ହୋଇ ସୁନ୍ଦର ଦିଶେ । କଳ୍ପନାରେ ବୋଳା ଆଖି କେତେ ରଙ୍ଗରେ ଝଟକି ଉଠେ । କଟକର ରାସ୍ତା ଉପରେ ଏକାଠି ଚାଲିଗଲା ବେଳେ ମଣିଷ ଓ ସାଇକେଲ ବାଟଭାଙ୍ଗି ଅଲଗା ହୋଇ ଚାଲିଯାନ୍ତି । ଚାଲିର ଧାସରେ ରାସ୍ତାର ଗୋଡ଼ି ବି ଘୋରି ହୋଇଯାଏ ।

କାହାରି ଜୀବନରେ ମଧ୍ୟାହ୍ନ ଆସିନାହିଁ । ତେଣୁ ପଶ୍ଚିମର ଦିଗବଳୟ ଦିଶି ନାହିଁ । ଜୀବନର ମତୁଆଲା ଫୁଆରା ଛୁଟିବା ଆରମ୍ଭ କରିଛି । ସରିଚାର ଲକ୍ଷଣ ଦିଶିନାହିଁ । ମୁଣ୍ଡରେ କଳା ବାଳ, ଦେହରେ ଗରମ ରକ୍ତ ଓ ହୃଦୟରେ ଅକୁହା କୋହ ।

ମୂକ ଆକାଶ ତଳେ ଚାରିଜଣ ବନ୍ଧୁ ହେଲେ—ଶ୍ରୀନାଥ, ବିହାରି, ମୋହନ ଓ କିଶୋର-। ଏକା ସମସ୍ୟା-ବଡ଼ ହେବେ, ପରସ୍ପରକୁ ଭଲ ପାଇବେ ଓ ଏକାଠି ହସି ଖେଳି ଚାଲିଯିବେ-। ଭୟ ନାହିଁ, ଆଶଙ୍କା ନାହିଁ, ଦୁର୍ବଳତା ନାହିଁ ଓ ପରାଜୟ ନାହିଁ ।

ବଡ଼ ଲମ୍ବା ଲମ୍ବା କଥା । ଏକାଠି ହେଲେ କଥା ସରେ ନାହିଁ । ବେଳ ସରିଯାଏ । ଦେଖା ନ ହେଲେ ଯେମିତି ଛାଟି ହୋଇ ପରସ୍ପର ଆଡ଼କୁ ପଡ଼ିଯାନ୍ତି । ପୁଣି ଏକାଠି ହୁଅନ୍ତି । କେତେ ପ୍ରକାରର ଚିନ୍ତା—ଦେଶର, ଶାସନର, ମଣିଷର ଓ ପଶୁପକ୍ଷୀଙ୍କର ।

ପୁରୁଣା ଲୋକେ ଆଖି ଠରାଠରି ହୁଅନ୍ତି । ଟୋକାଏ ଖାଲି ମଜଲିସ ଓ ଗପରେ ବେଳ କାଟିଲେ । ବାଳୁଙ୍ଗା ହୋଇଯିବେ । ଅଣଓଡ଼ିଆ ଲୋକେ କୁହାକୁହି ହୁଅନ୍ତି, ଓଡ଼ିଆମାନେ ମେଳିଆ ହେବାକୁ ଆରମ୍ଭ କଲେଣି । ଚାରୋଟି ଶିକ୍ଷିତ ଲୋକ—ଏକାପରି ଓଡ଼ିଆ ଜାତିଆଣ ଭାବଥିବା ଲୋକେ ସେମିତି ଟିପ୍ପଣୀ କରନ୍ତି, ଶିକ୍ଷିତ ଲୋକଙ୍କ ଭିତରେ ଜାତିଆଣ ବୁଦ୍ଧି ଓ ଭାବ ଉଠୁଛି । କିନ୍ତୁ ଚାରୋଟି ଭେଣ୍ଡା ଏକାଠି ହୋଇ ଚା’ ଖାଇବା, ସିଗାରେଟ ପୋଡ଼ିବା, ଗୋପନ କାହାଣୀ ଚର୍ଚ୍ଚା କରିବା ଆଦିରେ ଦିନମାନ ଝଡ଼େଇ ହେଉଥାନ୍ତି । ବନ୍ଧୁତା ବାନ୍ଧି ହୋଇ ଯାଉଥାଏ । ଅତି ଟାଣରୁ ଟାଣ ହୋଇ । କେତେ ମାଲମସଲା ନ ଖାଉଛି ? —ଏତେ ସମୟ, ଏତେ ବାଲିଟି ଚା, ଏତେ ଟିଣ ସିଗାରେଟ, ଆଉ ଏତେ ପ୍ରକାରର ଛୋଟିଆ ମୋଟିଆ ଗୋପନ କଥା । ଆଉ ବନ୍ଧୁତା କହେ କାହାକୁ ?

ତଥାପି ସମସ୍ତେ ସମାନ ନୁହନ୍ତି । ଦୁଇଜଣଙ୍କର ମା’ ନାହିଁ ଆର ଦୁଇଟିଙ୍କର ଅଛି । ଦି’ ଜଣଙ୍କର ଚଷମା ଅଛି ଓ ଦି’ ଜଣଙ୍କର ନାହିଁ । ଜଣେ ପଢ଼ିଛି ଅନ୍ୟମାନଙ୍କଠାରୁ ଅଧିକ । ଆଉ ଜଣେ ପଢ଼ୁଛି ସମସ୍ତଙ୍କଠାରୁ କମ୍ । ରଙ୍ଗରେ, ପୋଷାକରେ, ସ୍ୱାସ୍ଥ୍ୟରେ, ରୁଚିରେ, ବିଚାରରେ, ଅକଲରେ, ଅଲଗା ଅଲଗା । କିନ୍ତୁ ବନ୍ଧୁତା ରହିଛି । ଆାଲୁଆ ଜାଗାରେ ପାଣି ଜମି ଗଲାପରି ବନ୍ଧୁତା ଏହି ଚାରୋଟିଙ୍କ ଆଶ୍ରା କରି ବଢ଼ୁଛି ।

ଜଣଙ୍କର ବାଳ ପାଚିଗଲା । ସେ ସବୁବେଳେ ତାହାର ମୁଣ୍ଡକୁ ଦେଖାଏ । ବୁଢ଼ା ହୋଇଗଲା ବୋଲି ପାଟି କରେ । ମେଲେରିଆର କୁଇନାଇନ୍ ଖିଆ ପରେ ଭାବି ଭାବି ଅଧାବାଳ ପାଚିଗଲା । ଆଉ ଗୋଟିକର ସେମିତି ଅଧେ ବାଳ ଉପୁଡ଼ି ଗଲା । ସେ କହେ ଚିନ୍ତାର ଓଜନରେ ଦୁର୍ଦ୍ଦଶା ତାହାକୁ ଘୋଟି ଆସିଲା । ସେ ସମସ୍ତଙ୍କଠାରୁ ଭାବେ ଅଧିକ । ଆଉଜଣେ ସବୁବେଳେ ଶୋଇ ରହେ । ସେ କହେ ଖାଲି ମାନସିକ ପରିଶ୍ରମ ପାଇଁ ତାହାର ଆଖିପତା ଅଜାଣତରେ ଲାଗିଯାଏ ଏକାଠି । ଶେଷଟି ସେିମିତି କହେ, ସେ ମଣିଷଙ୍କ ନାଁ ଓ ଚେହେରା ଭୁଲି ଯାଉଛି । ଭାବି ଭାବି ସେମିତି ହେଇଯାଇଛି ।

 

ତେବେ ପରସ୍ପର ଭିତରେ ବହୁତ ପ୍ରକାରର ବିପରୀତମୁଖୀ ଦୁଃଖସୁଖ ଆସି ଦେଖାଦିଏ-। ଭଲ ଚାକିରିର ଉପାୟ ଓ ଫନ୍ଦି ଅଲଗା ଆଘାତ ଦିଏ । ସମୟ ଗଡ଼ିଚାଲେ ତାହାର ଗତିରେ । ବନ୍ଧୁତାର ନିବିଡ଼ତା ଜଙ୍ଗଲ ପରି ବାନ୍ଧି ହୋଇ ଆସେ । କିନ୍ତୁ ପ୍ରକାରେ ଫୁଲ ଫୁଟେ ଓ ଗଛ ମାଡ଼ିଯାଏ ।

 

କେହି କାହାକୁ କିଛି ନ କହିଲେ ସୁଦ୍ଧା ପରସ୍ପର ପ୍ରତି ଗୋଟାଏ ମମତା କୁହୁଡ଼ି ପରି, ପବନ ପରି ଘେରି ରହିଯାଏ । ସଂସାରର ସାଧାରଣ ପ୍ରଭେଦ ଓ ପାର୍ଥକ୍ୟ ସେଥିରେ ଯେମିତି ବାଧା ହୁଏ ନାହିଁ । ବେଳ ପାଇଲେ ଗୋଡ଼ ଟାଣି ନେଇଯାଏ ସେମାନଙ୍କୁ । ଅନେକ ସମୟରେ ଚାରିଜଣ ହୁଏ ତ ଚାରିଜଣଙ୍କ ଘରେ ପରସ୍ପରକୁ ଖୋଜି ଆସିଛନ୍ତି । ଏକାଠି ଚେଷ୍ଟା କରି ମଧ୍ୟ କେହି କାହାର ଦେଖା ପାଇନାହାନ୍ତି । ତଥାପି ଏକାଠି ହେଲେ ସମସ୍ତଙ୍କର ଆନନ୍ଦ ।

 

ଧିରେ ଧିରେ ସଂସାରର ବାଟରେ ମୋହନ ଖସିଲେ । ତାହାର ହେଲା ବିଭାଘର । ବୋହୂଟିଏ ଆସିଲା । ସେ ଖାଲି କହି ହୁଏ ‘ବିଭା ହୋଇ ମଧ୍ୟ ମୋର କିଛି ପରିବର୍ତ୍ତନ ହେଲା ନାହିଁ-। ଯେମିତି ଥିଲି ସେମିତି ରହିଲି’ । ଅନ୍ୟମାନେ ସକାରଣ ଓ ଅକାରଣରେ ମୋହନ ଘରେ ବସି ଆଡ଼ା କଲାବେଳେ କହନ୍ତି, ମୋହନ । ଆଉ ତିନୋଟିଙ୍କଠାରୁ ଅଲଗା ।

 

ଶରୀରର ପ୍ରଭେଦ, ସ୍ୱାସ୍ଥ୍ୟର ତାରତମ୍ୟ, ଉପାର୍ଜନର ପାର୍ଥକ୍ୟ, ଚଳିବା ବିଧିର ବିଭିନ୍ନତା ନେଇ ପରସ୍ପରରେ ଯୁକ୍ତିତର୍କ କରନ୍ତି । ପ୍ରମାଣ ହୁଏ ଯେ କେହି କାହାରି ସାଙ୍ଗରେ ମେଳ ଖାଉ ନାହିଁ । ତଥାପି ମେଳ ରହିଚି ।

 

ସେଥିପାଇଁ ପ୍ରତି ଇଂରେଜ ସନ ଆର ସନକୁ ଘୁଞ୍ଚିଗଲା ଦିନ ସନ୍ଧ୍ୟାରେ ଚାରି ବନ୍ଧୁ ଏକାଠି ହୋଇ ପରସ୍ପର ଦୋଷଗୁଣର ଚର୍ଚ୍ଚା ଓ ସମୀକ୍ଷା କରନ୍ତି । ବର୍ଷରେ କିଏ କେମିତି ବଦଳିବ ଓ କ’ଣ କ’ଣ ଭଲମନ୍ଦ ପାଇବ, ତାହାର ତାଲିକା କରନ୍ତି ।

 

ପୁଣି ଥରେ ଯେମିତି ମୁହଁରେ ରକ୍ତରେ ତେଜ ଫୁଟି ଉଠେ । ହସିଖୁସି ହୋଇ ପୁରୁଣା ରାତି ଅଧ ବେଳକୁ ବିଦାୟ ଦେଇ ହୃଦୟରେ କେତେ ଭାର ନେଇ ଯେ ଯାହା ଘରକୁ ଚାଲିଯାନ୍ତି ।

 

ପ୍ରତିବର୍ଷ ଯେମିତି କାହାରି ନା କାହାରି ନୂଆ କଥାଟିଏ ଘଟୁଛି । କିଏ ଚାକିରିଟାଏ ପାଇଲା । କାହାର ବିଭାଘର ହୋଇଗଲା । କାହାର ପିଲାଟିଏ ହେଲା, ଇତ୍ୟାଦି । ତଥାପି ମନଗୁଡ଼ାକ ଗୁନ୍ଥି ହୋଇ ରହେ । ପରସ୍ପରକୁ ଚାକିରି, ସ୍ତ୍ରୀ, ପିଲାଙ୍କ କଥା ଏକାଠି ହୋଇ ଚର୍ଚ୍ଚା କଲାବେଳେ ପରସ୍ପରର କଟୂକ୍ତି ସମାଲୋଚନା, ମନ୍ତବ୍ୟ ନେଇ ଛୋଟିଏ ଦଳ ହୋଇ ବାରମ୍ବାର ଭାଗ ଭାଗ ହେଲେ ବି ଏକାଠି ଚାରିଜଣ ହୋଇ ରହିଯାନ୍ତି ଦେଖଣାହାରୀଙ୍କ ଆଖି ଆଗରେ ।

 

ଯୌବନ ଧୀରେ ଧୀରେ ବିଦାୟ ନେଉଚି । ସମସ୍ତେ ତାଙ୍କର ବୟସକୁ ହିସାବ କରି ମୋଟା କରିବାରେ ଲାଗିଛନ୍ତି । ଆମାଶୟ ସ୍ୱପ୍ନ କମି କମି ଆସୁଛି । ସଂସାରର କଠୋର ଆଘାତ ତାହାର ଦାଗ ଦେଇ ଚାଲି ଯାଇଛି । ତଥାପି ବର୍ଷକରେ ଦିନେ, ବର୍ଷର ଶେଷ ଦିନଟିରେ ଏକାଠି ହେବା ପାଇଁ ପରସ୍ପରକୁ ଖୋଜନ୍ତି ।

 

ବର୍ଷେ ବର୍ଷେ ଚାରିଜଣରୁ ଦିଜଣ ହୋଇ ଯାନ୍ତି । ଜୀବିକା ନେଇ ବାହାରେ ଥିବାରୁ ଗୋଟିଏ ଦୁଇଟି ପ୍ରାୟ ମିଳନ୍ତି ନାହିଁ । ସେ ଦିନଟିରେ ନଥିବା ଲୋକଟି ଖୋଜାପଡ଼େ । ଦୂରରେ ଥାଇ ହୁଏତ ମନେପକାଉ ଥାଏ । ଥିବା ଲୋକେ ସେ ଆଘାତଟିକୁ କଅଁଳ ଆଉଁସା ଦେଇ ମନେ ମନେ ଭାବନ୍ତି, ସଂସାରଟା ଏକିତିକା ନିଷ୍ଠୁର । ଯେଉଁ ଆମୋଦ ପ୍ରମୋଦରେ କାହାରି ବି କ୍ଷତି ନାଇଁ, ସେଥିରେ ବି ବାଧା ଆସେ କେଜାଣି କେତେ– ?

 

କେତେ ପରିବର୍ତ୍ତନ ହୋଇଗଲାଣି । ଚାରୋଟି ଭିତରୁ ତିନିଜଣ ଖସି ଗଲେଣି, ବିବାହ ଭିତର ସଂସାର ଭିତରକୁ ଗୋଟାଏ ଲେଖାଏଁ ସ୍ତ୍ରୀ ଆସି ଘର ସଜାଇଛନ୍ତି । ଯୋଡ଼ିଏ ପିଲା-ପୁଅଟିଏ ଝିଅଟିଏ । ଝିଅ ବଡ଼ ଓ ପୁଅ ଛୋଟ । କେଡ଼େ ସମାନ ସବୁ ବିଷୟରେ ଯେପରି ।

 

ଦେଖା ହେଲେ, ସେହି ପରିବାରର ସମସ୍ୟା କଥା । ଆଉ ଦେଶର କଥା ନାଇ । ଭବିଷ୍ୟତର କଳ୍ପନା ନାଇଁ । ସୂର୍ଯ୍ୟ ମୁଣ୍ଡ ଉପରୁ ଗଡ଼ି ଆସିଲେଣି ପଶ୍ଚିମ ଦିଗକୁ । ସ୍ତ୍ରୀ ଗୁଡ଼ିକ ମଧ୍ୟ ବଦଳିବା ଆରମ୍ଭ କଲେଣି । କଳ୍ପନାର, ସୌନ୍ଦର୍ଯ୍ୟର ଆବରଣଟି ଭାଙ୍ଗି ଯାଇ ତାହା ଭିତରୁ ସଂସାରୀର କଠୋର ରୂପଟିଏ ତାହାର ନୂଆ ସୁନ୍ଦରିମା ନେଇ ବାହାରି ଆସୁଚି ସ୍ତ୍ରୀମାନଙ୍କ ଠାରୁ ।

 

କେବେ ଏମିତି ବର୍ଷର ବିଦାୟ ଉତ୍ସବ କରିବାକୁ ସ୍ତ୍ରୀଙ୍କର ଅନୁମତି ନେଇ ଆସିବାକୁ ପଡ଼ିଥିଲା । ସେଇଟା ଥିଲା ପ୍ରେମର, ଦାମ୍ପତ୍ୟର ବାଧା । ଏଣିକି ଆସିଲାବେଳେ ବାଧା ହୁଏ ନିଜ ନିଜର ତିଆରି ସଂସାର । ଘରର ହାନିଲାଭ, ନହେଲେ ପିଲାଙ୍କର ଦେହମୁଣ୍ଡ ।

 

ତେବେ ବି ଏକାଠି ହୁଅନ୍ତି । ପରସ୍ପର ଭିତରେ ହେଉଥିବା ଛୋଟ ବଡ଼ ଦ୍ୱନ୍ଦ ଓ ବିରୋଧକୁ ଏକାଠି କରି ଆଉଟନ୍ତି । ପୁଣି ଥରେ ପ୍ରତିଜ୍ଞା କରନ୍ତି, ଏଇଠି ଶେଷ ହେଉ ।

 

ସଂସାର କଟାଳ କରେ । ବଳୁଆ ବଢ଼ିଆଳ ହୋଇ ବଞ୍ଚିବାକୁ ହେଲେ ଠେଲାପେଲା ହେବା ଦରକାର । କିଶୋର ଟିକିଏ ମାରଣା—ହିସାବରେ ଦେଖାଯାଏ ଯେ, ସେ ଟିକିଏ ବେଶି ଭୁସାଭୁସି କରିଚି । କେଉଁଥିରେ କୈଫିୟିତ ଦିଏ, ଆଉ କେବେ ଅବା ଲଜ୍ଜିତ ହୁଏ । କିନ୍ତୁ ଫେରିଗଲା ବେଳେ ସମସ୍ତଙ୍କର ମନ ହାଲୁକା । ପୁରୁଣା ବର୍ଷର ବିଦାୟ ଉତ୍ସବ ହୋଇ ପାରିଲା ।

 

ବୟସର, ଅବସ୍ଥାର, ଘଟଣାର ସ୍ରୋତ ଯେଉଁ ବାଧା ଆଣି ଠିଆ କରେଇଥିଲା, ଯେମିତି ତା’କୁ ସେହି ପୁରୁଣା ଦିନର ଚାରୋଟି ବନ୍ଧୁ ଏକାଥରକେ ଡେଇଁ ପଡ଼ିଛନ୍ତି । ପିଲାଦିନର ସେହି କଅଁଳି, ସ୍ୱଭାବଜ ବନ୍ଧୁତା ପୁଣି ଥରେ ସଭିଙ୍କୁ ଏକାଠି କରିଦେଇଛି । ବର୍ଷକର କଳ୍ମଷ ଧୋଇ ପୋଛି ଦେଇଛି ।

 

ବର୍ଷଟିଏ ବଡ଼ ଖରାପ ଚାଲିଲା । ସେଥିର ଯୋଡ଼ିଏ ବନ୍ଧୁ ଦେଶାନ୍ତର ହେଲେଣି ପେଟ ପାଇଁ ଓ ପରିବାର ପାଇଁ । ଯୋଡ଼ିଏ ରହିଥାନ୍ତି କଟକରେ । ଆଉ ଏକାଠି ଚାଲିବାର ସୁବିଧା ନାଇଁ-। ଏଇ ଦୁହିଁଙ୍କର ଦୁଇପ୍ରକାର ବାହନ ହେଲାଣି । ଗୌରୀଶଙ୍କର ପାର୍କରେ ବସିବାର ଅବକାଶ ନାହିଁ-। ପାଇଟି ବଳେଇଲାଣି । ଦେଖାଚାହାଁ କମିଚି । କାରଣ ପରସ୍ପର ପ୍ରତି ଅଭିଯୋଗର ସଂଖ୍ୟା ବଢ଼ିଚି । ଭୁଷାଭୁଷି ଅଧିକରୁ ଅଧିକ ହୋଇଚି ।

 

ବର୍ଷ ସରି ଆସିଲା । ତାହେଲେ ଆଉ ସେହି ପରିଚିତ ବିଦାୟ ଉତ୍ସବ ଆଉ ଏକାଠି ପାଳି ହେବ ନାଇ । ଶ୍ରୀନାଥ ଓ ବିହାରି ଆସିଥାନ୍ତି ଛୁଟିରେ । ପିଲାମାନେ ଗାଁରେ ରହିବେ । ସେମାନେ ଏକା ଏକା ବିଦେଶ କରିବେ । ପିଲାଙ୍କର ପଢ଼ାର ଯତ୍ନ ହୋଇ ପାରୁନାଇଁ ।

 

ଏକାଠି ହୋଇ ସ୍ୱାମୀ ସ୍ତ୍ରୀ ହୋଇଥିଲେ ଏକାଠି ରହିବେ ବୋଲି । ସେତକ ମଧ୍ୟ ସମ୍ଭବ ହେଲା ନାଇଁ । ପରସ୍ପର ସୁଖ ଦୁଃଖରେ ବାନ୍ଧି ହୋଇ ଏକାଠି ହସିବେ ଓ କାନ୍ଦିବେ ବୋଲି ମନେ ମନେ ଓ ଜଣାଶୁଣାରେ କେତେଥର କୁହାକୁହି ନ ହୋଇଥିଲେ ? ଦେହ ପରସ୍ପର ପାଖରେ ରହିଲା-। କିନ୍ତୁ ମନଟା ଯେମିତି ଛିଟିକି ପଡ଼େ ବହୁତଦୂରକୁ । ପିଲାପିଲି ହୁଅନ୍ତି—ହେଲେ ଏକାଠି ତାଙ୍କୁ ପାଳି ଲାଳି ସୁଖଦୁଃଖରେ ନିଜକୁ ମିଶେଇ ଦେଲେ । ତଥାପି ଆପଣା ଭିତରେ କଳି ଲାଗେ-। ଘରୋଇ ଖେଞ୍ଚା ଖେଞ୍ଚି ହୁଏ । ଠେଲାପେଲାରେ ଥରକୁ ଥର ଅଲଗା ହେଲେ—ପୁଣି ଏକାଠି ହେବାକୁ ପଡ଼ିଲା । କେତେ ଅଭିଯୋଗ—ଉଭୟେ ମନେକରନ୍ତି ଆରକ ଦୋଷୀ ।

 

ବାସ୍ତବତା ସ୍ୱପ୍ନକୁ ମାରି ଦେଇଚି । ଆହା, ଆଉ ତ ସେ କଅଁଳିବ ନାଇଁ । କେତେବର୍ଷ ତଳେ ଭାବୁଥିଲେ ଏକାଠି ହୋଇ ଦେଶକଥା । ନିଜକୁ ମାରି ଦେଶର ଉନ୍ନତି କରାଇବେ । ଏବେ ଏକାଠି ହେଲେ ତାଙ୍କର ଆଲୋଚନା ଯେ ଦେଶ ତାଙ୍କ କଥା ଭଲ ବୁଝୁନାହିଁ । ନିଜ ଗଢ଼ା ପରିବାରକୁ ନିଜର ପିଲାପିଚିକାଙ୍କୁ ନିଜର ରୁଚି ଅନୁସାରେ ସ୍ୱଚ୍ଛନ୍ଦରେ ଚଳାଇ ପାରୁନାହାନ୍ତି । ପ୍ରକାର ଦେଶ ରହିବା ନ ରହିବା ସମାନ ।

 

ନିଜର ସ୍ୱପ୍ନ ଓ କଳ୍ପନା ଭାତହାଣ୍ଡିରେ ସିଝି ମରିଯାଇଚି। ନିଜେ ବି ମଲେଣି—ଖାଲି ପିଲାମାନଙ୍କ ଭିତରେ ଯାହା ପୁନର୍ଜନ୍ମ ପାଇଛନ୍ତି । ପୁରୁଣା ମୋହନ, କିଶୋର, ବିହାରି ଓ ଶ୍ରୀନାଥ ଭେଟା ଭେଟି ହେଲେ ଖାଲି ମନେ ପଡ଼େ ସିନା ବନ୍ଧୁଥିଲେ ବୋଲି । କିନ୍ତୁ ଆଉ ଅନୁଭୂତି ଭିତରେ ଧରାଦେବାକୁ ଯେପରି ସେହି ପୁରୁଣା ବନ୍ଧୁତା ନାହିଁ କରି ଦିଏ ।

 

ଗୋଟିଏ ପ୍ରକାରର ଓ ଗୋଟିଏ ଅଭିଯୋଗ । କେହି କାହାରିକୁ ବୁଝିଲେ ନାଇଁ । ସ୍ୱାମୀ ସ୍ତ୍ରୀ ଭିତରେ ହେଲା ନାହିଁ । ବାପ ପୁଅ ଭିତରେ ହୋଇ ପାରୁନାଇଁ । ତଥାପି ମନଭିତରେ କୋହ ଉଠେ ଯେ ବନ୍ଧୁ ଭିତରେ କାହିଁକି ବୁଝାବୁଝି ଭଲ ହେଲାନାଇଁ ।

 

ଯେତେବେଳେ ଚାରିଜଣ ଯୁବକଙ୍କ ଉପରେ ବୟସର ଜୁଆର ମାଡ଼ିଯାଇ ଖାର, ମାଟି, ଅଳିଆ କୁଢ଼େଇ ଦେଇ ଯାଇଚି ନିଜର ଧାରା ଅନୁସାରେ । ତାହାହେଲେ ଏକାଠି ନ ହେବା କାହିଁକି-? —ଟିକିଏ ଭଲ ଲାଗିବତ—

 

ଗୋଟିଏ ବର୍ଷର ଶେଷ ଦିନ । ଏକାଠି ନ ହେବାର କଥା । କାରଣ, ମନ ଫାଟିଫୁଟି ଯାଇଚି । ନିଜର ଲକ୍ଷ ଭାବନା ସତେ ଯେମିତି ନିଜ ନିଜ ଭିତରେ ବନ୍ଦୀ ହୋଇ ରହିଚି ଓ ନିଜର ଆଶା ଆକାଂକ୍ଷା ବାୟୁମଣ୍ଡଳ ପରି ନିଜକୁ ଘେରି ରହିଚି । ପରିବାର, ଭୂମିବୃତ୍ତି ଓ ଭବିଷ୍ୟତ ଚିନ୍ତା ଚାରିଆଡ଼ୁ ମାଡ଼ି ବସୁଚନ୍ତି । ତଥାପି ଅନେକ ଦିନ ପରେ ପୁଣି କଟକରେ ଏକାଠି ହେଇଚନ୍ତି ।

 

ଦେହ ବୁଢ଼ା ହେଇଯାଇଚି । ଚମ ମରି ଆସିଲାଣି । ଭିତରେ ହୃଦୟ ଯେମିତି ଚିପି ହେଇ ଅମୁହାଁ ହେଉଚି । ମରିଯିବ ବୋଧହୁଏ ।

 

ବୈଠକ ହେଲା—ମୋହନର ସ୍ତ୍ରୀ’ ଦେହ ଭଲ ନାଇଁ । ଡାକ୍ତର ଆସିବେ ଆଠଟାରେ । ବିହାରିର ବଜାର ସଉଦା ବହୁତ ଅଛି । ରାତି ନ’ଟା ଆଗରୁ ଶେଷ ନକଲେ ବଜାର ପଡ଼ି ଯିବ । ତହିଁଆରଦିନ ରବିବାର—କଟକ ବଜାର ବନ୍ଦ । ଶ୍ରୀନାଥ ଓ କିଶୋରଙ୍କର କାମ ନାଇଁ ସତ, କିନ୍ତୁ ଆଉ ଏକାଠି ରୁଣ୍ଡେଇ ହୋଇ ପିଲାଙ୍କ ପରି ହେବାକୁ ଯେମିତି ନାରାଜ ।

 

ଏକାଠି ହେଲେ ବି ଆଉ ସେହି ପୁରୁଣା ସତେଜ ମନ ନାହିଁ । ଗପରେ ଆଉ ଉଗ୍ରତା ନାହିଁ । ପାଖ ରେଡ଼ିଓ ଖବର କହୁଛି—ଶ୍ରୀନାଥ କହିଲା ‘ଓଃ, କିଏ କେତେ କ’ଣ ହୋଇଗଲେଣି । ଭାରତ ସ୍ୱାଧୀନ ନୁହେଁ ଯେ, ମୂର୍ଖ ଓ ଠକ ସ୍ୱାଧୀନତା ପାଇଚନ୍ତି ବଡ଼ ହେବାକୁ ।’

 

ଘଡ଼ିକୁ ଚାହିଁ ମୋହନ ବ୍ୟସ୍ତ ହୋଇଉଠିଲା । ବିଲାତ ଫେରନ୍ତା ଡାକ୍ତର ଆସିବେ ଘଡ଼ି ଦେଖି—ଆଠଟା ବାଜିବାକୁ ଆସି ହେଲା । ବୋଧହୁଏ ଆସିଯିବେ—ମୋହନ ଘରେ ରହିବା ଉଚିତ୍ ।

 

ଇସ୍—ସମୟର ଜ୍ଞାନ ବି ଏଡ଼େ ଉତ୍କଟ । ଆଗେ କେବେ ହାତର ଘଡ଼ି ମନର ଦରଦ ପାଖରେ ଜିଣି ନଥିଲା । ଏହି ବନ୍ଧୁମାନେ କେବେ ଘଡ଼ି, କାଲେଣ୍ଡର ଦେଖି ସମୟ କଟାଇ ନଥିଲେ-। ବିହାରି ବି ବ୍ୟସ୍ତ ହେଲା—ବଜାର କରିବାକୁ । ସ୍ତ୍ରୀ ଦେଇଚି ଗୋଟିଏ ଲମ୍ବା ତାଲିକା—

 

‘ଚାଲ ଉଠିବା’—ରେଡ଼ିଓରେ ଖବର କହିବା ପରେ ଗୋଟିଏ ଗୀତ ଚାଲିଚି । ‘ଯୌବନ ମନ୍ଦିରା ସରିଆସେ ମୋର—ସରି ଆସେ ଯୌବନ ମଦିରା’ । ସ୍ତ୍ରୀର କଣ୍ଠସ୍ୱର—ସତେ କି ନିଜର ଅନୁଭୂତି ସେ, ଅଜାଡ଼ି ପଡ଼ିଯାଇଚି ଗୀତ ଉପରେ । ବନ୍ଧୁ ଚାରୋଟିଙ୍କର ମଧ୍ୟ ସେଇଆ ହୋଇଛି ।

☆☆☆

 

ମୂକ

 

ସୂର୍ଯ୍ୟ ବୁଡ଼ି ଯାଉଥିଲେ । ପଶ୍ଚିମରେ ତାଙ୍କର ଅରୁଣିମା ଲିଭି ନ ଥିଲା । ବିଦାୟ ବେଳର ହସପରି ତାଙ୍କରି ପଛରେ ଲାଗି ରହିଥିଲା ଆକାଶରେ । ଧୂଳି ଓ କୁହୁଡ଼ିରେ ଆକାଶଟା ଫିକା ଦିଶୁଛି । କେଇଟି ବଡ଼ ଝଙ୍କାଳିଆ ଗଛ ନେଳିଆ ଅନ୍ତରାୟପରି ଗୋଲାପି ସୂର୍ଯ୍ୟାସ୍ତ ଆଗରେ ଠିଆ ହେଇଥିଲା ।

ବିନୋଦ ବାବୁ ଅଫିସରୁ ସେ ଦିନ ସଅଳ ଫେରି ଆସିଛନ୍ତି । ତାଙ୍କର ଦେହଟା ଥକି ପଡ଼ିଛି । ମୁହଁରେ ଆନନ୍ଦର ରେଖା ଦିଶି ଯାଉଛି । ମନ ଭିତରଟା ସେହି ପଶ୍ଚିମ ଆକାଶରେ ଧୂଳିଆ ଓ କୁହୁଡ଼ିଆ । ସାନଭାଇର ପାଟି ଶୁଭିଲା ଦୂରରୁ—ଭାଇ, ଭାଇ, ହେଇ ଦେଖ, ଗୋଟିଏ କୁକୁର ଛୁଆ ନେଇଆସିଛି ମୋର ଜଣେ ଚିହ୍ନାଲୋକଠୁଁ ।

ବିନୋଦବାବୁଙ୍କ ଚିନ୍ତାରେ ଉପରର ନୀଳ ଆକାଶ ପରି ଗୋଟିଏ ନେଳିଆ ଅନ୍ତରାୟ ଆସି ଠିଆ ହୋଇଗଲା । ଛୁଆ କୁକୁର ଗୋଟିଏ ଅତିଥି ହୋଇ ଆସିଲାଣି—ଖାଇପିଇ ସେ ବଢ଼ିବ ମାଡ଼ଗାଳି ଭିତରଦେଇ ।

ଚାରିଗୋଡ଼ିଆ ପଶୁଟିଏ ଆସି ପହଞ୍ଚିଲା । ଆଖି ଦୁଇଟି ଫିକା କଳା; ସେଥିରେ ପୁଣି କେତେ ପ୍ରଶ୍ନ, କେତେ କୌତୁହଳ । ଅଖାର ଝୁଲାମୁଣି ଭିତରେ ଦେଢ଼ମାଇଲ ସାଇକେଲରେ ବସି ସେ ତାହାର ମା ପାଖରୁ ଗୋଟିଏ ଅଚିହ୍ନା ଖାଉଦ ଘରକୁ ଆସିଛି । ଆସିଲାବେଳେ ମା’ଠୁ ଶେଷଥର ଦୁଧ ଖାଇଥିଲା; ଭୋକ ଲାଗୁନାହିଁ । ମୁଣି ଭିତରେ ଦେହକୁ ଉଷୁମକରି ଆସିଥିଲା । ସେଥିପାଇଁ ବୋଧହୁଏ ମା’କୁ ମନେରଖି ନାହିଁ ।

 

‘ଆରେ—କାହିଁକି ଆଣିଲ ଏଟିକୁ ? ଆମଘରେ ଯତ୍ନ ହୋଇପାରୁ ନାହିଁ କୁକୁରଙ୍କର । ଯେଉଁଟି ଆସିଲା, ଅଯତ୍ନରେ ଶୀଘ୍ର ତାହାର ପରମାୟୁ ଶେଷକରି ଚାଲିଗଲା । କେଉଁ ସଉକଥିବାବାଲା ଘରେ ପଡ଼ିଥିଲେ ଖୁସିରେ ବର୍ଷକେତେ ରହନ୍ତା ।’

 

ସାନଭାଇ କହିଲା ‘ନାଇ’—ଏଇଟି ଭଲ । ପୁରା ବିଲାତି ନୁହେଁ । ପଖାଳ, ଡାଲି, ଶୁଖୁଆ, ମାଛକାତି ସବୁ ଖାଇବ—ଠିକ୍ ବୁଲାକୁକୁରଙ୍କ ପରି । ସେମାନେ କଣ ମରନ୍ତି ? .....ୟା’ ନାଁ କଣ ଦେବା—ଜେଲି, ଜେନ୍, କୁତୀ, ଜୁନ୍ ? କଣ ଦେବା ?

 

ନାଁ କଣ ଦିଆହେବ ବୋଲି ଘରଯାକର ସମସ୍ତେ ଛୁଆଟିକୁ ଥରକୁ ଟାଣିଆଣି ତାହାର ମୁହଁକୁ ଗୋଡ଼କୁ ପରୀକ୍ଷା କରୁଥାନ୍ତି । ଖବରକାଗଜରେ ବାହାରିଛି ଜଣେ ମେମ୍ ର ଛବି । ନାଁ ତାହାର ଜୁନ୍ । ନୂଆ ଛୁଆଟି ନାଁ ‘ଯୁନ୍’ ରଖିଲେ ହେବ କି ନାହିଁ ବିଚାର ଚାଲିଯାଏ । ଆଉ ଛୁଆଟି ଜଣକର କୋଳରୁ ଆଉ ଜଣକର କୋଳକୁ ଚାଲିଯାଏ । ହାତ ପାପୁଲିରେ ବସା ହୋଇ ଦେଖା ହେଉଥାଏ । ଖୁଜବୁଜ୍ ନାହିଁ, ଅସ୍ତବ୍ୟସ୍ତ ନାହିଁ, କଥା ନାହିଁ, ହସ ନାହିଁ—ସେ ମୂକ ।

 

ମଣିଷ ମୂକ ହୋଇଥିଲେ କି ହୋଇଗଲେ ତାକୁ ଅଦରକାରୀ ବୋଲି ସମସ୍ତେ ଫୋପାଡ଼ି ଦିଅନ୍ତି । ଖାଲି ନିଜର ମା’ ସେତକ କରେ ନାହିଁ । ଏହି ମୂକ ପଶୁଟିକୁ ତାହାର ମା’ ଯେମିତି ଆଦର କରିଥିଲା ଆଉ ପାଞ୍ଚଜଣ ନୂଆ ମଣିଷ ବି ସେମିତି ଆଦର କରିବାକୁ ଖୋଜୁଥିଲେ-। କାରଣ କୁକୁର ଦରକାରରେ ଲାଗେ—ମୂକ କାହାରି ଦରକାରରେ ଲାଗିବ ନାହିଁ-। ମୂକ ମଣିଷଠାରୁ ପଶୁର ବେଶି ପ୍ରୟୋଜନ ଏହି ସଂସାରରେ ।

 

‘ଯନ୍‌’ର ଗୋଡ଼ହାତ ପରୀକ୍ଷା କରାହେଲା । ନଖ ଗୁଡ଼ାକ ଧଳା—ପଞ୍ଝାଟା ଖଇରା ରଙ୍ଗ । ଦେହ ଫିକା କଳା—ମୁହଁଟା ଖଇରା—ନାକ ଅଗ କଳା । ମୁଣ୍ଡରେ ଟିକିଏ ଧଳା ଚାନ୍ଦ । ମୋଟା ମୋଟି ଦେଖିବାକୁ ଗଲେ ଗୋଟାଏ ବିଲୁଆ ପରି । ହଉ, ‘ଖୁବ୍ ଭଲ ହୋଇଛି’ । ମଣିଷ ନିଜର ସ୍ତ୍ରୀ କି ଅପରର ସ୍ତ୍ରୀର ସୌନ୍ଦର୍ଯ୍ୟ ବାଛି ଟିପ୍‍ପଣୀ କାଟିଲା ବେଳେ ଏଇ ତିନି ପଦ ‘ଖୁବ୍ ଭଲ ହୋଇଛି’ କହିବାକୁ ସାହସ କରେ ନାହିଁ । କାରଣ ମଣିଷର ଶତ୍ରୁ ପଶୁ ନୁହେଁ—ସେହି ମଣିଷ-

 

ବିଭାଘର ପରେ ଝିଅ ବାପଘରୁ ଶାଶୁଘରକୁ ବୋହୂ ହୋଇଆସିଲା ବେଳେ ଯେମିତି କେଇଦିନ ପାଇଁ ଗୋଟାଏ ଧୁମଧାମ୍ ଲାଗେ, ସମସ୍ତେ ଯୁନ୍ ପାଇଁ ଠିକ୍ ସେମିତି । ସମସ୍ତେ ଦେଖିବେ, ଧରିବେ, ଖେଳାଇବେ । ଓଡ଼ିଆରେ କଥା କହିବେ, ସର୍କସ ଶିଖାଇବେ । ଏହା ବାଦ୍ ଭୋକ ଶୋଷର ଉତ୍ପାତ ରହିଛି ।

 

‘ଯୁନ୍’ ତାହାର ମା’କୁ ତିନିଦିନରେ ଭୁଲିଗଲା । ଘରର ଲୋକଙ୍କ ଗୋଡ଼େ ଗୋଡ଼େ ଛୁଟିଥାଏ । ଲୁଗା ଫେରକୁ ତାହାର ମୁନିଆ ଦାନ୍ତରେ ଟାଣେ—ମା’ର ଲାଙ୍ଗୁଡ଼ଟାକୁ ଦିନକୁ ତିନି ଚାରିଘଣ୍ଟା ସେ ଧରି ଭିଡ଼ୁଥାଏ । ଏଠି ସେତକ ନ ପାଇ ଲୋକଙ୍କର ଲୁଗା, କୁଅ ଦଉଡ଼ି ଆଦି ବସି କାମୁଡ଼ୁ ଥାଏ ।

 

ନୂଆବୋହୂ ଆଦର ଯତ୍ନ ପାଇଲା ପରି ‘ଯୁନ୍’ ଭାରି ଗେହ୍ଲେଇ ହୋଇଥାଏ । ସମସ୍ତେ ତାହା କଥା ପଚାରନ୍ତି । ତା’କୁ ଗେହ୍ଲାକରି ଆଉଁସନ୍ତି । କୋଳର ଉଷୁମ ବଦଳରେ ଅଖାଦିଆ ବାକ୍ସ ଯୁନ୍‍କୁ ବାରଅଣା ଚଉଦ ଅଣା ଠକାଏ ।

 

ଯୁନ୍ ତାହାର ନୂଆଘରକୁ ଚିହ୍ନିଗଲା । ସେଠି କେତେ ବଖରା ଘର ଅଛି, କେତେ ମଣିଷ ଅଛନ୍ତି, ସବୁକୁ ତାଲିକା ଯେମିତି ମନେ ରଖିଗଲା ।

 

ବଡ଼ ସୁନ୍ଦର ଦିଶେ । ସହରର ଏ ପାଖ ସେ ପାଖ ଥିବା ଦୋମହଲା, ତିନି ମହଲା ଘରପାଖରେ ‘ଯୁନ୍’ ଖାଉନ୍ଦର ଏକମହଲା ଘର । ସେହି ଘରର ଉଚ୍ଚତା ପାଖରେ ମଣିଷଗୁଡ଼ିକ ବି କେମିତି ଗୋଟାଏ ସାମଞ୍ଜସ୍ୟ ରଖି ଚଳପ୍ରଚଳିତ ହୁଅନ୍ତି । ସେହି ମଣିଷଙ୍କ ପାଖରେ ‘ଯୁନ୍’ ବୁଲୁଥାଏ । ଲୋକଙ୍କର ପିନ୍ଧା ଜୋତାଠାରୁ ଟିକିଏ ଉଚ୍ଚ । ବେଶ୍ ମାନେ—ଠିକ୍ ଉପରୁ ତଳକୁ ଯେମିତି ସବୁକଥା ଗଡ଼ିଆସେ ସଂସାରରେ ।

 

ଘର ଭିତରୁ କେହି ବାହାରିଲେ ଯୁନ୍ ପଛେ ପଛେ ଚାଲେ । ପାଟି ହୁଏ, ‘ହେଇ, ଯୁନ୍‍କୁ ରଖ ।’ ଏଡ଼େ ବକଟେ ହୋଇ ଖାଲି ଗୋଡ଼ ପାଖେ ନସରପସର ହେଉଛି । କୁଦି ହୋଇଯିବ । ତାହାର ପାଟି ନାହିଁ ଯେ ସେ କହିଦେବ ସେ କେଉଁଠି ବସି ତାହାର ଗୋଡ଼କୁ କାମୁଡ଼ୁଛି କି ଠିଆ ହୋଇଛି ।’

 

ଯୁନ୍‍କୁ ଡକା ପଡ଼େ । ସ ତାହାର ନାଁ ଜାଣିଲାଣି । କିଏ ଡାକୁଛି ବୁଝି ଚାଲିଆସେ । କାନମୋଡ଼ା ଖାଏ—ଏମିତି ଅସାବଧାନ ହେଉଯାଉଥିବାରୁ । ସେ କେତେବେଳେ ଲାଙ୍ଗୁଡ଼ ଜାକି, କେତେବେଳେ ଲାଙ୍ଗୁଡ଼ ହଲେଇ, କେତେବେଳେ କପାଳର ଚମକୁ କୁଞ୍ଚାଇ ବୁଝିବାକୁ ଚେଷ୍ଟା କରେ-। ସେଇଆ ତାହାର ପ୍ରଶ୍ନ ଓ ଉତ୍ତର ।

 

ଅଫିସରେ ବିନୋଦବାବୁଙ୍କର ବର୍ଷିକିଆ ହାକିମଙ୍କ ମନ୍ତବ୍ୟ ଯେମିତି ପାଟି ନ କରି, ମାଡ଼ଗୋଳ ନ କରି ଧୀରେ ଶିଖେଇ ଦେଇଯାଏ—ବାଟ କେଉଁଆଡ଼େ, ଆଉ ସେ ବାଟରେ କ’ଣ ବିପଦ ଆପଦ ରହିଛି । ବିନୋଦ ବାବୁ ସେଥିରୁ ବାରଖଣ୍ଡ ସମ୍ପାଦିଲେଣି ଯତ୍ନ କରି—ସେଥିରେ ବଡ଼ ହାକିମ କହିଛନ୍ତି ବିନୋଦ ବାବୁ କାମିକା, ବିନୋଦବାବୁ ହୁଣ୍ଡା, ବିନୋଦ ବାବୁ ପଛବୁଧିଆ, ଆଉ ବିନୋଦ ବାବୁ ଶାନ୍ତିପ୍ରିୟ ।

 

ଯେମିତି ଯୁନ୍ ଘରର ବିଭିନ୍ନ ହାକିମଙ୍କ ସାର୍ଟିଫିକେଟ ନେଇ ନିଜର ଯୋଗ୍ୟତା ବିଷୟରେ ବୋଧହୁଏ ସାବଧାନ ହୁଏ । କାରଣ ଏହିପରି ଶାସ୍ତିଆଦି ପାଇସାରିଲା ପରେ ସେ ଯାଇ ଗୋଟାଏ କଣରେ ଶୁଏ ।

 

ସେଇ ଘରେ ରହି ଯୁନ୍ ଟିକିଏ ପାରିଗଲା । ଏକା ଏକା ଗାଈପାଖକୁ ଭରସିପାରେ । କୁକୁଡ଼ାମାନେ ତା’କୁ ଡରନ୍ତି । ଅଚିହ୍ନା ଲୋକର ପାଞ୍ଚ ହାତ ଦୂର ଯାଏ ଆସିପାରେ । ଆଉ ଘର ଲୋକ ଖାଇଲାବେଳେ ଥାଳିଠାରୁ ହାତେ ଦୂରରେ ମାପିଲା ପରି ହୋଇ ବସିପାରେ ।

 

କେଇଦିନ ଆଗେ ସୂର୍ଯ୍ୟ ବୁଡ଼ିଲାବେଳେ ସେ ତାହାର ମା’ ପାଖରୁ ମେଲାଣି ହେଇ ଆସିଥିଲା । ସେ କଥା ଭୁଲି ଯାଇଛି । ମଣଷ କହେ ଯେ ପଶୁ ବୋଲି ତାହାର ଭୁଲିବା ସମ୍ଭବ ।

 

ବିନୋଦବାବୁ ଅଫିସରୁ ଫେରନ୍ତି ସେହି ସୂର୍ଯ୍ୟାସ୍ତ ପରେ । ଯୁନ୍ ତାଙ୍କୁ ଅପେକ୍ଷା କରି ରହିଥାଏ—ସେ ଖାଇଲାବେଳେ ତା’କୁ ଖଣ୍ଡେ କ’ଣ ମିଳିବ ବୋଲି ! ଘରର ମଣିଷ ପରି ସେ କେତେ କଥା ଖାଇଲାଣି । ପଖାଳ, ପିଠା, ଖେଚୁଡ଼ି, ହବିଷ ଅରୁଆ, କେକ୍, ଲେମ୍ବୁ ଆଦି ସବୁ ପ୍ରକାରର ପଦାର୍ଥ । ଖାଲି ନଡ଼ିଆ, ପଣସ, ସପୁରୀ, କଇଥ ଆଦି କେଇଟି ଜିନିଷ ସୁଖ ପାଏ ନାହିଁ ବୋଲି ବିନୋଦ ବାବୁଙ୍କର ଦୁଃଖ ।

 

ସ୍ତ୍ରୀଙ୍କ ଉପରେ ରାଗ ଯେ ସେ ଚିଙ୍ଗୁଡ଼ି ମାଛ, କଙ୍କଡ଼ା, ହରିଣ ମାଂସ ଖାଆନ୍ତି ନାହିଁ । ସେଥିପାଇଁ ତାଙ୍କର ଯେତେବେଳେ ଦେହ କିଛି ଖରାପ ହୁଏ ବିନୋଦ ବାବୁ ଚେତେଇ ଦେବାକୁ ବୋଲନ୍ତି ନାହିଁ ।

 

ଏବେ ଯୁନ୍ କୁ ଦେଖାଇ ଉଲୁଗୁଣା ଦିଅନ୍ତି ‘ତମେ ଯେମିତି କେଇଟି ଜିନିଷ ବାଛି କରି ଖାଉଛ—ଏବେ ଆମ ଯୁନ୍ ସେହି ସେତକ ତମଠାରୁ ଶିଖିଲାଣି ।’....ଯୁନ୍ ଘାସ ଖାଉଛି ଗାଈଙ୍କ ପରି; କିନ୍ତୁ ମଣିଷ ପରି ନଡ଼ିଆ ସପୁରୀ ଖାଇବାକୁ ରାଜି ନାହିଁ । .... ଏ ଘରେ କେହି ଆମକୁ ମୁରବୀ ତଳେ ରଖିବେ ନାହିଁ ଏଥର ।

 

ଯୁନ୍ କଥା କହେ ନାହିଁ । ଶୁଙ୍ଘିଦେଇ ଚାଲିଯାଏ । ସ୍ତ୍ରୀ କିନ୍ତୁ ତାଙ୍କର କଡ଼ା ଉତ୍ତର ଶୁଣେଇ ଦିଅନ୍ତି । ବିନୋଦ କହନ୍ତି ‘ଆହେ, ଗୋଟିଏ କଥା କହିବି—ଖରାପ ଭାବିବ ନାହିଁ । ଏଇ କୁକୁର ମୋ’ ଇଚ୍ଛା ଅନୁସାରେ ଖାଇଲା ନାହିଁ, ମୁଁ ପଦେ କହି ତୁନି ପଡ଼ିଲି । କଥା ସେଇଠି ସଇଲା .....ଆଉ ତମେ କଥା ଉପରେ କଥା କହିବାରୁ କ’ଣ ଲାଭ ହେଉଛି ଜାଣ ? ପଡ଼ିଶା ଅଡ଼ିଶାରେ ଲୋକେ କହିବେ ସେଠି ଦି’ଜଣଙ୍କର ପଡ଼ୁନାହିଁ । ଜଣଙ୍କ ମୁହଁ ପୂର୍ବକୁ ଆଉ ଜଣଙ୍କ ମୁହଁ ପଶ୍ଚିମକୁ ।

 

ସ୍ତ୍ରୀ ଗୋଇଠାଏ ଦେଇ ଦିଅନ୍ତ ଯୁନ୍‍କୁ । ଯୁନ୍ ଚମକି ପଡ଼େ । ଥରେ ‘କେଁ’ ତାହାର ପାଟିରୁ ବାହାରି ଯାଏ । ଟିକିଏ ଘୁଞ୍ଚିଯାଏ ଅନ୍ୟ ପାଖକୁ ବିନୋଦ ବାବୁଙ୍କର ।

 

ବିନୋଦ ବାବୁ ଜଳଖିଆ ଖଣ୍ଡେ ଯୁନ୍ ଆଡ଼କୁ ଫୋପାଡ଼ି ଦେଇ ଗୁଣୁ ଗୁଣୁ ହୋଇ କହନ୍ତି ‘ବୁଝିଲ ଯୁନ୍—ସଂସାରରେ ଯେ ମୂକ ହୋଇ ରହେ ଓ ସହେ ସେ ସମସ୍ତଙ୍କଠାରୁ ଏମିତି ଗୋଇଠା ଖାଏ । ମୁଁ ଅଫିସରେ ବହୁତ ଖାଇଲିଣି ଓ ଖାଉଛି । ମୋ’ଠାରୁ ଊଣା ଶିକ୍ଷିତ ଲୋକେ ଉପରେ ଥିଲେ ଯେ ଗୋଇଠା ଝିଙ୍ଗାସ ଧକ୍କା ଦେଇ ଦେଇ ମୋତେ ଶିଖାଇଲେ କୁଆଡ଼େ—କେତୋଟି ପେନସନ୍ ନେଲେଣି ଓ କେଇଟି ବଦଳି ହୋଇଗଲେଣି । ନ୍ୟାୟରେ କି ଅନ୍ୟାୟରେ କହନ୍ତୁ, ମୁଁ ତୋରି ପରି କେବେହେଲେ ପ୍ରତିବାଦ କରି ନାହିଁ । ମନକୁ ବାଧିଲେ ସାଙ୍ଗଙ୍କ ପାଖରେ ନଇଲେ ଘରେ ଆସି ‘କେଁ’ ‘କେଁ’ ହୋଇଛି ।

 

ଆଦର ପାଇ ଯୁନ୍ ବିନୋଦବାବୁଙ୍କର ଗୋଡ଼କୁ ଚାଟୁଥାଏ ।

 

ସାନ ଭାଇ ଆସି ପହଞ୍ଚିଲା । ନୂଆ ଚାକିରି କରିଛି ଯେ ତାହାର ଅନେକ ବିଷୟରେ ମନ ଚଳୁଛି । ସେ ଆସି ତାହାର ରାଗର ଗୋଟିଏ ଅଧ୍ୟାୟ ଠିଆ ଠିଆ କହିଗଲା ।

 

ସାନଭାଇର ଜଳଖିଆ ଆସିଲା । ବିନୋଦବାବୁ ଖାଇ ସାରି ବସିଥାନ୍ତି । ଅଇଁଠା ବାସନ ରହିଥାଏ ବୋଲି ଯୁନ୍ ବି ସ୍ଥାନ ଛାଡ଼ି ନ ଥାଏ ।

 

ଅଧା ଖାଇସାରିଲା ବେଳକୁ ଭାଇର ରାଗ କମି ଆସିଥିଲା । ବିନୋଦବାବୁ ଯୁନ୍‍କୁ ଆଉଁସି ଭାଇଆଡ଼କୁ ଚାହିଁଲେ । ଭାଇ କହିଲେ ‘ଯୁନ୍‍ଟା ବେଶ୍ ଭଲ କୁକୁରଟାଏ ହବ—ମୁଁ କହୁ ନ ଥିଲି ?’

 

ବିନୋଦବାବୁ କହିଲେ, ହଁ, ଭଲ କୁକୁର ହେବ । ମା ପାଖରୁ ଗୋଡ଼ ଚାଟିବା ଶିଖିଆସିଛି ବେଶ୍ । ତାହାର କିଛି ଅସୁବିଧା ରହିବ ନାହିଁ...ସେଇକଥା ମୁଁ ଏବେ ଶିଖିଲି ମୋର ବାଳ ପାଚିଲାବେଳକୁ । କରି ହେଇ ହେଉନାହିଁ ।’

 

‘ରାଗିଗଲେ ମଣିଷ ଭାସିଯିବ ସଂସାରର ନିଷ୍ଠୁର ଗହଳିରେ । ସଂସାରରେ ଭଲରେ ଚଳିବାକୁ ହେଲେ ମଣିଷ ଗାଳି ଖାଇଲେ ବି ଦାନ୍ତ ଦେଖାଇ ହସି ଜାଣୁଥିବ ଆଉ ଖୋଜୁଥିବ ଲୋକଙ୍କର ଗୋଡ଼କୁ । ପାଇଲେ ଆଉଁସି ଦବ ବୋଲି । ଯୁନ୍‍କୁ ଯେତେ ଗାଳିମାଡ଼ ଦେଲେ ବି ପୁଣି ପାଖକୁ ଆସି ପାଦକୁ ଚାଟି ଦେଉଛି । ସେ କ’ଣ ରାଗରୋଷ ଅଭିମାନ କରି ପାରନ୍ତା ନାହିଁ ? ସେ ସବୁ ଥିଲେ ସେ କ’ଣ ବଞ୍ଚିଥାନ୍ତା ?

 

‘କୁକୁରର ବୁଦ୍ଧି ଅଛି । ବୁଝିବା ଶକ୍ତି ଅଛି । ଘରର ମୁରବୀ କିଏ ଜାଣିପାରେ । କାହାର ଗୋଡ଼କୁ ଚାଟିବା ଦରକାର ଠିକ୍ ଜାଣିଛି । ଆଦର ପାଇଲେ ପଛେ ପଛେ ଧାଏଁ । ଏତିକି ଜାଣିଛି ବୋଲି ପାଠ ନ ପଢ଼ି, କଥା ନ କହି ଯୁଗ ଯୁଗ ଧରି ବଞ୍ଚିଯାଇଛି ।’

 

ସାନଭାଇର ସବଳ ପ୍ରତିବାଦ—‘କୁକୁର ହୋଇ ବଞ୍ଚିବାକୁ ହେଲେ ଏହି ଜୀବନର ପ୍ରୟୋଜନ ନାହିଁ ।–ସଂସାରଟା ବହୁତ ବଡ଼ । ଯେ କୁକୁରପରି ହୋଇ ଜୀଇଁ ରହିବ ସେ ପ୍ରକାର ଲୋକଙ୍କ ପାଇଁ ସ୍ଥାନ ଅଛି ।’ ସ୍ୱରରେ ତାହାର ରୋଷ । ‘ଯୁନ୍’ କୁ ମଣିଷର ଆଦର୍ଶ କରି ରଖା ହୋଇଛି ବଡ଼ ଭାଇ କଥାରେ ।

 

ବିନୋଦବାକୁ ଧୀର ଓ ଦୃଢ଼ସ୍ୱରରେ କହିଲେ‘ଭୁଲ—ଭୁଲ । ମଣିଷ ଆଗ ବଞ୍ଚିସାରିଲେ ତା’ପରେ ମଣିଷହୋଇ ବଞ୍ଚେ । ଖାଲି ବଞ୍ଚି ରହିବାପାଇଁ, ବଳୁଆ ହୋଇ ରହିବାପାଇଁ ମଣିଷର ଆଦର୍ଶ ହେଉଛି ଏହି କୁକୁର—ଯୁନ୍ । ବଞ୍ଚିସାରିଲେ ତା’ ପରେ ଆଦର୍ଶ ଖୋଜିବା ଦରକାର ପଡ଼ିବ-।’

 

ବାପ ପୁଅ, ଭାଇ ଭାଇ, କର୍ମୀ ନେତା, ଗୁରୁ ଚେଲା, ଖାଉନ୍ଦ ଚାକର—ସବୁଠାରେ ଏହି ଗୋଟିକ ବାଟ । ଯେ ସେ ବାଟ ଚିହ୍ନେ ଶୀଘ୍ର ଉନ୍ନତି କରିଯାଏ । ସେହି ବାଟ ହେଉଛି ଉପରବାଲାଙ୍କର, ବଡ଼ଙ୍କର ପାଦ ଗୋଇଠି ଚାଟିବାର ବାଟ । ସେତିକି କରିପାରିଲେ ଫଳ ଆପଣା ଛାଏଁ ଆସି ହାତରେ ରହେ ।

 

ଯୁନ୍‌ ନାଁ ଶୁଣି ଥରକୁ ଥର କୁକୁରଟି ମୁହଁ ଟେକେ, କାନ ଠିଆ କରେ ପୁଣି ତଳକୁ କରେ-। ମଣିଷ ଦୁଇଟିଙ୍କର କଥା ବୁଝିବାକୁ ଚେଷ୍ଟା କରେ । କ’ଣ ଭାବି ଉଠିଗଲା—କୂଅମୂଳକୁ ପାଣି ପିଇବାପାଇଁ ।

 

ଯୁନ୍‌ର ଦେହ ଗୋଟାଏ କୁକୁରର ସାଇଜକୁ ଆସିଗଲାଣି । ଲୋମଗୁଡ଼ାକ ଟିକେ ଘନ ଓ ଚିକ୍‌କଣ ଦିଶେ । ମୁହଁଟା ବି ଦେହକୁ ମନାଏ । ମଣିଷ ସାବାଳକ ହେଲେ ତାହାର ଦେହ ଓ ମୁହଁରେ ତେଜ ଫୁଟି ଉଠିଲା ପରି ଯୁନ୍‌ ବି ନୂଆପ୍ରକାର ଦିଶେ । ତାହାର ଭୁକିବା ଗହରିଆ ହୋଇଛି—ବୁଦ୍ଧି ମଧ୍ୟ ଟିକିଏ ସରୁ ହୋଇଛି ।

 

ଘରର ଆଉ ପାଞ୍ଚଜଣଙ୍କ ପରି ରହିବା, କରିବାର ପଦ୍ଧତି ଯୁନ୍‌ ବି ଶିଖିଯାଇଛି । ତାହାର କାମ ସେ କରେ । ଆଳସ୍ୟ କି କ୍ଳାନ୍ତି ନାହିଁ । ନିଜ ଇଚ୍ଛାରେ ଗୋଟିଏ କାମ କରେ ସେ ଖାଉନ୍ଦଙ୍କ ହତା ଭିତରୁ ବୁଲା କୁକୁରଙ୍କୁ ତଡ଼ି ବାହାର କରିବା ।

 

ଘରର ଝରକା ଭିତରୁ ନଇଲେ କୋଠାର ମେଲାଛାତ ଉପରୁ ରାସ୍ତାରେ କି ହତାରେ କୁକୁରଟିଏ ଦେଖିଲେ ଯୁନ୍‌ କୁଦି ହୁଏ ରାଗରେ । ସତେ କି ତାକୁ ପାଇଲେ ମାରି ଖାଇଯିବ । ମାଲିକକୁ ଦେଖାଏ ଯେ ଘରଛଡ଼ା ଆଉ ସବୁ ବାହାରର ଲୋକଙ୍କୁ ଓ ଜାତିଭାଇଙ୍କୁ ମଧ୍ୟ ଘୃଣା କରୁଛି । ସେଥିପାଇଁ ଆଉଁସା ଓ ପ୍ରଶଂସା ବି ପାଏ ।

 

ବିନୋଦବାବୁ କହନ୍ତି, ମଣିଷ ଚାକିରୀ ନ କରି କୁକୁରମାନେ ଚାକିରୀ କରୁଥିଲେ ଏତେ ଗୋଳମାଳ ହୁଅନ୍ତା ନାହିଁ । ଛୋଟଘରୁ ଆସିଥିବା ଲୋକେ ଭଲ ଚାକିରୀ କରି ଜାଣୁଛନ୍ତି—ଉପରକୁ ଉଠି ପାରୁଛନ୍ତି । ଟିକିଏ ଚଳିବା ଘରୁ ଆସିବା ଲୋକଗୁଡ଼ାକ ଖାଲି ଅଫିସଯାକ ସମସ୍ୟାରେ ଭରପୂର କରି ଦେଲେଣି ।

 

ପଶୁଜାତିର ସୌନ୍ଦର୍ଯ୍ୟ ନେଇ ଯୁନ୍‌ ବି ସୁନ୍ଦର ଦିଶୁଛି । ପିଲାଙ୍କୁ କୋଳିଗଛର ପାଚିଲା କୋଳି ଲୋଭାଇଲା ପରି ରାସ୍ତାରେ ବୁଲାକୁକୁର ଗୋଟିଏ ଅଧେ ଠିଆହୋଇ ଚାହିଁ ରହନ୍ତି । ତାଙ୍କର ନାକପୁଡ଼ା ଫୁଲିଉଠେ । ଯୁନ୍‌ ଚିତ୍କାର କରେ ରାଗରେ । ସେହି ପ୍ରତିବାଦ ନ ଶୁଣି କେହି ପାଖେଇ ଆସିଲେ ‘ଯୁନ୍‌ର’ ସ୍ୱରରେ ଦୟା ଓହ୍ଲାଇ ଆସେ । ପାଟିକରେ ଟିକିଏ ଯାଇ ବୁଲିଆସିବା ପାଇଁ ।

 

ଘରର ଲୋକଙ୍କର କଡ଼ା ଶାସନ—ଯୁନ୍‌କୁ ବାହାରକୁ ଛାଡ଼ିବ ନାହିଁ ଏହି ଦି’ମାସ । ବୁଲାକୁକୁର ଗୁଡ଼ାକ ଶିଖେଇ ଖରାପ କରିଦେବେ ।

 

ଯୁଗ ଯୁଗ ଧରି ଏମିତି ପ୍ରବୃତ୍ତିକୁ ବନ୍ଧବାଡ଼ଦେଇ ରୋକି ମଣିଷ ସେଥିରୁ ହୀରାକୁଦ ତିଆରି କରି ବିଜୁଳି କାଢ଼ିଛି । ଶିକ୍ଷକ ଶିକ୍ଷା ମନ୍ଦିରରେ, ପୁଲିସବାଲା ରାସ୍ତାରେ, ସମାଜପତି ଘରେ ଘରେ ଏମିତି ମଣିଷର ଉଚ୍ଛୃଙ୍ଖଳତାକୁ ରୋଧି ଦେଇଛନ୍ତି । ମଣିଷ ବି ବାନ୍ଧିଛି ପଶୁଙ୍କୁ ।

 

ମଣିଷଙ୍କ ପରି ‘ଯୁନ୍‌’ବି ଥରେ ଥରେ ସବୁ ଭୁଲିଯାଏ । ନିଜର ଖାଉନ୍ଦଘର, ଶାସନ, ଶିଙ୍ଖୁଳିସବୁ ଭୁଲିଯାଏ ।

 

ଆସିଲେ ମାଡ଼ଖାଏ । ଶିଙ୍କୁଳି ଖଟାହୋଇ ପଡ଼ି ରହେ । ତେବେ ବି ବେଳେବେଳେ କରୁଣ ଚିତ୍କାର ଶୁଣାଏ । ଦୂରରୁ ବୁଲା କୁକୁର ଜବାବ ଦିଅନ୍ତି । ମଣିଷର ସମସ୍ୟା ପରି ତାହାର ସମସ୍ୟା—ତଥାପି ସେ କାହାରି ଦୃଷ୍ଟି ଆକର୍ଷଣ କରେ ନାହିଁ ।

 

‘ଯୁନ୍‌’ ଶୋଇ ରହିଛି ଖରାରେ ବହୁତବେଳ ଯାଏ । କ୍ଳାନ୍ତ ଦିଶେ । ଯୁନ୍‌ ଛୁଆ କରିବ । ବହୁତ ଖାଉଛି ଘସିପାଉଁଶ, ଗୋବର, ମାଛକାତି ଆଦି ଅନେକ ପ୍ରକାର ପଦାର୍ଥ ।

 

ଯୁନ୍‌କୁ ଜଗିଥାଅ ସମସ୍ତେ—ସେ ଯେମିତି ଘର ଭିତରେ ଛୁଆ ନ କରେ । ଆଉ ଯୁନ୍‌ର ଆଖି ଥାଏ ପକ୍‌କା ଘରଟିର ଶୋଇବା କୋଠରୀର ଖଟ ତଳକୁ । କେତେ ରାତି ଉଜାଗର ରହି ସେହି ଘରକୁ ସେ ଚୋର ଉପଦ୍ରବରୁ ରକ୍ଷା କରିଛି । ତିନିବର୍ଷର ବାଛୁରୀ ଆରାମରେ ଖଶଇ ଶୋଇଛି । ଘରର ଲୋକେ ନିଘୋଡ଼ ଶୋଇଛନ୍ତି । ଥଣ୍ଡା ବର୍ଷାରେ ପଦାରେ ପଡ଼ି ରହି ସାରା ରାତି ଜଗିଛି ଯୁନ୍‌ ।

 

ଶହ ଶହ ବର୍ଷ ଧରି କୁକୁର ଛୁଆ କରିଛି ବର୍ଷକୁ ଦୁଇଥିର । ତାହା ପାଖରେ ଛୁଆ ରହି ନାହିଁ । ବିଲୁଆ, ବାଘ, ମଣିଷ ଆଦି ଥରକୁ ଥର ଚୋରାଇ ନେଇଛନ୍ତି । କିଏ ନେଇ ପାଳିଛି କାମରେ ଲଗେଇବ ବୋଲି ଶସ୍ତାରେ । ଆଉ କିଏ ନେଇ ତାକୁ ଭୋଜି କରିଛି । ଯୁନ୍‌ର ଇଚ୍ଛା ସେ ଘର ଭିତରେ ଛୁଆ କରିବ ।

 

ଟେବୁଲ ପାଖରେ ବସିଥିଲାବେଳେ ଯୁନ୍‌ ଆସି ଠିଆ ହୁଏ ବିନୋଦ ବାବୁଙ୍କୁ ଜଙ୍ଘ ଉପରେ ମୁହଁଟି ରଖି । ଦେହରେ ଶିହରଣ ଖେଳିଯାଏ । ବିଚରା ଯୁନ୍‌ଆସି ଭିକ ମାଗୁଛି ଘରେ ରହିବ ବୋଲି କେଇଦିନ ।

 

କୁଆ, ବିରାଡ଼ି, ଗାଈ, ମାଙ୍କଡ଼, ଶତ୍ରୁ ସମସ୍ତଙ୍କୁ ହୁରଡ଼େଇଛି ଏତେଦିନ । ନିଜର ଶୋଇବା, ଖାଇବା, କଥା ନ ଭାବି ବିନୋଦ ବାବୁଙ୍କ କଥା ଭାବିଛି । ତାଙ୍କ ଯୋତାରୁ ଧୂଳି ସବୁ ଚାଟି ସଫା କରିଛି ।

 

ବିନୋଦ ବାବୁ ସ୍ତ୍ରୀଙ୍କୁ ଡାକି କହନ୍ତି, ‘ହେଇ ଦେଖ, ଯୁନ୍‌ଘର ଭିତରେ ବହୁତ ବୁଲିଲାଣି-। ଜଗିଥିବଟି-ନଇଲେ ସେ ଛୁଆ କରି ପୂରା ଘରଟାକୁ ମାଡ଼ି ବସିବ–କାହାକୁ ଛାଡ଼ିବ ନାହିଁ-।’

 

‘ଅଜାତିଆ ଛୁଆଗୁଡ଼ାକ ହେବେ—ପଦାରେ କେଉଁଠି ସେଗୁଡ଼ାକ ହୋଇ ଚଞ୍ଚଳ ମରି ହଜିଗଲେ ଛୁଟି । ସେ କେଇଦିନ ଯୁନ୍‌ଘରକୁ କ’ଣ ଜଗିବ ? ଖାଲି ଗୁଡ଼ାଏ ଲେଖାଁ ଖାଇବ ଯାହା-।’

 

ଛାଞ୍ଚୁଣୀର ଧମକରେ ଯୁନ୍‌ ବାହାରିଯାଏ ପଦାକୁ । ଚାକରର ସ୍ଥାନ ସବୁଦିନେ ଏମିତି ପଦାରେ । ଯେଉଁ ମିସ୍ତ୍ରୀ ଘର ତିଆରି କରେ, ଯେଉଁ ବଢ଼େଇ ସାଜ ସରଞ୍ଜାମ ବନାଏ, ଯେଉଁ ଗୁଡ଼ିଆ ମିଠେଇ ଛାଣେ, ସେମାନେ ସେତିକି ଭୋଗ କରନ୍ତି ନାହିଁ । କର୍ମୀ ଦେଶକୁ ଗଢ଼ିଦିଏ,—ନେତା ହୁଏ ସେଠା ରାଜା । ଚାକର ଯାହା କରୁ ନା କାହିଁକି ଘରର ସେ କେହି ନୁହେଁ—ସେ ଘରର ଚାକର, ଦେଶର ଚାକର, ନେତାଙ୍କ ଚାକର, ବଡ଼ ଅଫିସରଙ୍କର ଚାକର ଓ ବଡ଼ ଧନୀକର ଚାକର-। ତାହାର ସ୍ଥାନ ଯେଉଁଠି ଥିଲା ସେଇଠି ରହେ ।

 

ଆଉ ଲୋକେ ଚାକରକୁ ଭଲ ପାଆନ୍ତି—ବିନୋଦବାବୁଙ୍କ ଘରେ ସମସ୍ତେ ଯୁନ୍‌କୁ ଆଦର କଲାପରି ।

☆☆☆

 

ଜଞ୍ଜାଳ

 

ରାସ୍ତାରେ ଗଲା ଅଇଲାବେଳେ ନୂଆ କଥା ଆଖି ଆଗକୁ ଆସେ । ସେହି ପିଲାଟି ଟିଉସନ୍‌ କରି କଲେଜରେ ପଢ଼ୁଥିଲା । ଆଜି କଣ ପେଣ୍ଟ କୋଟ ପିନ୍ଧି ଗମ୍ଭୀର ହୋଇ ସାଇକଲ୍‌ରେ ଯାଉଛି ? ବୋଧହୁଏ ଜଣେ ଅଫିସର ହେଲାଣି । ଅମୁକ ସ୍ଥାନଟା ଅରମା ହୋଇ ପଡ଼ିଥିଲା ବଡ଼କୋଠାର ନିଅଁ ପଡ଼ୁଛି । ବୋଧହୁଏ ଜଣେ ଧନୀଲୋକ କିଣିନେଇ ତାହାର ମାଟି ଅରାକ କୋଳରେ ଉଞ୍ଚା ପକାଟିଏ ଗଢ଼ି ଆଣୁଛି ଅମୁକ ଘରଟା ଯେମିତି ମଇଳା ଦିଶୁଥିଲା, ହଠାତ୍‌ ରଙ୍ଗବୋଳା ହୋଇ ନୂଆ ଚିକି ଚିକି କରୁଛି । ସେମିତି ଜଣେ ମଣିଷ ବାଇଧର—ହଠାତ୍‌ ବାଇଆ ହୋଇଯାଇଛି, ନା କ’ଣ ? କେଡ଼େ ଅବାଗିଆ ଦିଶୁଛି ତ !

 

ବାଇଧର ବୋଲି ଗୋଟିଏ ସଉକିନିଆ ଲୋକ । କେଉଁଝରରେ ସେ କଣ ବ୍ୟବସାୟ କରୁଥିଲା । ସବୁବେଳେ ମଠା ପୋଷାକ । ହାତରେ ଚାରି ଚାରିଟା ସୁନାମୁଦି । ଭାରି ହସ ଭାରି ସାଙ୍ଗଗହଳି, ଦେଖିଲେ ଟିକିଏ ତାହା କଥା ଭାବିବାକୁ ମନ ଡାକୁଥିଲା । ବାଇଧର ଏମିତି କଣ ଛିଣ୍ଡା ପିନ୍ଧି ବୁଲୁଛି ରାସ୍ତାରେ ? ହଠାତ୍‌ ଦରିଦ୍ର ହୋଇଥିଲେ ଏମିତି ନ ଦିଶି ଅନ୍ୟପ୍ରକାର ଦିଶନ୍ତା । ବୋଧହୁଏ ହଠାତ୍‌ ସେ ପାଗଳ ହୋଇଯାଇଛି ।

 

ଘରସଂସାର କରିଥିଲା । ବ୍ୟବସାୟ କରି ଭଲ ହାତପଇଠ କରୁଥିଲା । ଆହା, ବିଚରା ପାଗଳ ହୋଇ ଯାଇଛି । ଏହିସବୁ କଥା ମନରେ ଏପାଖ ସେପାଖ କରୁ କରୁ ବିଜିବାବୁ ତାହା ଆଡ଼େ ଚାହିଁ ଦେଇଥିଲେ । ଆଖି ଲାଖି ରହିଲା ଟିକକ ପାଇଁ । ମନ ଭିତରେ ମେଘ ଅନ୍ଧାର ନେଇ ସେ ଆଗେଇ ଗଲେ । କିନ୍ତୁ ବାଇଧର ଆଖିରୁ ସେତକି ଛପିଲା ନାହିଁ ।

 

ଦିନକ ପରେ ବିଜିବାବୁ ଘରେ ନ ଥିଲାବେଳେ ସେହି ବାଇଧର ଆସିଥିଲା ତାଙ୍କୁ ଖୋଜିବାକୁ । ବିଜିବାବୁ ଆସି ଶୁଣିଲେ । ମନରେ ତାଙ୍କର ହେଲା ଯେ, ବାଇଧର ପାଗଳ ହୋଇନାହିଁ । ଦରିଦ୍ର ହୋଇଯାଇଛି ଭାଗ୍ୟ ବିପାକ ହେବାରୁ । ମନ ଭିତରେ ଏହି ଲୋକଟିର ଦୁର୍ବିପାକ ପାଇଁ ସେଦିନ ବିଜିବାବୁଙ୍କର ଭାରି ଚିନ୍ତା ହେଲା । ଟିକିଏ ବି ଦୁଃଖ ହେଲା ଯେ, ବାଇଧର ବାବୁ ଆସିଲାବେଳେ ଘରେ ଥିଲେ ଦେଖା ହୋଇଯାଇଥାନ୍ତା । କଣ ମାଗିବାପାଇଁ ଆସିଥିଲା ହୁଏତ ।

 

ତହିଁ ଆରଦିନ ସକାଳେ ବିଜିବାବୁ ବସି ତାଙ୍କର ବରଣ୍ଡା ଚଉକିରେ ଖଣ୍ଡେ ଚିରୁଟ ଟାଣୁଥିଲେ । ଫାଟକ ଖୋଲି ବାଇଧର ପଶିଲାବେଳେ ବିଜିବାବୁଙ୍କର ରକ୍ତ ଚକମି ଉଠିଲା । ଆହା, ବାଇଧର ତାଙ୍କୁ ଖୋଜି ଆସିଛି ଆଜି ! କେଜାଣି ସାତ ଆଠ ବର୍ଷ ବୟସରେ ବଡ଼ ହେବ । ବିଜିବାବୁ ଚାହାଳିରେ ବସିଲାବେଳେ ସେ ସ୍କୁଲରେ ବଡ଼ ପିଲା ହୋଇଥିଲା । କେବେ ପଦେ ହେଲେ କଥାଭାଷା ହୋଇ ନାହାନ୍ତି । ଘଟଣାଚକ୍ରରେ ପ୍ରଥମ ଥର ପାଇଁ ମୁହାଁମୁହିଁ ।

 

ବାଇଧରବାବୁ ପିଣ୍ଡା ଉପରକୁ ଉଠି ଆସିଲେ । ବିଜିବାବୁ ପାଖ ଚଉକିକୁ ଖଣ୍ଡେ କନାରେ ଝାଡ଼ଇ ଦେଲେ । ରାତିରୁ ଝଡ଼ା ହୋଇନାହିଁ । ଠିଆ ହୋଇ ହସି ନମସ୍କାର କରି ଡାକି ତାହାକୁ ପାଖରେ ବସେଇଲେ । ମନରେ ବଡ଼ ଆନନ୍ଦ ଯେ, ବାଇଧର ଦରିଦ୍ର ଓ ପାଗଳ ହେଲେ ବି ତାହାର ମଣିଷପଣିଆର ମୂଲ ବିଜିବାବୁ ବୁଝିଥିଲେ ।

 

ବିଜିବାବୁ ବାଇଧରକୁ ଖଣ୍ଡେ ସିଗାରେଟ୍‌ଦେଇ ନିଜେ ଡିଆସିଲିରୁ ନିଆଁ ଲଗେଇ ଦେଲେ । ବାଇଧର ବାବୁ ସେ ଖଣ୍ଡ ଟାଣି ବସି ରହିଲା । ପାଗଳାମି କିଛି ନାହିଁ । ଚାହାଣିରେ ଅଭାବ ଫୁଟି ଦିଶୁଛି । ଖଣ୍ଡେ ଚିରା ପ୍ୟାଣ୍ଟ ବିନ୍ଧା ହୋଇଛି । ତାହା ଉପରେ ଖଣ୍ଡେ ଚିରା ଗରମକୋଟ । ମୁଣ୍ଡ ନୁଖୁରା, କିନ୍ତୁ ବାଳଗୁଡ଼ାକ ଭଲହୋଇ ପଛକୁ ଟଣା ହୋଇ କୁଣ୍ଡା ହୋଇଛି । ଦାଢ଼ି ସଫା ହେଇ ଖିଅର ହେଇଛି । ବେଳେ ବେଳେ ବିଜିବାବୁଙ୍କୁ ଚାହୁଁଥାଏ । ସେ ବି କଣ ଭାବୁଥିଲେ ବସି । ଚୁପ୍‌ ହେଇ ତାଙ୍କର ଜୁରୁଟକୁ ଟାଣୁଥାନ୍ତି । ଧୂଆଁ ବାହାରି ଉପରକୁ ଓ ସାମନାରେ କୁଣ୍ଡଳି ହେଉଥାଏ ।

 

ବିଜିବାବୁ ଟିକକ ପରେ ରହି ପଚାରିଲେ, ‘କ’ଣ କହନ୍ତୁ ।’ ‘ନାହିଁ, କିଛି ଦିଅନ୍ତୁ ମତେ ।’

 

ଭାରି ଛୋଟିଆ ପ୍ରଶ୍ନ ଓ ଉତ୍ତର । ବିଜିବାବୁଙ୍କ ପାଖରେ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ ଥିଲା । ତାଙ୍କୁ ଲାଗିଲା, ସତେ ଯେମିତି ସେତକ ଅତି ଊଣା ହେବ । ବାଇଧରବାବୁ ପରି ଜଣେ ଲୋକ ପଚାଶ ଶହେ ନ ପାଇଲେ କଣ କିଛି ନୂଆ ବ୍ୟବସାୟ ଖୋଲି ପାରିବେ ? ପାଞ୍ଚଟଙ୍କା ହୁଏତ ସେ ଫୋପାଡ଼ି ଦେଇଯିବେ ତାଙ୍କ ମୁହଁ ଉପରେ ।

 

ତଥାପି କିଛି ନ କହି ପରେ ଦେବେ ବୋଲି ଭାବି ବଡ଼ ଗମ୍ଭୀର ହୋଇ ବିଜିବାବୁ ସେହି ନୋଟ ଖଣ୍ଡିକ ତାହା ହାତକୁ ବଢ଼ାଇ ଦେଲେ । ସେ ଉଠି ଠିଆ ହେଲା ପାଇବାରେ କିଛି ଆଶ୍ଚର୍ଯ୍ୟ ହେଲା ନାହିଁ । ପଦେ ହେଲେ ଧନ୍ୟବାଦ ଦେଲା ନାହିଁ । ଉଠି ସିଧା ସଳଖ ଚାଲିଲା ଫାଟକ ଆଡ଼େ-

ବିଜିବାବୁ ଭାବିଲେ, ବୋଧହୁଏ ବାଇଧରକୁ ଅପମାନ ଲାଗିଲା । ସେ ମନେ ମନେ ନିଜକୁ ପ୍ରଶଂସା କଲେ । ଈଶ୍ୱରଙ୍କୁ ନିନ୍ଦା କଲେ । ବାଇଧରବାବୁ ଯେ ତାଙ୍କପରି ଜଣେ ବିଜିବାବୁଙ୍କ ମାଗିପାରିଲା, ସେଥିପାଇଁ ବାଇଧର ମଧ୍ୟ ଭାରି ତାରିଫ୍‌ କଲେ ମନ ଭିତରେ ।

ବିଜିବାବୁ ବଡ଼ ଖୁସି । ଭାବିଲେ, ବୋଧହୁଏ ସେ ଜଣେ ବଡ଼ମଣିଷ ହେବେ; କାରଣ ତାଙ୍କର ମନ ଏଡ଼େ ଉଚ୍ଚ ।

ବାଇଧର ଚାଲିଗଲା ପରେ ବିଜିବାକୁ ବସି ଦଣ୍ଡେ ଭାବିଲେ । ସେହି ଟଙ୍କା କେଇଟା ବାଇଧର ଅନେକ କାମରେ ଲାଗିବ । ସେ କେଇ ଦିନରେ ଖରଚ କରିବ, କେମିତି ରଖି ଥୋଇ ଦିନାକେତେ ଚଳିବ ।

ଫାଟକ ପାର ହୋଇ ବାଇଧର ଭାବୁଥିଲା, ଶୀଘ୍ର ଯାଇ ସେ ଜଳଖିଆ ପେଟେ ଖାଇବ-। କେଇ ଦିନ ହେଲାଣି ଭଲ ସୁବିଧା ହୋଇ ନ ଥିଲା । ବିଜିବାବୁଟା ଭଲ ଦେବାବାଲା ।

ବିଜିବାବୁ ତହିଁଆରଦିନ ରାସ୍ତାରେ ଗଲାବେଳେ ବାଇଧର ବସି ଗୋଟାଏ ଚୁରୁଟ୍‌ ଟାଣୁଛି । ପିଣ୍ଡାରେ ଗୋଡ଼ ଲମ୍ବାଇ-କାନ୍ଥକୁ ଆଉଜି ବସିଛି । ବିଜିବାବୁଙ୍କୁ ଦେଖି ନ ଚିହ୍ନିଲାପରି ବସି ରହିଲା । ବିଜିବାବୁ ମନେକଲେ, ବାଇଧର ଅଭାବଗ୍ରସ୍ତ ହୋଇ ପ୍ରକୃତରେ ପାଗଳ ହୋଇଯାଇଛି ।

ତା’ ପରଦିନ ବିଜିବାବୁ ଘରକୁ ଫେରି ଶୁଣିଲେ, ପାଗଳାଟା ଆଉ ଥରେ ଆସିଥିଲା ତା’ଙ୍କୁ ଖୋଜିବା ପାଇଁ ।

ଏଁ—ପୁଣି ଆସୁଛି ? କ’ଣ ପାଞ୍ଚଟଙ୍କା ସେ ଦୁଇଦିନରେ ସାରିଦେଲା ? ପୁଣି ଦେଖାହେବ-ପୁଣି ସେ ମାଗିବ । ବିଜିବାବୁଙ୍କୁ ଭଲ ଲାଗିଲା ନାହିଁ । ଏକାଥରକେ ପାଞ୍ଚଟଙ୍କା ନ ଦେଇ ଥର ଥର କରି ଦେଇଥିଲେ ହେଇଥାନ୍ତା ।

 

ପାଞ୍ଚଦିନ ଛାଡ଼ି ପାଗଲା ଆସି ପହୁଞ୍ଚିଲା । ସେ ଦିନ ସେ ମାଗିବା କଥା ନ କହି ତାହାର ଗୋଟିଏ ଚୁରୁଟ ନେଇ ଆସିଥିଲା ଯାଚିବା ପାଇଁ । ‘ଆଜ୍ଞା ନିଅନ୍ତୁ, ଚୁରୁଟ ଖଣ୍ଡକ । ଭାରି ବଢ଼ିଆ ଲାଗୁଛି । ମୁଁ ଗୋଟିଏ ବାକସ କିଣିଲି । ବେଶି ପଇସା ଥିଲେ, ଭଲ ଚୁରୁଟ୍‌ ବାକ୍‌ସେ କିଣିଥାନ୍ତି ।’

 

ବିଜିବାବୁ ମନା କରିଦେଲେ ଚୁରୁଟ୍‌ ନେବେ ନାହିଁ ବୋଲି । ଟଙ୍କାଟିଏ ତା’ଙ୍କୁ ଦେଲେ ଫୋପାଡ଼ିଲା ରାତିରେ । ପକେଇ ଦେଇ ଉଠିଗଲେ । ପରିଚିତ ଲୋକ ହୋଇଥିବାରୁ ବାଇଧର ଏମିତି ବଳତ୍‌କାର କରିବା ଆରମ୍ଭ କରି ଦେଇଛି । ତଥାପି କେମିତି ଖିଆଲରେ କିଣିଦେଲା ବାକ୍‌ସଟା ।

 

କେଉଁଠି ସେ କେମିତି ଛକି ରହିଥାଏ କେଜାଣି, ବିଜିବାବୁଙ୍କୁ ରାସ୍ତାରେ ଅନେକ ଥର ଦେଖେ । ଦେଖାହେଲେ ସେ ଚୁରୁଟ ନଇଲେ ସିଗାରେଟ ମାଗେ । ବିରକ୍ତ ହୋଇ କେଉଁ ଥର ମନା କରିଦେଲେ ସେ ଖାଉଥିବା ଅଧା ସିଗାରେଟ୍‌ଟା ବି ମାଗେ ବିଜିବାବୁ ଦେଇ ଦିଅନ୍ତି । ମନେ କରନ୍ତି ଯେ, ତାହାର ପାଗଳାମି ଓ ଅଭାବ ଭିତରେ ଧୂଆଁ ପତ୍ର ଔଷଧ ପରି କାମ ଦେଉଛି ।

 

ତେବେ ବାଇଧର କଥା ଅନେକ ସମୟରେ ଭାବିବା ଦରକାର ପଡ଼େ । କାରଣ ତାହାର ଗତିବିଧି ବିଜିବାବୁଙ୍କୁ ସ୍ୱଚ୍ଛନ୍ଦ ଚଳପ୍ରଚଳରେ ବାଧା ହୋଇ ଠିଆ ହେଉଛି ।

 

ତେଣିକି ପ୍ରତିଦିନ ଘରେ ଆପତ୍ତି—ପାଗଲ ଆସିଥିଲା । ସେ ସକାଳେ, ଖରାବେଳେ, ରାତିରେ, ଯେତେବେଳେ ସେତେବେଳେ ଆସୁଛି । ‘ବେହେରା, ‘ବେହେରା, ଡାକେ । କେହି ଯାଇ ପହୁଞ୍ଚିଲେ, ଖାଲି ପଚାରେ, ‘କେତେ ତାରିଖ ଆଜି ?, ଚାଲିଯାଏ ତା ପରେ ।

 

ଯେତେ ହେଲେ ପାଗଳ । ସମୟ ଅସମୟରେ ଆସୁଛି । କଣ ଜିନିଷପତ୍ର ଭାଙ୍ଗିଦବ କି ନେଇ ଚାଲିଯିବ । ବାବୁ ଗୋଟିଏ କାମ ବଢ଼େଇ ଦେଇଛନ୍ତି ଯେ ଦିନଯାକ ଜଣେ ଲୋକ ମୁତୟନ ହୋଇ ରହିଥିବ, ପାଗଲା କଥା ବୁଝି ତା’କୁ ଶୀଘ୍ର ବିଦାୟ କରିଦେବା ପାଇଁ । ପାଗଳାର ଦୌରାତ୍ମ୍ୟରୁ ରିହାତି ପାଇବା ପାଇଁ ଅନେକପ୍ରକାର ଉପାୟରୁ ଆଲୋଚନା ହୁଏ ।

 

ବିଜିବାବୁ ତଥାପି ସହାନୁଭୂତି ସହିତ ପାଗଳ କଥା ଭାବନ୍ତି । ତାହାର ଦରକାର ଅଛି ବୋଲି ସିନା ଧାଇଁଛି । ଆଶା ଅଛି । ଖାଲି ପାଗଳ ବୋଲି ଲୋକେ ତା’କୁ ଡରୁଛନ୍ତି । ବିଜିବାବୁଙ୍କର ଭାରି ଦମ୍ଭ ଯେ ତାଙ୍କୁ ଦେଖିଲେ ପାଗଲାର ପାଗଳାମି ରହିବ ନାହିଁ । ସେ ଭାରି ଖୁସି ହୁଅନ୍ତି ମନେ ମନେ ।

 

ବିଜିବାବୁଙ୍କ ସଙ୍ଗରେ ବି ଘରେ ବହୁତ ଥର ଦେଖା ହୁଏ । ସେହି ଗୋଟିଏ ପ୍ରଶ୍ନ, ‘କେତେ ତାରିଖ ଆଜି ?’ ତା’ପରେ ସିଗାରେଟ୍‌ ମାଗେ । ବିଜିବାବୁ ଗୋଟିଏ ସିଗାରେଟ୍‌ ଦେଇ ଦିଅନ୍ତି । କିନ୍ତୁ ଆଉ ଡିଆସିଲି ମାରି ଲଗେଇ ଦିଅନ୍ତି ନାହିଁ ।

 

ପ୍ରାୟ ପ୍ରତିଦିନ ଆସେ । ଥରେ ଥରେ ବିଜିବାବୁ ତା’କୁ ଟଙ୍କାଟିଏ ଦିଅନ୍ତି । ପ୍ରଥମେ ଗୋଟିଏ ଟଙ୍କା ଦେଲାବେଳେ ବାଇଧରବାବୁ ବ୍ୟବସାୟୀଙ୍କ କଥା ଭାବି ବିଜିବାବୁଙ୍କୁ ଭାରି ଖରାପ ଲାଗୁଥିଲା । ପାଗଲ ପ୍ରତିଦିନ ଧାଇଁବାରୁ ସେତକ ଦେହସହା ହୋଇଗଲାଣି । ଆସିଛି, ଯେ କଣ ଗୋଟାଏ ଦବାକୁ ହେବ । ସିଗାରେଟ୍‌ ଖଣ୍ଡେ ସେ ମାଗୁଥିବାରୁ ବିଜିବାବୁ ଦେବାର ସୁଖ ପାଆନ୍ତି; କିନ୍ତୁ ଟାଙ୍କାଟିଏ ଲେଖାଁ ଦେବାକୁ ମନ କରନ୍ତି ନାହିଁ ।

 

କେଉଁଦିନ ସେ ଝଗଡ଼େ ନାହିଁ । ବିଜିବାବୁ ଥିଲାବେଳେ ଯେମିତି ନ ଥିଲାବେଳେ ବି ସେମିତି । ତେବେ ତା’କୁ ଦୁଆର ମନା ନ କଲେ ଚଳୁ ନାହିଁ । ବୁଝେଇ କହିଲେ ଭଲ ହେବ କି ମାଡ଼ଗାଳି ଧମକ ଦେଲେ ଭଲ ହେବ, ଠିକଣା କରି ହୁଏ ନାହିଁ ।

 

ବାଇଧର ଯେତେବେଳେ ଥରେ ସହାନୁଭୂତି ଚାଖିଛ, ଥରକୁ ଥର ଆସି ଉତ୍ପାତ କରିବ ଓ କରୁଥିବ । ସହିବାକୁ ହେବ ।

 

ଦୁଇମାସ ଭିତରେ ପାଗଳା ବାଇଧର ଚାଳିଶି ଥର ଆସିଛି । ଟଙ୍କା ଦଶଟା ଓ ପନ୍ଦର କୋଡ଼ିଏ ସିଗାରେଟ ନେଇଛି । ପଇସା କମିଯିବାରୁ ବାଇଧର ଘର ହତା ଭିତରେ ଉତ୍ପାତ ବନ୍ଦ କରି ରାସ୍ତାରେ ଉତ୍ପାତ ଆରମ୍ଭ କଲା । ବାଇଧରକୁ ହତା ଭିତରେ ଦେଖିଲେ ବିଜିବାବୁ ଚାଲି ଆସନ୍ତି ଫାଟକ ଯାଏ । ବାଇଧର ପଛେ ପଛେ ଆସେ । ଫାଟକ ବନ୍ଦ କରି ବିଜିବାକୁ ଫେରି ଆସନ୍ତି । ବାଇଧର ଘର ଆଗରେ ରାସ୍ତାରେ ଦଣ୍ଡେ ଠିଆ ହେଲେ ଚାଲିଯାଏ ।

 

ରାସ୍ତାରେ ବିଜିବାବୁ ଦେଖା ପଡ଼ିଲେ ବାଇଧର ତାଙ୍କଠାରୁ ଦି’ହାତ ଛାଡ଼ି ଠିଆ ହୋଇରହେ । ସେ ଚାଲିଲେ ବାଇଧର ଚାଲେ । ବିଜିବାବୁ ଧାଇଁ ହୋଟେଲ ଭିତରକୁ କି ଚିହ୍ନା ଲୋକ କାହାରି ଘରକୁ ପଳାନ୍ତି । ବାଇଧରଠାରୁ ଛୁଟି ମିଳେ ।

 

ରାସ୍ତାରେ ଯା ଆସ କରିବା କଷ୍ଟ ହେଲା । କେଉଁଠି ବିଜିବାବୁ କାହା ସାଙ୍ଗରେ କଥା ହେଉଥିବାର ଦେଖିଲେ ବାଇଧର ଆସି ଜୁଟିଯାଏ । ଠିଆ ହୋଇ ରହେ । ବିଜିବାବୁ ନ ଚିହ୍ନିଲା ପରି ମୁହଁ କରନ୍ତି । ବିଜିବାବୁଙ୍କ ସାଥୀରେ କଥାଭାଷା ହେଉଥିବା ଲୋକଟି ସେମିତି ବାଇଧରକୁ ଚାହିଁ ରହେ ।

 

ବହି ଦୋକାନ କି ଔଷଧ ଦୋକାନରେ ବିଜିବାବୁଙ୍କୁ ବସିବାର ଦେଖିଲେ ବାଇଧର ଠିଆ ହୋଇ ରହେ । କେଉଁଠି କେମିତି ଭିତରକୁ ଆସି ବିଜିବାବୁଙ୍କ ଚୌକୀ ପାଖରେ ବସି ରହେ । ତାହାର ଦେହରୁ ମଇଳା ଗନ୍ଧ ଓ ଫୁରୁକୁଟିଆ ଗନ୍ଧ ବିଜିବାବୁଙ୍କ ନାକରେ ପଶିଯାଏ । ସେ ମନେ ମନେ ଈଶ୍ୱରଙ୍କୁ ଡାକନ୍ତି, ବାଇଧର ହାତକୁ ମୁକ୍ତି ପାଇବା ପାଇଁ । କେବେ କେମିତି ଆଠଅଣା ଟଙ୍କାଏ ବି ସେମିତି ଦେଇ ଦିଅନ୍ତି ।

 

ବାଇଧର ଘରପାଖର ଜଣେ ଲୋକକୁ ଦେଖି ଥରେ ବିଜିବାବୁ ବାଇଧର କଥା ବୁଝି ବସିଲେ । ଏତେ ଅତ୍ୟାଚାର ସହି ସହି ବାଇଧର ବିଷୟରେ ଗବେଷଣା କରିବା ଦରକାର ପଡ଼ିଲାଣି ।

 

ସେ ବାବୁ କହିଲେ, ‘ଏଁ—ବାଇଧର ଆସି ଆପଣଙ୍କ ପାଖରେ ପହଞ୍ଚିଲାଣି । ...ହେଲା ଏଥର । ଆମ ସାହିରେ ସେ କ’ଣ । କମ୍‌ ଉତ୍ପାତ କରିଛି । ପାଗଳ ନୁହେଁ ସେ ମୋଟେ । ତାକୁ ମୁହଁ ଦେଲେ ସେ ମୁଣ୍ଡରେ ଚଢ଼ିବ । ତାହାର ଅବସ୍ଥା ଦେଖି ଆମେ ତା’କୁ ଡାକି ଥରେ ଦି’ଥର ଖୁଆଇଥିଲୁ । ଆଉ ଯିବୁ କୁଆଡ଼େ ? ସେ ଆସି ଛଡ଼େଇ ଖାଇବା ଆରମ୍ଭ କରିଦେଲା । ବଡ଼ ହଇରାଣ ଆଜ୍ଞା । ଖବରଦାର, ତା’କୁ ମୋଟେ ମୁହଁ ଦେବେ ନାହିଁ ।’

 

ବିଜିବାବୁ ଭାରି ଦୋଷ କଲାପରି କହିଲେ—ଆସିଥିଲା ଯେ ପାଞ୍ଚଟଙ୍କା ଦେଇଦେଲି । ଅଧିକ ଥର ଟଙ୍କା ଦେଇଥିବା କଥା କହିଲେ ନାହିଁ ।

 

‘ଓଃ, ତାହାହେଲେ ଆପଣ ଭୂତ ହାବୁଡ଼େ ପଡ଼ିଗଲେ । ସେ କ’ଣ ଆପଣଙ୍କୁ ଛାଡ଼ିବ ? ଚାରିଆଡ଼ୁ ସେ ରୁନ୍ଧିବ ।’

 

କହିଦେଇ ଚାଲିଗଲେ । ବିଜିବାବୁ ବସି ନିଜକୁ ଖୁଣିଲେ । ‘ମଲି ଏଥର—ମାହାତ୍ମା ସାଜୁଥିଲି ଯେ ବାଇଧର ଏଥର ତେଲ କଡ଼ାରେ ପକେଇ ସନ୍ତୁଳିବ ।’

 

ବାଇଧର ବିଷୟରେ ଭାବିବା ଦରକାର ପଡ଼ିଲାଣି । ଟଙ୍କା ଦେବା ଓ ସିଗାରେଟ ଦେବା ଏକାବେଳକେ ବନ୍ଦ କରିଦେଲେ । ବାଇଧର ଆଉ ଘରକୁ ଆସେ ନାହିଁ । କିନ୍ତୁ ରାସ୍ତାରେ ଉତ୍ପାତ ଆରମ୍ଭ କରେ । ବିଜିବାବୁଙ୍କୁ ଦେଖିଲେ ବିଜୁଳି ପରି ଛୁଟି ଆସେ । ଠିଆ ହୋଇ ରହେ ।

 

ଥରେ ଥରେ ହାତ ପତେଇ କହେ ‘କିଛି ଦିଅନ୍ତୁ’ । ନାହିଁ ବୋଲି କହିଦେଇ ବିଜିବାବୁ ପଳାୟନ କରନ୍ତି । କିନ୍ତୁ ଭନରେ ଭାରି ଆଘାତ ପାଆନ୍ତି । ଆହା, ଦେବାକୁ ଇଚ୍ଛା ହେଉଛି, ହେଲେ ସେ ହଇରାଣ ନ କରନ୍ତି । ପାଗଳ ନୁହେଁ ଅଥଚ ପାଗଳାମିର ପେଖନା କରି ମାରୁଛି ମଣିଷକୁ ।

 

ଏମିତି ତିନି ଚାରିଥର ନାହିଁ କରି ଦେଇ ଥରେ ସେ ଆଠଅଣା ପଇସା ଦେଲେ । ସାଙ୍ଗେ ସାଙ୍ଗେ ବାଇଧର ଫେରି ପଡ଼ିଲା । ଆଖିରେ ତାହାର କଠୋରତା । କର୍କଶ ଗଳାରେ ପଚାରିଲା—‘ଆଉ ଯୋତା, ଚଟି କିଛି ମିଳିଲା ନାହିଁ ?’

 

ବିଜିବାବୁ ତାଙ୍କର ପରିଚିତ ବାଇଧର ମୁହଁକୁ ଚାହିଁ ରହି ଭାବିଲେ ଏହି ପ୍ରକାର ପାଗଳଙ୍କୁ ପୁଲିସ କିଆଁ ପକଡ଼ୁ ନାହିଁ ? ଜିଲ୍ଲା ମାଜିଷ୍ଟ୍ରେଟ ଧରିନେଇ ପାଗଳାଖାନାକୁ କାହିଁକି ପଠାଉ ନାହିଁ ?

 

ଚାଲିଯିବା ଛଡ଼ା ଅନ୍ୟ ଉପାୟ ନାହିଁ । ବିଜିବାବୁ କିନ୍ତୁ ଭାବିଗଲେ ଯେ ପାଗଳା ଯେତେ ଯାହା ଦୁଃଖ ଦେଉ କି ଦୁଃଖ ପାଉ ପଛକେ ସେ ଆଉ ତାହାକୁ କିଛି ଦେବେ ନାହିଁ ।

 

ଦେବା ନେବାର ସମ୍ବନ୍ଧରୁ ସେଇଠି ପୂର୍ଣ୍ଣଚ୍ଛେଦ ।

 

ଭୂତ ଛାଡ଼ିଲା ନାହିଁ । ରାସ୍ତାରେ ସେ ଉତ୍ପାତ କରେ । ବିଜିବାବୁ ପଳାନ୍ତି । ତାହାକୁ ରାସ୍ତାରେ ଦେଖିଲେ ବାଟ ଭାଙ୍ଗି ଅନ୍ୟଆଡ଼େ ଯାଆନ୍ତି । ତାହାକୁ ଆଘାତ କରିବାକୁ ସାହାସ ହୁଏ ନାହିଁ—ଆହା, ବାଇଧରର ଏମିତି ଦୁରବସ୍ଥା ହେଲା ?

 

ନିଜ ଘରୁ ଓ ଶ୍ୱଶୁର ଘରୁ ସେ ଏମିତି ଛୁଟିକି ପଡ଼ିଥିଲା ରାସ୍ତା ଉପରକୁ । ସେଠି ରାଜପଥ ଉପରେ ଯେ ଜଣେ ଅଧେ ସହାନୁଭୂତି ଦେଖାଉଥିଲେ, ସେ କି ପାଖ କାଟି ଅଲଗା ହୋଇଗଲେ ।

 

ବିଜିବାବୁ ଏମିତି ଲୁଚି ପଳାଉଛନ୍ତି ବୋଲି ବାଇଧର ବୁଝିଲା । ତଥାପି ତାଙ୍କ ଉପରେ ସେ ପ୍ରତିଶୋଧ ନେବ । ସାଇକଲରେ ଗଲା ଅଇଲାବେଳେ ବାଇଧର ଓ ସେ ଭେଟାଭେଟି ହୁଅନ୍ତି-। ବାଇଧର ଗାଳିଦିଏ । ବିଜିବାବୁ ମନେକରନ୍ତି ଯେ ସେ ତାଙ୍କ ଉପରକୁ ଛେପ ଖଙ୍କାର ପକାଇଲା ନାହିଁ । ଯେତେବେଳେ ସେ ଦୟା ଦେଖାଇଛନ୍ତି ଏତକ ପୁରଷ୍କାର ଆଉ କିଏ ପାରିବ ?

 

ପ୍ରାୟ ଦେଖାହେଲେ ବାଇଧର ଏମିତି ପଦେ ଅଧେ ଗାଳି ଶୁଣାଇ ଦିଏ । କେଉଁଦିନ ଥଟ୍ଟା କରେ । କେବେ କେମିତି ମାରିବା ପରି ହୁଏ । ସେ ଅତି କ୍ୱଚିତ । ବାଇଧରକୁ ଦେଖିଲେ ବିଜିବାବୁ ଜାଣନ୍ତି ଯେ ତାଙ୍କର କପାଳ ମନ୍ଦ । ବୃଥାରେ ପଦେ ଗାଳି ଶୁଣିବାକୁ ପଡ଼ିବ । ଗାଳି ଶୁଣନ୍ତି ।

 

ବାଇଧର ନୂଆ ଉପାୟ ଖଞ୍ଜିଲାଣି । ତାକୁ ଦେଖିଲେ ମନେ ହୁଏ ଯେମିତି ସେ ତାହାର ହାତବାଡ଼ିରେ ପାହାରେ ପକାଇବାକୁ ଭାବୁଚି । ଅନେକ ସମୟରେ ବିଜିବାବୁଙ୍କୁ ଲାଗେ ସେ ଯେମିତି ସାଇକଲଟା ତାଙ୍କର ଅଟକାଇ ଦେବାକୁ ଇଚ୍ଛା କରୁଛି । ଭୟରେ ସେ ପାଖେଇ ହେଇ ଯାଆନ୍ତି । ଯୋତା ମିଶା ଗୋଡ଼ଟାକୁ ଠିକ୍‌ ସଜିଲ କରିଥାନ୍ତି । ଗୋଟିଏ ନାତ ଦେବାକୁ । ତଥାପି ସେ ମନେ କରନ୍ତି କାଳେ ପାଗଳାଟାକୁ ପାହାରେ ଦେଲେ ବଜାରବାଲା ଆପତ୍ତି କରିବେ । ପୁଣି ଛୋଟିଆ କଥାରୁ ବଡ଼ଟିଏ ବାହାରିବ ।

 

ଇସ୍‌—ପ୍ରଥମ ଥରକରୁ ତଡ଼ି ଦେଇଥିଲେ ଏହି ଜଞ୍ଜାଳରୁ ତ୍ରାହି ମିଳିଥାନ୍ତା । ଆହା, କରି ହେଲା ନାହିଁ । ଭିତରକୁ ସହାନୁଭୂତି ଆସି କାଳ ହେଲା ।

 

ଘରୁ ବାହାରିଲାବେଳେ ବହୁତ ଥର ସେ ବାଇଧର କଥା ଭାବନ୍ତି । ଦେଖାହେଲେ ସାଇକଲରୁ ଓହ୍ଲାଇ ଗୋଟିଏ ମୀମାଂସା କରି ଦେଇଯିବେ । ପୁଣି କେମିତି କିଛି ହୋଇପାରେ ନାହିଁ-

 

ବାଇଧର ତାହାର ବଜାର ଡିଉଟି କରିବାରେ ଲାଗିଥାଏ ଜଳଖିଆ ଦୋକାନ, ଫଳ ଦୋକାନ, ଛକ ଜାଗା, ଗହଳି ରାସ୍ତାରେ ସେ ବୁଲୁଥାଏ । ବୋଧହୁଏ ବିଜିବାବୁଙ୍କ ପରି ଶିକାରଗୁଡ଼ାଙ୍କୁ ସେ ଖୋଜୁଥାଏ ।

 

ଦେଖା ମିଳୁ ନ ମିଳୁ ବିଜିବାବୁ ମନେ କରନ୍ତି ନିଜ କଥା—କ’ଣ ଖୋଜି ସେ କ’ଣ ପାଇଲେ ? ଏହି ଅଶାନ୍ତି ବୋଧହୁଏ କଟିଯିବ ସହର ଛାଡ଼ି ଅନ୍ୟଆଡ଼େ ପଳାଇଲେ କିମ୍ବା ବାଇଧରର ଛୋଟିଆ ବେତରୁ ଦି’ପାହାର ମିଳି ସାରିଲେ । ଗାଳି ମିଳିଛି ଅପର୍ଯ୍ୟାପ୍ତ—ମାଡ଼ଟା ବାକି ରହିଛି ।

☆☆☆

 

Unknown

ବିଶ୍ୱାସ

 

ପାଗଳ ହୋଇ କେହି ମା’ ପେଟରୁ ପଡ଼ି ନ ଥାଏ । ସଂସାରର ପାଞ୍ଚ ପଚିଶ ଘଟଣା ଦେଖି ମଣଷ କାଳକ୍ରମେ ତାହାର ଗୋଟିଏ ଖିଆଲକୁ ମାଲ ମସଲା ଦେଇ ଗଢ଼ୁ ଗଢ଼ୁ ଦିନେ ପାଗଳ ବୋଲି ସଂସାରରେ ଡକାଯାଏ ।

 

ଶ୍ରୀଧରବାବୁ ପିଲାଦିନେ ଶାଗଠାରୁ ଆରମ୍ଭ କରି ମାଂସଯାଏ ସବୁ ଖାଉଥିଲେ । ହଠାତ୍‌ ତାଙ୍କର ଧାରଣା ହେଲା ଯେ, ସଂସାରରେ ରହି ଅନେକ ଜୀବବଧ କଲେଣି । ବହୁତ ପାପରେ ଭାଗି ହୋଇ ବୁଲୁଛନ୍ତି । ସ୍ୱାସ୍ଥ୍ୟରକ୍ଷା ବହି ପଢ଼ି ଜାଣିଲେ ଯେ, ପାଣି ଟୋପାକରେ ପ୍ରକାର ପ୍ରକାରରେ ଅସଂଖ୍ୟ ଜୀବାଣୁ ଅଛନ୍ତି । ପ୍ରତିଦିନ ପାଣି ପିଇଲାବେଳେ ସେ ବଡ଼ ଦୁଃଖରେ ଭାବନ୍ତି ଯେ, ଅସଂଖ୍ୟ ଜୀବବଧ ହୋଇଗଲା । ତଥାପି ପାଣି ପିଅନ୍ତି ବାଧ୍ୟରେ ।

 

ସେମିତି ବହି ପଢ଼ି ଧାରଣା ହେଲା ଯେ, ଗଛ ଲଟାର ମଧ୍ୟ ଜୀବନ ଅଛି । ଶାଗ ପଟାଳିରୁ ଖଡ଼ା କୋଶଳା ଉପାଡ଼ି ଆଣିଲେ ସେଗୁଡ଼ିକ ପ୍ରାଣ ହରନ୍ତି । ନେଉଟିଆ ପଟାଳିରୁ ଶାଗ କାଟି ଆଣିଲେ ଗଛ କାନ୍ଦେ । ମାଛକୁ ଜାଲରେ ପଦାକୁ ଆଣିଲେ ମଣିଷଙ୍କ ପରି ପବନ ନ ପାଇ ଅଣନିଃଶ୍ୱାସୀ ହୋଇ ସେ ମରିଯାଏ । ସେଥିପାଇଁ ଆକୁଳ ହୋଇ ପାଟିକୁ ମେଲା କରିଦିଏ । ଛେଳି ମେଣ୍ଢାଙ୍କ କଥା ତ ଅଲଗା । ସେମାନଙ୍କର ଆଖି କାନ ଅଛି । ଦେହରେ ତତଲା ରକ୍ତ ଅଛି । ବୁଝିବା ଶକ୍ତି ଅଛି । ହାଣକୁ ନେଲାବେଳେ ସେମାନେ ବଡ଼ ଅମଙ୍ଗ ହୁଅନ୍ତି । ମରା ହେଲାବେଳେ କାନ୍ଦନ୍ତି ।

 

କିନ୍ତୁ ଶ୍ରୀଧରବାବୁ ଯେତେ ଦୁଃଖ ପାଇଲେ ବି ବଡ଼ ଲୋକପ୍ରିୟ । ମାଛ ମାଂସରେ ଭାରି ଚଟକ । ସେ ବେଶ୍‌ ଖାଇଯାନ୍ତି । ଯେତେ ପରିମାଣରେ ପଦାର୍ଥ ସେ ଭିତରକୁ ଠେଲିଦେଇ ପାରନ୍ତି ସାଧାରଣରେ ଦେଖିବାକୁ ମିଳେ ନାହିଁ ।

 

ତଥାପି ଲୋକଟାର ଖିଆଲ ଯେ, ସବୁବେଳେ ଏହି ଜୀବ, ପ୍ରାଣୀ, ହତ୍ୟା, ବଧ, ପାପ, ପୁଣ୍ୟ କଥା ସେ ଦିନମାନ ଚର୍ଚ୍ଚା କରୁଥାଏ । ପାଖ ଲୋକ ବଡ଼ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ନ୍ତି ।

 

ଆଉ ଗୋଟିଏ ଖିଆଲ ମୁଣ୍ଡ ଭିତରେ ପଶିଲା ଯେ, ଦି’ଗୋଡ଼ିଆଙ୍କୁ ବିଶ୍ୱାସ ନାହିଁ । ମଣିଷ ଜାତିଟା ସଇତାନ କି ନୁହେଁ, ଏ ବିଷୟରେ ବହୁତ ଆଲୋଚନା ହୋଇଛି । କିଏ ଶ୍ରୀଧର ବାବୁଙ୍କୁ ଠକେଇଲା, କିଏ ତାଙ୍କ ନାଁରେ ଚୁଗୁଲି କରିଥିଲା, କିଏ ଟଙ୍କାଧାର ନେଇ ଠକେଇ ଥିଲା । ଏହି ସବୁର ଲମ୍ବା ଫର୍ଦ ତିଆରି କରି ସେ ମଣିଷଙ୍କୁ ଅବିଶ୍ୱାସ ଓ ଘୃଣା କରିବା ଆରମ୍ଭ କରିଥିଲେ ଭାରି ଜୋରରେ ।

 

ଦିନକର ଛୁଆଟି ହୋଇ ସେ ମଣିଷର ସ୍ନେହ ଓ ବିଶ୍ୱସ୍ତତା ଉପରେ ତାଙ୍କର ଚାଳିଶବର୍ଷର ବପୁକୁ ଗଢ଼ିଥିଲେ । ଚାଳିଶି ବର୍ଷର ବଦଳରେ ସେ ମଣିଷକୁ ଘୃଣା କରିବା ଆରମ୍ଭ କଲେ । ପିଲାଦିନୁ ମଣିଷର ସ୍ନେହ ଓ ଦୟା ନ ପାଇଥିଲେ ସେ କେଉଁଦିନୁ ରାସ୍ତାର ଧୂଳି ହୋଇ ଯାଆନ୍ତେଣି । ସେ ତ ଗଲା କଥା । ସେ ମଣିଷକୁ ଘୃଣା କରନ୍ତି ଆଜି ।

 

ପଶୁପକ୍ଷୀ କୀଟପତଙ୍ଗକୁ ଶ୍ରଦ୍ଧା କରନ୍ତି । ସେମାନଙ୍କୁ ଯେତେ ପରିମାଣରେ ଖାଇଲେ କି ମାଇଲେ ବି ସେମାନଙ୍କ ପ୍ରତି ତାଙ୍କର ଭାରି ଦୟା ରହିଛି ବୋଲି ସେ ଭାବନ୍ତି, ବୁଝନ୍ତି ଓ ପ୍ରଚାର କରନ୍ତି ।

ତେବେ କେତେ ପୋକଙ୍କୁ ଅନ୍ୟମାନେ ଖାଇଯାନ୍ତି । ସନ୍ଧ୍ୟାବେଳେ ସେ ଆଲୁଅ ଜାଳିଲେ ଝିଟିପିଟି ଓ ବେଙ୍ଗ ଆସି ବେଳେବେଳେ ପହଞ୍ଚି, ଆସିଥିବା ପୋକଙ୍କୁ ମନଇଛା ଶିକାର କରନ୍ତି । ସେ ଆଲୁଅ ପାଖରୁ ସେମାନଙ୍କୁ ତଡ଼ିଦେଲେ ସେମାନେ କଣ ଖାଇ ବଞ୍ଚିବେ, ଏହି ସମସ୍ୟା ଶ୍ରୀଧରବାବୁଙ୍କୁ ଘାରେ । ଆଲୁଅ ନ ଜାଳିଲେ ସେ ନିଜେ ଲେଖାପଢ଼ା କାମ କରିପାରିବେ ନାହିଁ । ନିଜର ମରଣ ପାଖେଇ ଆସିବ ଆୟ ଅଭାବରୁ । ସେଥିପାଇଁ ଆଲୁଅ ଜଳେ । ତେଣୁ ‘ଜଣେ ଆଉ ଜଣକୁ ଖାଇବା’ ବିଧି ନିର୍ଦ୍ଦିଷ୍ଟ ବୋଲି ଧରିନେଇ ସେ ମନେକରନ୍ତି ଯେ, ସେ ନିର୍ଦୋଷ-। ତାଙ୍କର କାମ ଭିତରେ ଯେ ଆସିବାର ଆସୁ, ଯାହା କିଛି କରିବାର ମଧ୍ୟ କରୁ । ଆପତ୍ତି ନାହିଁ-

ଝିଟିପିଟି, ବେଙ୍ଗ ପେଟେ ଲେଖାଁଏ ଖାଇଦେଇ ଚାଲିଯାନ୍ତି । ସକାଳେ ଟେବୁଲ ଝାଡ଼ିଲାବେଳେ ସେ ଅନ୍ଧାର ଓ ଥଣ୍ଡାରେ ମରିଯାଇଥିବା ବାକି ପୋକ ତକ ପହଁରି ଦେଲାବେଳେ ମନେ କରନ୍ତି, ସଂସାରଟା ଈଶ୍ୱରଙ୍କର କଠୋର ଇଙ୍ଗିତରେ ଚାଲିଚି । କେହି ହୁଏତ ଏମାନଙ୍କୁ ହାତରେ ମାରି ନାହିଁ । ତଥାପି ତାଙ୍କର ଜନ୍ମ ହୋଇଥିଲା । ଆଲୁଅ ପାଖରେ କେତେ ଖେଳ ଦେଖାଇ ସେମାନେ ଗୋଟି ଗୋଟି ହୋଇ ମରି ଯାଇଛନ୍ତି ।

ମଶାଙ୍କ ଦୌରାତ୍ମ୍ୟ ଓ ମେଲେରିଆରୁ ନିଜକୁ ରକ୍ଷା କରିବାପାଇଁ ସେ ମୁନିସପାଲିଟିର ଡି. ଡ଼ି. ଟି ପକେଇ ଘରୁ ସବୁ ମଶା, ଓଡ଼ଶ, ବୁଢ଼ୀଆଣୀ ଓ ଝିଟିପିଟିକୁ ତଡ଼ି ଦେଇଥିଲେ । ସେଥିପାଇଁ ଦୁଃଖରେ କେଇଟି ଦିନ କଟାଇବା ପରେ ଗୋଟିଏ ଝିଟିପିଟି ଆସି ପହଂଚିଲା । ମଣିଷ ହୋଇ ନ ଥିବାରୁ ତାକୁ ଶ୍ରୀଧରବାବୁ ନିଜର ସଙ୍ଗୀ ବୋଲି ବିଚାରନ୍ତି । କେଇଦିନ ପରେ ଆଉ ଗୋଟିଏ ଯୋଡ଼ି ଯୋଗାଡ଼ କରି ଦୁଇଟି ଝିଟିପିଟି ତାଙ୍କ କୋଠରୀରେ ରହିଲେ ।

ସନ୍ଧ୍ୟାରେ ଆଲୁଅ ଜଳିଲେ ସେ ଦୁଇଟି ଆସି ତାଙ୍କ ଟେବୁଲ ପାଖରେ ବୁଲନ୍ତି । ଶ୍ରୀଧରବାବୁଙ୍କ ହାତ ଭିତରକୁ ଆସନ୍ତି ନାଇ । ଯାହା ପୋକଯୋକ ଉଡ଼ି ଆସନ୍ତି, ସେତକ ଭୋଜନ କରନ୍ତି । କାଳେ ଅଣ୍ଟ ନ ଅଣ୍ଟ ହେଉଥିବ ବୋଲି ଶ୍ରୀଧରବାବୁ ଈଶ୍ୱରଙ୍କୁ ଜଣାଣ କରନ୍ତି । ଆଉ କିଛି ପୋକଯୋକ ସେଇ ଟେବୁଲ ପାଖକୁ ଉଡ଼େଇ ଆଣିବା ପାଇଁ । ଖାଇ ସାରିଲେ ସେମାନେ ତାଙ୍କର ଖିଡ଼ିକି ସନ୍ଧିରେ ଯାଇ ଦିନଯାକ ବିଶ୍ରାମ କରୁଥାନ୍ତି । ବେଳେ ବେଳେ ଶ୍ରୀଧର ବାବୁଙ୍କର ବହି ଖାତାର ରିୟାକ୍ ଉପରେ ତାଙ୍କର ପାଇଖାନା ତିଆରି କରି ଶ୍ରୀଧର ବାବୁଙ୍କୁ ବିବ୍ରତ କରନ୍ତି ।

ଶୋଇବାକୁ ଗଲାବେଳେ ତାଙ୍କ ଟେବୁଲ, ବର୍ଷା, କୁହୁଡ଼ି, କାକରରେ ତିନ୍ତିଯିବ ବୋଲି ଶ୍ରୀଧର ବାବୁ ଯେତେବେଳେ ତାଙ୍କର ଖିଡ଼ିକି ଦୁଆର ବନ୍ଦ କରନ୍ତି, ସେତେବେଳେ ଆଗ ସେ ଶବ୍ଦ କରନ୍ତି ଓ ଧୀରେ ଧୀରେ ଖିଡ଼ିକି କବାଟ ଲଗାନ୍ତି । କେବେ କେମିତି ଝରକା ଚୌକାଠ ସନ୍ଧିରୁ ଝିଟିପିଟି ଦୁଇଟି କିଲିକିଲି ହୋଇ ପଦାକୁ ବାହାରି ଆସନ୍ତି । ଶ୍ରୀଧରବାବୁ ମନେ ମନେ ଖୁସି ହୁଅନ୍ତି ଯେ ଝରକା ବନ୍ଦ କରିବା କୌଶଳରୁ ସେ ଦୁଇଟି ପ୍ରାଣୀକୁ ରକ୍ଷା କଲେ ।

ହଠାତ୍‌ ଦିନେ କଣ ଅନ୍ୟମନସ୍କ ଥାଇ ସେ ଝରକା ବନ୍ଦ କଲାବେଳେ ଗୋଟିଏ ଚିପି ହୋଇଗଲା । ଝରକା ଠିକ୍ ନ ଚାଲିବାରୁ ସେ ଫିଟାଇ ଦେଇ ଦେଖିଲେ ଗୋଟିଏ ଚିପି ହୋଇ ଅଧାମରା ହୋଇଯାଇଛି । ତାଙ୍କର ଭିତର କାନ୍ଦି ଉଠିଲା । ଟର୍ଚ୍ଚ ନେଇ ପରୀକ୍ଷା କରି ଦେଖିଲେ ସେଇଟି ମରିବା ଉପରେ । ହଠାତ୍‌ ତାକୁ ମାରି ଫୋପାଡ଼ି ଦେବେ କି ସେମିତି ଅଧାମରାର କଲବଲରେ ରାତିକ ପାଇଁ ଫିଙ୍ଗିଦେବେ, କିଛି ଠିକ୍‌ କରି ନପାରି କେମିତି ଖଣ୍ଡେ କାଠିରେ ପଦାକୁ ଫୋପାଡ଼ି ଦେଇ ଠାକୁରଙ୍କୁ ପ୍ରାର୍ଥନା କଲେ କି, ରାତିରେ କେହି ପକ୍ଷୀ କି ଜୀବ ସେଇଟିକୁ ଖାଇଯାଇ ତାକୁ ଶାନ୍ତି ଦେଉ ।

 

ସକାଳେ ଦେଖିଲେ ପିମ୍ପୁଡ଼ିମାନେ କାମୁଡ଼ି କାମୁଡ଼ି ସେଇଟିକୁ ମାରିଦେଇ ଭୋଜି ଲଗାଇଛନ୍ତି । ଦି ଘଣ୍ଟା ପରେ ଅସଂଖ୍ୟ ପିମ୍ପୁଡ଼ି ସେହି ମଲାଦେହକୁ ପଟୁଆରରେ ବୋହି କିଛି ଉପରକୁ ଉଠାଇଛନ୍ତି, ତାଙ୍କର ଗାତ ପାଖକୁ ।

 

ଗୋଟାଏ ମଲା—ତାହାର ସାଥୀଟି ଅନ୍ୟକୁଆଡ଼େ ଚାଲିଗଲା । ଶ୍ରୀଧର ବାବୁଙ୍କର ସଞ୍ଜବେଳର ସାଙ୍ଗଟି ହଜିଗଲା ।

 

ସେ ମନେକରନ୍ତି ଯେ ଜୀବହତ୍ୟା କରି ନାହାନ୍ତି । ଜୀବଜନ୍ତୁ ଓ କୀଟପତଙ୍ଗଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ସ୍ନେହ ଆଦର ବଢ଼ି ଚାଲିଲା ।

 

ଠୋଲାରେ ଅଟା ଚିନି ଏକାଠି କରି ମିଶାଇ ସେ ପଡ଼ିଆରେ, ଘର ଓଳିରେ ଯେଉଁଠି ପିମ୍ପୁଡ଼ି ମନ୍ଦା ପାଆନ୍ତି ଦେଇ ଆସନ୍ତି । ପ୍ରତିଦିନ ସକାଳେ ଦିମୁଠା ଚାଉଳ ଆଣି କାଉଙ୍କ ଆଗରେ ବୁଣିଲାବେଳେ ଠିକ୍‌ ବେଳ ଜଗି ବହୁତ କାଉ ଆସି ରୁଣ୍ଡ ହୁଅନ୍ତି । କେବେ କେମିତି ସୁବିଧା ହେଲେ ବୁଲାକୁକୁରଙ୍କୁ କିଛି ଖାଇବା ଜିନିଷ ଦିଅନ୍ତି ।

 

କିନ୍ତୁ ଯୋଗୀ ଭିଖାରୀକୁ ଆଦର କରନ୍ତି ନାହିଁ । ଧନୀଲୋକ ଦେଖିଲେ ସେ କଥାଭାଷା କରନ୍ତି ନାହିଁ । ସେ କହନ୍ତି ଯେ ମଣିଷର ଉପକାର କଲେ ସେ ଅପକାର କରି ଶୁଝେଇ ଦିଏ; କିନ୍ତୁ ପଶୁପକ୍ଷୀଙ୍କୁ ଉପକାର କଲେ ସେ କୃତଜ୍ଞତା ଓ ଆନନ୍ଦ ଦେଖାଏ ।

 

ପ୍ରତିଦିନ କୁଆଗୁଡ଼ାକ ଉଡ଼ିଆସି ତାଙ୍କର ସମ୍ଭାଷଣ ଜଣାଇ ଯାଆନ୍ତି । ପିମ୍ପୁଡ଼ି ମନ୍ଦାରେ ସେ ଆଦର ପାଆନ୍ତି । ରାସ୍ତାର କୁକୁର ତାଙ୍କୁ ଦେଖିଲେ ଲାଙ୍ଗୁଡ଼ ହଲାଏ । ଯେଉଁ ଗାଈ ବାଛୁରୀକୁ ଦୁବଘାସ ଦି’ଦିଟା ଦେଇଥାନ୍ତି, ସେମାନେ ତାଙ୍କୁ ଦେଖିଲେ ଟିକିଏ ଠିଆହୋଇ ଚାହାନ୍ତି, ଶ୍ରୀଧରବାବୁ କଣ ଦେବାପାଇଁ ଆଣିଛନ୍ତି ବୁଝିବାକୁ ।

 

ତେଣୁ ତାଙ୍କର ସମସ୍ତ ଉପାର୍ଜନ ସେହି ମୂକ ଜୀବଗୁଡ଼ିକଙ୍କ ପାଇଁ ଖର୍ଚ୍ଚ କରି ଦେଇଥାନ୍ତି-। ଚଣ୍ଡୀଖୋଲ ବାବାଜୀଙ୍କ ପାଖରେ ରହି ସେ ଶୁଣିଥିଲେ ଓ ବୁଝିଥିଲେ ଯେ, ହିଂସା ନଥିଲେ ବାଘ ଭାଲୁ ମଧ୍ୟ କ୍ଷତି କରିବେ ନାଇ । ହିଂସା ନଥିବା ଲୋକଙ୍କୁ ଦେଖିଲେ ତାଙ୍କର ହିଂସା ପ୍ରବୃତ୍ତ ଉଠେ ନାହିଁ । ସେଥିପାଇଁ ଘୋର ଜଙ୍ଗଲରେ ମଧ୍ୟ ସେମାନଙ୍କ ପରି ନିରାଶ୍ରୟ, ନିରସ୍ତ୍ର ଲୋକର ଖଣ୍ଡେ କୌପୁନି ପିନ୍ଧି ବଞ୍ଚିରହିବା ସମ୍ଭବ ହୋଇଅଛି ।

 

ଶ୍ରୀଧର ବାବୁ ଏହି ପ୍ରକାରର ବିଶ୍ୱାସ ରଖି ସେହି ଧାରଣା ସତ ବୋଲି ମନେକରି ତାଙ୍କର ଆଖ ପାଖରେ ପ୍ରଚାରରେ ଲାଗିଥିବାରୁ ଲାକେ କହନ୍ତି, ସେ ଜଣେ ପାଗଳ । ଶ୍ରୀଧର ବାବୁ ଏଣେ ତାଙ୍କ ପାଖପଡ଼ିଶା ଲୋକଙ୍କୁ ମନେ କରନ୍ତି, ହୃଦୟହୀନ ଓ ମୂର୍ଖ ।

 

ଯୁକ୍ତିତର୍କ ହୁଏ । କାରଣ ମଣିଷରୁ ପ୍ରବୃତ୍ତି ଯେ ତାହାର ବିଶ୍ୱାସକୁ ନେଇ ଅନ୍ୟମାନଙ୍କଠାରେ ରୋଇବ । ତାହାହେଲେ ସାରାସଂସାର ଯାକ ସମସ୍ତେ ଏକା ପ୍ରକାରେ ଚଳିବେ-

 

ସାପ ବିଛା ଦେଖିଲେ ଶ୍ରୀଧର ବାବୁଙ୍କର ବଂଧୁମାନେ ସେମାନଙ୍କୁ ନିପାତ କରନ୍ତି । ଶ୍ରୀଧରବାବୁ ଦି’ଥର ସାପଦେଖି ଦୂରକୁ ଚାଲି ଆସିଛନ୍ତି, ସାପ ଗୋଡ଼ାଇ ନାଇ କି ତାଙ୍କ ଦୁଆର କି ବାରିକୁ ଆଉ ଆସିନାଇ ।

 

ଆଶ୍ଚର୍ଯ୍ୟଭାରରେ ସେ ତିନିଥର ତାଙ୍କର ବହିଖାତା ମଧ୍ୟରୁ କଙ୍କଡ଼ା ବିଛା ପାଇଛନ୍ତି । ଠିକ୍‌ ଦି ଚାରି ଆଙ୍ଗୁଳି ଦୂରରେ ବିଛା ରହି ନାହୁଡ ଟେକିଚି । ଦୟାଦେଖାଇ ଶ୍ରୀଧରବାବୁ ତାକୁ ସିଗାରେଟ ଟିଣରେ ବନ୍ଦୀ କରିନେଇ ପଦାରେ ଛାଡ଼ି ଦେଇଚନ୍ତି । ସେତେବେଳେ ସେ ଭାବି ନାହାନ୍ତି କି ସେହିମାନଙ୍କର ଶତ୍ରୁ ତାଙ୍କୁ ପଦାରେ ନିରାଶ୍ରୟ ଅବସ୍ଥାରେ ପାଇଲେ ଶେଷ କରିବ କି ନାହିଁ ।

 

ଏମିତି ଶ୍ରୀଧରବାବୁଙ୍କର ବଂଧୁମାନେ ସାପକାମୁଡ଼ା ଓ ବିଛାକାମୁଡ଼ା ଭୋଗିଛନ୍ତି । କିନ୍ତୁ ଶ୍ରୀଧରବାବୁ କେବେ ସେହି ଅପଘାତ ଭୋଗି ନାହାନ୍ତି । ସେଥିରୁ ସେ ସ୍ପଷ୍ଟ ପ୍ରମାଣ କରି ଦିଅନ୍ତି ଯେ, ମନ ଭିତରେ ପଶୁପକ୍ଷୀ, କୀଟପତଙ୍ଗ, ସାପ ବିଛାଙ୍କ ପ୍ରତି ସ୍ନେହ ଓ ମମତା ଥିଲେ ସେମାନଙ୍କର ମାରାତ୍ମକ ଆକ୍ରମଣରୁ ରକ୍ଷା ମିଳିବ ।

 

ଦିନକର ସନ୍ଧ୍ୟାବେଳେ ଅଫିସରୁ ଫେରି ବାରଣ୍ଡାରେ ବସିଛନ୍ତି । ବହୁତ କୁଆ ଶବ୍ଦ କରି ଏପାଖ ସେପାଖ ହେଉଛନ୍ତି । ଗୋଟିଏ ବିରାଡ଼ି ଛକି ବସିଛି ବାରି ମଝିରେ ।

 

ସନ୍ଧ୍ୟାବେଳେ ସେ କିଛି ଦିଅନ୍ତି ନାହିଁ । କୁଆଗୁଡ଼ିକଙ୍କର ଏହି ଶବ୍ଦ ଶୁଣି ସେ ପଦାକୁ ଆସି ଦେଖିଲେ, ଗୋଟିଏ ଗଛମୂଳରେ କୁଆଟିଏ ବସିଛି । ତାହାର ପଚାଶ ହାତ ଦୂରରେ ବିରାଡ଼ିଟିଏ କିଛି ନ ଜାଣିଲା ପରି ବସି ଚାହିଁଛି । ଚାରିଆଡ଼େ ଗୋଟା ତିରିଶ କୁଆ ଏପାଖ ସେପାକ ଉଡ଼ି ଶବ୍ଦ କରିବାରେ ଲାଗିଛନ୍ତି ।

 

ଶ୍ରୀଧରବାବୁ ପଦାକୁ ଆସିଲାରୁ ବିରାଡ଼ି ଖସି ପଳାଇଲା । କୁଆଗୁଡ଼ିକ ସେମିତି ଫଡ଼ଫଡ଼ ହୋଇ ଏପାଖ ସେପାଖ ହେଉଥାନ୍ତି । ଗଛମୂଳରେ ବସିଥିବା କୁଆଟି ଆଉ ଟିକିଏ ଘୁଞ୍ଚିଗଲା ଗଛମୂଳକୁ । ଉଡ଼ି ପଳାଇଲା ନାହିଁ । ଚାହିଁ ଦେଖିଲାରୁ ଉପରୁ ପୁଣି ଭାରି ଶବ୍ଦ ହେଲା । ବୁଝିଲେ ଯେ, ଛୁଆ କାଉଟିଏ ଖଣ୍ଡିଉଡ଼ା ଦେଇ ଗଛଡ଼ାଳ ବସାରୁ ତଳକୁ ଖସି ପଡ଼ିଛି । ସେଥିପାଇଁ ଏହି ସବୁ ଉତ୍ପାତ ।

 

ବିରାଡ଼ିଟି ଛୁଆଟିକୁ ଖାଇ ଦେଇଥାନ୍ତା ସୁବିଧା ପାଇଥିଲେ । ଶ୍ରୀଧରବାବୁ ତା’କୁ ରକ୍ଷା କରିଛନ୍ତି । ସକାଳ ହେଲେ ତା’କୁ ନେଇ ତାହା ବସାରେ ଥୋଇ ଦେଇ ଆସିବେ । ସନ୍ଧ୍ୟାବେଳ ହୋଇ ଆସୁଥିବାରୁ ଛୁଆଟିକୁ ରକ୍ଷା କରିବା ପାଇଁ ଗୋଟିଏ କଣ ଟୋକେଇ ଦେଇ ଢାଙ୍କିଦେଲେ । ମା’ ଦେଖିପାରିବ ଛୁଆକୁ । ପବନ ଆଲୁଅ ଯିବା ଆସିବାରେ ବାଧା ହେବନାହିଁ । ସନ୍ଧ୍ୟା ହୋଇଗଲେ ସେ ତାକୁ ନେଇ ଘରେ ରଖିବେ । ତହିଁଆରଦିନ ଛୁଆ ମା’ ପାଖକୁ ଫେରିଯିବ ।

 

ଆଲୁଅ ଯେଉଁ ଦଣ୍ଡେ ଅଧେ ରହିଲା ସେଥିଭିତରେ କୁଆଗୁଡ଼ିକଙ୍କର ଉତ୍ପାତ ଓ ଶବ୍ଦ ବନ୍ଦ ହେଲା ନାହିଁ । ସେମାନେ ମନେ କଲେ, ଛୁଆଟିକୁ ଶ୍ରୀଧରବାବୁ ବନ୍ଦୀ କରିଛନ୍ତି । ସେ ଅନେକ ସମୟ ପଦାରେ ରହିଲେ, ତାଙ୍କର ଦେହ ଘଷି ହୋଇ ଓ ପାଖ ଦେଇ କୁଆଗୁଡ଼ିକ ଏପାଖ ସେପାଖ ହେଉଥାନ୍ତି । ସେମାନେ ଶ୍ରୀଧରବାବୁଙ୍କୁ ଆକ୍ରମଣ କରିବାକୁ ଚେଷ୍ଟାକରି ଯେ ଭରସି ପାରୁନାହାନ୍ତି, ଏକଥା ସେ ବୁଝି ନପାରି ମନେ କରୁଥିଲେ, ବଂଧୁ ଭାବରେ ସମ୍ଭାଷଣ କରିବାକୁ ପକ୍ଷୀଗୁଡ଼ିକ ଶବ୍ଦ କରୁଛନ୍ତି ।

 

ସନ୍ଧ୍ୟା ହେଲାରୁ ଶବ୍ଦ ବନ୍ଦ ହେଲା । ଚଢ଼େଇଗୁଡ଼ିକ ଗଛକୁ ଚାଲିଯାଇ ବିଶ୍ରାମ କଲେ । ଶ୍ରୀଧରବାବୁ ଦୁଃଖିତ ହୋଇ ଭାବିଲେ ଯେ, ଛୁଆଟି ପାଇଁ ମଣିଷ ଯେତେ ସ୍ୱାର୍ଥତ୍ୟାଗ କରନ୍ତା, ଚଢ଼େଇ ସେତେ କଲା ନାହିଁ । ଖୁବ୍‌ ଶବ୍ଦ କଲେ, ଉଡ଼ିଲେ ସିନା କିନ୍ତୁ ସନ୍ଧ୍ୟାରେ ଛୁଆ ପାଖରେ ରହିଲେ ନାହିଁ । ଟୋକେଇର କଣା ଭିତର ଦେଇ ଚଢ଼େଇଛୁଆଟି ପାଖରେ ଆସି କଟାଇବାପାଇଁ ମା’ର ସାହସ କଲା ନାହିଁ ।

 

ଅନ୍ଧାର ହୋଇ ଯିବାରୁ ସେ ତ୍ରସ୍ତ କୁଆଟିକୁ ଧରି ଆଣି ପିଣ୍ଡାରେ ଟୋକେଇ ଢାଙ୍କି ରଖିଲେ । ରାତିରେ ସେ ବଡ଼ ଆନନ୍ଦରେ ରହିଲେ ।

 

ତହିଁଆର ଦିନ ସକାଳୁ ସେ ଗଛ ପାଖକୁ ଯାଇ ଉପରକୁ ଚାହିଁଲେ । ଚଢ଼େଇଗୁଡ଼ିକ ସେଦିନ ଯେମିତି ତାଙ୍କର ଆଧାର ଶ୍ରୀଧରବାବୁଙ୍କଠାରେ ନେବାକୁ କୁଣ୍ଠିତ । ଲୋଭରେ କେଇଟି ଆସି ଖାଇଲେ । କିନ୍ତୁ ଅଧିକାଂଶ ସେମିତି ଉଡ଼ାଉଡ଼ି ଓ ଶବ୍ଦ କରିବାରେ ଲାଗିଲେ । ଶ୍ରୀଧରବାବୁ ମନେ କଲେ, ଛୁଆ ହଜିଯାଇଛି ବୋଲି ଫେରାଇ ଦେବାକୁ ସେମାନଙ୍କର ଅଳି ।

 

ନିଜେ ଟୋକେଇରେ ରଖି ଟୋକେଇ ମୁହଁ ଅଧା ଘୋଡ଼ଣୀରେ ବନ୍ଦ କଲେ । ନିଜେ ଗଛରେ ଚଢ଼ି ବସା ପାଖରେ ଟୋକେଇକୁ ଗଛଡାଳରେ ଭଲକରି ବାଂଧି ଦେଲେ । ଛୁଆଟି ଡାଳ ପାଇ ସେଥିରେ ଲଟକି ବସି ରହିଲା । ଚାରିଆଡ଼େ କୁଆଙ୍କର ଶବ୍ଦ । ସତେ ଯେମତି ଗୋଟିଏ ଶତ୍ରୁ ଆସିଛି । କିନ୍ତୁ ଶ୍ରୀଧରବାବୁ ଭାରି ଖୁସି ଯେ, ସେ ଗୋଟିଏ ଉପକାର କରିଛନ୍ତି ।

 

ଓହ୍ଲେଇ ଆସିଲେ । ଆସିଲାବେଳେ ବି ତାଙ୍କ ପାଖ ଦେଇ କୁଆ କେଇଟି ଭାରି ଏପାକ ସେପାଖ ହେଲେ । ସେ ମନେ କଲେ ଯେ, ସେମାନେ କୃତଜ୍ଞତା ଜଣାଉଛନ୍ତି । ମନରେ ଧାରଣା କଲେ ଯେ, ମଣିଷଠାରୁ ଏହି ପକ୍ଷୀଗୁଡ଼ିକ କେତେ ଭଲ ।

 

ତାହାର ଅଧଘଣ୍ଟାକ ପରେ ସେ ଯେତେବେଳେ ପୋଷାକପତ୍ର ପିନ୍ଧି ତାଙ୍କର କାମକୁ ବାହାରିଲେ । ଦେଖିଲେ ଯେ, କୁଆ କେଇଟି ତାଙ୍କୁ ଆକ୍ରମଣ କରିବାକୁ ତାଙ୍କ ପଛେ ପଛେ ଧାଇଁଛନ୍ତି । ଅସୁନ୍ଦର କଥା । ରାସ୍ତା ମଝିରେ ଏମିତି ତାଙ୍କ ଚାରିଆଡ଼େ କୁଆଗୁଡ଼ାଏ ଶବ୍ଦ କରି ଧାଇଁଲେ ଲୋକେ କଣ ଭାବିବେ ? କଣ ପାଇଁ ସେମାନେ ବିରକ୍ତ , ବୁଝି ନ ପାରି ଖଣ୍ଡେ ଡାଳ ଓ ଟେକା ଫୋପାଡ଼ି ସେମାନଙ୍କର ଆକ୍ରମଣରୁ ନିଜକୁ ରକ୍ଷା କରି ତରବରରେ ଲୋକ ଭିତରେ ପଶିଗଲେ । କୁଆଙ୍କଠାରୁ ଅବ୍ୟାହତ ମିଳିଲା ।

 

ଅଫିସରୁ ଫେରି ଘରକୁ ପଶି ଆସିଲାବେଳେ ପୁଣି ସେହି ଶବ୍ଦ ଓ ଉତ୍ପାତ ଶ୍ରୀଧରବାବୁ ଗୋଟିଏ ଭଲକାମ କରିବାକୁ ଯାଇ ସତେ ଯେମିତି ଚଢ଼େଇଗୁଡ଼ିକର ଶତ୍ରୁ ହୋଇପଡ଼ିଛନ୍ତି । ସେ ଦିନ ସନ୍ଧ୍ୟାରେ ସେ ଅନେକ ଚିନ୍ତା କଲେ । ତାଙ୍କୁ ଜଣାଗଲା, ଯେମତି ପକ୍ଷୀଗୁଡ଼ିକ ତାଙ୍କୁ ଭୁଲ୍‌ ବୁଝିଲେ ।

 

ତହିଁ ଆରଦିନ ସକାଳେ ଆଧାର ନେଇ ବୁଣିଲାବେଳେ ସେ ସେହି ଶବ୍ଦ ଶୁଣିଲେ । ପ୍ରତ୍ୟେକ ଶବ୍ଦରେ ଯେମିତି ହିଂସା, ବୈରତା ଫୁଟି ଉଠୁଥିଲା । ସେ ଦୁଃଖିତ ଓ ବିବ୍ରତ ହୋଇ ସେମାନଙ୍କୁ ଚାହିଁ ଭାବିଲେ, ମଣିଷକୁ ସେ ମଣିଷ ଖାଲି ଭୁଲ୍‌ବୁଝେ, ଠିକ୍‌ନୁହେ । ପଶୁପକ୍ଷୀ ବୋଧହୁଏ ଭୁଲ୍‌ ବୁଝନ୍ତି ।

 

ସେମାନଙ୍କର ଆକ୍ରମଣରୁ ନିଜକୁ ଏଡ଼ାଇବାକୁ ସେ ଆସି ଘରେ ପଶିଲେ । ଲୁଚି ଦେଖିଲେ, ସେହି ଆଧାରକୁ ସେମାନେ ଗ୍ରହଣ କଲେ । ଭାବିଲେ ମିଳାମିଶା ହୋଇଗଲା ।

 

ଘଣ୍ଟାକ ପରେ ବୁଲିଯିବା ବାହାନାରେ ସେ ରାସ୍ତାକୁ ଉଠିଲେ । ପୁଣି ସେହି ଆକ୍ରମଣର ତୋଫାନ । ରାସ୍ତାରେ ଗଲା ଅଇଲା ଲୋକ ଚାହିଁ ଦେଖିଲେ ଯେ ଭଦ୍ରଲୋକଟିକୁ ଖୁମ୍ପିବାକୁ କୁଆଗୁଡ଼ିଏ ଭାରି ଧାଇଁଚନ୍ତି ? ଏତେଲୋକ ଥାଉଁ ଥାଉଁ ଜଣକୁ କାହିଁକି ସେମାନେ ବାଛିଲେ-? ବୋଧହୁଏ ଲୋକଟା ଦୁଷ୍ଟ । କୁଆଗୁଡ଼ିଙ୍କୁ ବୋଧହୁଏ ହରକତ୍‌ କରେ । ସେଥିପାଇଁ ଏ ଆୟୋଜନ-

 

ଖଣ୍ଡେ ବାଟ ଗଲେ । କିନ୍ତୁ ଏହି ଆକ୍ରମଣରୁ ଅବ୍ୟାହତ ନାହିଁ । ଶ୍ରୀଧରବାବୁଙ୍କର ସାଙ୍ଗସାଥୀ ଆସି ଜୁଟିଗଲେ ମଜା ଦେଖିବା ପାଇଁ । ଜୀବବଧ ବିଷୟରେ କହୁଥିବା ଲୋକଟିର ଦୁର୍ଗତି ପାଇଁ । ସେ ଯାଇ ଜଣକ ଘରେ ଆଶ୍ରୟ ନେଲେ ଏହି ଲୋକଲଜ୍ଜାରୁ ନିଜକୁ ଲୁଚାଇବା ପାଇଁ ।

 

ଆଇଲାବେଳେ ଖଣ୍ଡେ ଚାଦର ମୁଣ୍ଡରେ ଦେଇ ଦୋଷୀଲୋକ ପରି ଲୁଚି ଲୁଚି ଘରକୁ ଆସିଲେ । ସବୁ ପିତା ଲାଗିଲା ।

 

ଯେଉଁଲୋକ ମଣିଷଠାରୁ ଏତେ ଉପକାର ପାଇ ମଣିଷଜାତିକୁ ଘୃଣା କରୁଥିଲା, ସେହି ଲୋକ ଆଜି ଜୀବଜନ୍ତୁଙ୍କୁ ଦୟା ଦେଖାଇ, ସେମାନଙ୍କର ଉପକାର କରି ତାଙ୍କଠାରୁ ଘୃଣା ଓ ଶତ୍ରୁତା ଅର୍ଜିଛି ।

 

ସେଦିନକ ସେ ଅଫିସରୁ ଛୁଟି ନେଲେ । ଯେତେବେଳେ ପଦାକୁ ଆସନ୍ତି ସେହି ଯୁଦ୍ଧର ଆୟୋଜନ ଆରମ୍ଭ ହୁଏ । ଶ୍ରୀଧରବାବୁ ଜଣେ ଯେମିତି ଶତ୍ରୁ ।

 

ଦୁଃଖର ଆଘାତ ପାଇ ପାଇ ତାଙ୍କର ଖିଆଲ ଭାଙ୍ଗିଗଲା । ସେ ବିଳିବିଳେଇ ଉଠିଲା ପରି ନିଜକୁ କହିଲେ ଭୁଲ କରିଛନ୍ତି ବୋଲି । ସଂସାରରେ ଯେ ଜୀବନ ପାଇ ବଞ୍ଚିଥାଏ ସେ ତାହାରି ପରି ବଞ୍ଚି ରହିଥିବା ଲୋକର ଶତ୍ରୁ । ହିଂସା, ଶଠତା, କଟବୁଦ୍ଧି ଖେଳାଇ ସେ ତାହାଠାରୁ ସବୁ ରସ ନିଗାଡ଼ି ଦେଇଥାଏ । ମଣିଷ ଯାହା, ପଶୁପକ୍ଷୀ ସେଇଆ ।

 

ଗୁଣୁ ଗୁଣୁ ହୋଇ ସେ ଈଶ୍ୱରଙ୍କୁ ଜଣାଇଲେ ‘ପ୍ରଭୁ ହେ, ଏତେ ବର୍ଷରେ ଗୋଟିଏ ବିଶ୍ୱାସକୁ ଟାଣ କରି ଗଢିଥିଲି–ଭାଙ୍ଗିଦେଲ । ହଉ ।’

☆☆☆

 

ଚକ୍ରବାଳ

 

ସୁର ପ୍ରତିଦିନ ଦେଖେ—ସୂର୍ଯ୍ୟ ଯେଉଁଆଡ଼ୁ ଉଇଁ ଆସନ୍ତି, ସେଇଟା ପୂର୍ବଦିଗ । ଯେଉଁଆଡ଼େ ଅସ୍ତ ଯାଆନ୍ତି, ସେଇଟା ପଶ୍ଚିମ ଦିଗ ।

 

ବାପା ଯାଆନ୍ତି କଟକ । କଟକ ଅଛି ତାହାର ଗାଁର ପଶ୍ଚିମକୁ । ବୋଉ ଦିନଯାକ ବସି ଗୁଣୁଗୁଣୁ ହେଉଥାଏ—ନାଳବନ୍ଧ ଧରିବେଣି, ପୋଲପାର ହୋଇ ଯିବେଣି, ସମାଧି ଟପି ଯିବେଣି କଟକରେ ପହଞ୍ଚି ଯିବେଣି ।

 

ସବୁ ପଚାରେ, ‘ବୋଉ, ଆଗ ସୂର୍ଯ୍ୟ ବୁଡ଼ିବେ କି ବାପା କଟକରେ ପହଞ୍ଚିବେ ?’ ‘ନାହିଁ:, ବାପା ଆଗ ପହଞ୍ଚିବେ । କି ବେଳ ରତ ରତ ହେଉଥିବ ପହଞ୍ଚୁଯିବେ ।’ ବୋଲି ବୋଉ କହେ ।

 

ସୁର ପୁଣି ପଚାରେ, ‘ତାହାହେଲେ ବାପା କଣ ସୂର୍ଯ୍ୟଠୁଁ ଚଞ୍ଚଳ ଯାଆନ୍ତି ? ହେଉଥିବ–କେଡ଼େ ଧପଡ଼ରେ ଯାଉଥିଲେ ତ ।’

 

ବାପା ଫେରିଲେ, ସୁର ଆସି ପଚାରେ ‘ବାପା ଗଲାଥର ତମେ ଆଗ ହେଲ ନା, ସୂର୍ଯ୍ୟ ଆଗ ହେଲେ ?’ ବୋଉ କହୁଥିଲା, ତମେ ଆଗ ପହଞ୍ଚିଲା ପରେ ଯାଇଁ ସୂର୍ଯ୍ୟ ପହୁଞ୍ଚିଲା । ମୁଁ କହିଲି ହେଇଥିବ । ବାପା ଭାରି ଧପଡ଼ରେ ଯାଉଥିଲେ—

 

ବାପା ହସି କହନ୍ତି, ‘ହଁ ରେ ସୁର, ମୁଁ ତ ଧାଇଁଥାଏ । ସୂର୍ଯ୍ୟ ପହୁଞ୍ଚିବା ଆଗରୁ ଯାଇ କଟକରେ ହୋଇଗଲି ।’

 

ସୁର ଚାହେଁ ତାହାର ବାପାଆଡ଼େ । ଚପରାସି ହେଲେ ବି ସୂର୍ଯ୍ୟଙ୍କ ଆଗରେ ସେ ଯାଇଁ ପହୁଞ୍ଚିଲା କଟକରେ । ପୁଅ ସୁର ଭାବିଥିଲା—ସୂର୍ଯ୍ୟଦେବତା କଟକରେ ବୁଡ଼ିଯାନ୍ତି । ବାପା ସେଠି ଯାଇ ଚାକିରି କରି ଟଙ୍କା ଆଣନ୍ତି । ପ୍ରତିଦିନ ଦେଖୁଥିବା ସୂର୍ଯ୍ୟ କେମିତି ବୁଡ଼ୁଛି । ସେଖାଲି ତାହାର ଗାଁ ଦାଣ୍ଡରୁ ଦେଖେ ବହୁତ ଦୂରରେ ଗଛ ଉହାଡ଼କୁ ସୂର୍ଯ୍ୟ ଖସି ଯାଇଛନ୍ତି ଓ ଅନ୍ଧାର ଘୋଟି ଆସୁଛି-

 

ପିଲାଟି ମନରେ କଟକ କହିଲେ ହୁଏ ଏଡ଼େ ଉଜାଲା ସୂର୍ଯ୍ୟଙ୍କର ବୁଡ଼ିଯିବା ଥାନ ଓ ବାପାଙ୍କର ଚାକିରି ଥାନ । ସେଠି ତାର ସହେ ନାହିଁ । ବାପା ନ ଥିଲେ କଟକ ଚାଲେ ନାହିଁ । ଭାରି ବଡ଼ ଜାଗା ସେହି କଟକ ।

 

କେମିତି ସୁର ସେଠି ସବୁଦିନ ରହନ୍ତା, ଆଉ ଗାଁକୁ ଆସନ୍ତା ନାହିଁ । ବୋଉ କହିଥିଲା ଭାରି ବଡ଼ ଜାଗା କଟକ । ତାହାର ଗାଁଠୁ ଦଶ କୋଶ ଦୂର । ସେଠି ବଡ଼ ବଡ଼ ଲୋକ ଅନେକ ଅଛନ୍ତି । ବହୁତ ପକାକୋଠା ଅଛି । ସୁର ମଣିଷ ହେଲେ ସେଠି ରହିବ ।

 

ଭାରତର ସହର କହିଲେ କଲିକତା ଦିଲ୍ଲୀ ବୁଝାଏ । ସେଠି ଲୋକେମାନେ କରନ୍ତି କି କଟକ ଗୋଟାଏ ମଫସଲି ଗାଁ–ସହର କୁହାଯାଇଛି ଖାଲି ଭଦ୍ରତା ଖାତିରିରେ । କଟକର ବାବୁମାନେ ରେଲ ଚଢି ଦୀଲ୍ଲି, କଲିକତା ଗଲାବେଳେ ବି ମନେ କରନ୍ତି ସେହିଆଡ଼େ ମଣିଷ ରହନ୍ତି, କଟକରେ ରହନ୍ତି ଅଗାଡ଼ି । ସେହିଆଡ଼ୁ ଉତ୍ତରା ପବନ ଶୀତ କୁହୁଡ଼ି ଉଡାଇ ଆଣେ । ସେହିଆଡ଼ୁ ଫେରନ୍ତା ମେଘ ବର୍ଷି ବର୍ଷି ଚାଲି ଆସେ । ସେଠି ରଜା ରହନ୍ତି, ପଲଟନ ରହନ୍ତି, ମଣିଷ ରହନ୍ତି, ମସ୍ତିଷ୍କ ରହେ, ଆଉ ନ ରହେ କଣ ?

 

ଚପରାସି ପିଲା ସୁର କଟକ କହିଲେ ଯାହା ବୁଝେ, ସୁରର ମା କଟକ କଥା ଭାବିଲେ ଯାହା ସମୁଝି ଥାଏ, କଟକର ବଡ଼ ବଡ଼ ମଣିଷ, ଜ୍ଞାନୀ ଓ ପାରିଲାର ଲୋକେ, ଲୋକଙ୍କ ଘରଣୀ ଓ ପିଲା ଦିଲ୍ଲୀ, ବମ୍ୱେଇ, କଲିକତା ଆଦି କହିଲେ ପ୍ରାୟ ସେଇଆ ବୁଝନ୍ତି ।

 

ତାଙ୍କର ଦୃଷ୍ଟି ସେହି ଉତ୍ତର ଆଡ଼କୁ ରହିଥିଲା ପରି ଗାଁର ସୁର ମଧ୍ୟ ପଶ୍ଚିମ ଦିଗର କଟକକୁ ସେହି ଲକ୍ଷ୍ୟରେ ଚାହିଁ ରହିଥିଲା । ତାହାର ପିଲା ଛାତରେ କେଡ଼େ ଆଗ୍ରହ, କେତେ ଆଶା-। କଟକ ଆସିବ, କଟକରେ ରହିବ, ଆଉ ସେହି ଗାଁକୁ ଫେରିବ ନାହିଁ ।

 

ନ’ ବର୍ଷ ହେଲାବେଳେ ସେ କଟକ ଆସିଲା ବାପା ସାଙ୍ଗରେ । ପିଲାଟା ଚାଲିପାରିବ ନାହିଁ ବୋଲି ବୋଉ ଗାଁରୁ ଗୋଟିଏ ଗୋରୁଗାଡ଼ି ସିଜିଲ କରି ଦେଇଥିଲା, ବାପ ପୁଅ ଦୁହିଁଙ୍କ ପାଇଁ-। ସାଥିରେ ମଇଳା ଲୁଗାର ପୁଡ଼ାରେ ବଡ଼ି, ଆଚାର, ଚୂଡ଼ା, ନଡ଼ିଆ ଆରିଷାପିଠା ସବୁ ହେଇ କଟକ ସଉଦା ଓ ବାଟ ଖରଚର ବ୍ୟବସ୍ଥା କରା ହୋଇଥିଲା ।

 

ସୁର ଛାଡ଼ିଯିବ ବୋଲି ବୋଉ ମନରେ ସୁଖ ନାହିଁ, କଟକରେ ରହିବ ବୋଲି ସୁର ମନରେ ଦୁଃଖ ନାହିଁ । ବାପା କଟକ ଛାଡ଼ି କେତେଥର ଯା ଆସ କଲାଣି—ଘର ଛାଡ଼ି କଟକରେ ରହୁଛି, କଟକ ଛାଡ଼ି ଘରକୁ ଆସୁଛି । ‘ବୋଉ ଠିକ୍‌ କହେ, ବାପାଟା ଭାରି ପଥର—ସବୁ ସହିପାରେ । ଯେଉଁଥିରେ ବୋଉ କାନ୍ଦି ପକାଏ, ବାପା ସେଥିରେ ଟିକିଏ ବି ମନ ମାରେ ନାହିଁ ।’

 

ସେତେବେଳେ କଟକର ଏବକା ଜାରି ନଥିଲା । ଗୋରୁ-ଗାଡ଼ି ଚାଲୁଥିଲା । ରାସ୍ତାଗୁଡ଼ାକ ପିଚୁପଡ଼ି କଅଁଳିଆ କଳା ହୋଇ ନଥିଲା । କଟକ କହିଲେ ବୁଝାଉଥିଲା ଚାଳଘର, ଭୁତିଆରି ଜଙ୍ଗଲ, ମାଟିରାସ୍ତା ଓ ମଫସଲିଆ ମଣିଷ ।

 

ନୂଆବଜାର ପାଖେ ସୁରର ବାପା କହିଲା, ‘ହେଇରେ ସୁର, ଏହି ଯେଉଁ ଡେଙ୍ଗା ଦେବଦାରୁ ଗଛ ଦିଶୁଛି, ତାହାରି ଆରପାଖେ କଟକ । ସୁର ତନ୍ମୟ ହୋଇ ଦେଖିବାକୁ ଗାଡ଼ି ଭିତରେ ସିଧା ଠିଆ ହୋଇଗଲା । ତାହାର ମୁଣ୍ଡ ବାଜିଲା ଗୋରୁଗାଡ଼ିର ତାଟି ଘେରା ବାଉଁଶ ଦେହରେ । କପାଳରେ ସେଠି ଖଣ୍ଡିଆ ରହିଯାଇ ସବୁଦିନେ ସୁରକୁ ମନେ ପକେଇ ଦିଏ କି ସେ କଟକ ଆସିଥିଲା ।

 

ସେଦିନ ତାହାପାଇଁ ଥିଲା କଟକ ଗୋଟିଏ କଳ୍ପନାର ସହର । ସେଠି ଗାଁଠୁ ବଡ଼ଲୋକେ ରହନ୍ତି । ସୂର୍ଯ୍ୟ ସେଠି ପ୍ରତିଦିନ ବୁଡ଼ନ୍ତି । ବାପା ନଥିଲେ କଟକ ଚାଲେ ନାହିଁ ଠିକ୍‌ ।

 

କଟକରେ ରହି ସୁର ଦେଖିଲା, ସୂର୍ଯ୍ୟ କଟକ ସେ ମୁଣ୍ଡରେ ଯାଇ ବୁଡ଼ନ୍ତି । ହଁ—କଟକ ମଝିରେ ବୁଡ଼ିଲେ କ’ଣ ଲୋକ ଆଉ ପ୍ରାଣପାଇ ରହନ୍ତେ ? କେଡ଼େ ଧାସ—କେଡ଼େ ତାତି । ବୋଉ କଥା ମନେପଡ଼େ । ଯେଉଁଠି ସୂର୍ଯ୍ୟ ବୁଡ଼ନ୍ତି ସେ ହେଉଛି କଟକ । ବାପାଙ୍କୁ ପଚାରେ ଗାଁଟା କେତେ ଦୂର ? —ବାପା କହେ, ଯେଉଁଠୁ ଏହି ସୂର୍ଯ୍ୟ ଦେବତା ଉଇଁ ଆସନ୍ତି ସେହି ହେଉଛି ଆମ ଗାଁ । ସୁର ଖୁସି ହୋଇ ଭାବେ, ତାହାହେଲେ ସୂର୍ଯ୍ୟ ଲାଗି ରହିଛନ୍ତି ତାହାର ଗାଁଠୁ ରହିବା ଜେଗା କଟକ ଯାଏ ।

 

ଦି’ପାଖରେ ନଈ । କାଠଯୋଡ଼ୀ ନଈ ଦେଖିଲାଣି । ବସାରୁ ରୋଜ ଗାଧୋଇ ଆସେ କାଠଯୋଡ଼ି ନଈକୁ । ବାପା କହିଛି, ବୁଲେଇ ନବ ସେପାଖ ମହାନଦୀ କୂଳକୁ ଦିନେ । କାଠଯୋଡ଼ି ନଈରେ ଠିଆ ହୋଇ ଦେଖେ, ଆଗରେ ପୂର୍ବଦିଗରୁ ରେଲପୋଲ ଆରପାଖୁ ସୂର୍ଯ୍ୟ ଉଇଁ ଆସନ୍ତି–ତାହାର ବୋଉ ରହୁଥିବା ଗାଁ ଆଡ଼ୁ । ସାମନାରେ ଦୂରର ମସିହା ପାହାଡ଼ ଦିଶେ । ବାପାକୁ ପଚାରିଲେ କହେ, ‘ସେଠି ଠାକୁର ସବୁ ଓହ୍ଲାନ୍ତି ସ୍ୱର୍ଗରୁ । ଆଉରି ପଶ୍ଚିମରେ ସେମିତି କଟକ ଆରପାଖେ ଯେଉଁଠି କାଠଯୋଡ଼ି ନଈ ବାହାରିଛି ସେଠି ସେମିତି ସୂର୍ଯ୍ୟ ବୁଡ଼ି ଯାଆନ୍ତି ।

 

ତିନିଆଡ଼େ ସେ ସୀମାରେଖା ଦେଖ । ଆକାଶ ପୃଥିବୀକୁ ଲାଗିଛି । ଗୋଟିଏ ପାଖରେ ଗାଁ, ସାମନାରେ ଠାକୁରଙ୍କର ରହିବା ତାନ, ଆରପାଖେ ଅଛି ସୂର୍ଯ୍ୟଙ୍କର ବୁଡ଼ିବା ଗାତ ଓ ସେପାଖେ ମହାନଦୀ ।

 

ତାହାର କଳ୍ପନାର ପରିସରରେ ରହନ୍ତି କେଇଟି ମଣିଷବାପା, ବୋଉ, ଗାଁର ଲୋକେ ଓ ପୃଥିବୀ କହିଲେ ଦେଖେ କଟକକୁଗାଁରୁ କଟକ ।

 

ଏଠି ସୁର ରହିବ ଓ ବଡ଼ ହେବ । ପାଠ ପଢ଼ିବମଣିଷ ହବ ।

 

ବହିରେ ପଢ଼ିଲା ଚକ୍ରବାଳ କଣ ? ଯେତେଦୂର ପରେ ଆଖି ପୃଥିବୀ ସାଙ୍ଗରେ ଆକାଶକୁ ମିଶିବା ଦେଖି ହୁଏ ସେହି ହେଉଛି ଚକ୍ରବାଳ । ତାହାର କଳ୍ପନା ଧୀରେ ତେଜି ଉଠେ । ସେ ଦୂରରୁ ଦୂରକୁ ଦେଖିପାରେ । ଗାଁକୁ ଫେରିଲା ବେଳେ ଗାଡ଼ି ଭିତରୁ ଅନେଇ ଥାଏପୃଥିବୀ ଉପରେ ପଡ଼ିଥିବା ଲମ୍ୱ ରାସ୍ତାଟି କେମିତି ସରୁହେଇ ଆଗକୁ ପଶିଯାଇଛି । ଯେତେ ଚାଲିଲେ ବି ସରୁ ନାହିଁ । ଯେତେ ପଢ଼ିଲେ ବି ସରୁ ନାହିଁ । ଯେତେ ଭାବିଲେ ବି ଭାବନା ସରୁ ନାହିଁ ।

 

ବୋଉ କହେ ସୁର ବଡ଼ ମଣିଷ ହବୁ । କଟକରେ ଭାରି ପଣ୍ଡିତ ଓ ଧନୀଲୋକ ଅଛନ୍ତି; ତାଙ୍କଠାରୁ ସରସ ହେବୁ । ଧନୀଲୋକ କିଏ କହିଲେ ବୋଉ ବୁଝାଇଦିଏ, ଦୋକାନୀ ଓ ମାରୁଆଡ଼ି-। ବହୁତ ଟଙ୍କା ରଖିଛନ୍ତି ଘରେ ଓ ବେଙ୍କରେ । ପଣ୍ଡତଲୋକ ହେଲେ ମାଷ୍ଟ୍ର ଓ ଓକିଲ-। ପାଠଗୁଡ଼ାକ ତାଙ୍କ ମୁଣ୍ଡରେ ଖାଲି ଖିଜିବିଜି ହେଉଥାଏ । ବହିରେ ପୋତେ ଯେତେ ଉଭା ସେତେ-

 

ସୁର ଖୁସି ହୁଏ । କେଡ଼େ ସହଜରେ ସେ ବୁଝିଯାଉଛି । ଅନେକ ଦୋକାନୀ ଓ ମାରୁଆଡ଼ି ଦେଖିଲାଣି । ସେମିତି ଅନେକ ଓକିଲ ଓ ମାଷ୍ଟ୍ରଙ୍କୁ ବି ଜାଣିଲାଣି ।

 

ସେଇଟା ହୁଏ ତାହାର ନୂଆ ଚକ୍ରବାଳ । ନଈ ସମୁଦ୍ରରେ ପଡ଼ିଛି ବୋଲି ବହିରେ ପଢ଼ିଚି ଓ ମାଷ୍ଟ୍ର ବି କହିଛନ୍ତି । ସେମିତି ସବୁ ବିଦ୍ୟା ଯାଇ ଓକିଲରେ ପହଞ୍ଚି ଯାଉଛି ଓ ସବୁ ଧନ ଯାଇ ମାରୁଆଡ଼ି ଠେଇଁ ରହିଯାଉଛି ।

 

ସୁର ବଡ଼ ମଣିଷ ହେବ । ତାହାର ଆଖି ଆଗରେ କଳ୍ପନାର ଜାଲ ବୁଣି ହୋଇଯାଏ । ସେ ଦେଖେ ଗୋଟିଏ ପାଖରେ ଗାଁ ଓ ଆର ପାଖେ କଟକ । ଗୋଟିଏ ପାଖରେ ମାରୁଆଡ଼ି ଓ ଆର ପାଖେ କଟକ ।

 

ଗାଁରୁ ଗଲା ଅଇଲାବେଳେ ଦେଖେ, ନୂଆ ନୂଆ ଘର ତିଆରି ହେଉଛି । ନୂଆଘର ପୁରୁଣା ହୋଇ ଯାଇ ଶିଉଳି ଲାଗି କଳା ଦିଶୁଛି । ରାସ୍ତାରେ ମାଟି ଉପରେ ଗୋଡ଼ି ପଡ଼ୁଛି ଓ ଗୋଡ଼ି ଉପରେ ଆଳକାତରା ବିଛା ହୋଇଛି । ମଣିଷଙ୍କର ମୁଣ୍ଡରେ ସେମିତି ଜ୍ଞାନ ସବୁ ଥାକ ଥାକ ହୋଇ ବସି ଯାଇଚନ୍ତି । ଯେତେ ଉପର କ୍ଳାସକୁ ଗଲେ ବି ମାଷ୍ଟ୍ର ରହିଛନ୍ତି । ଓକିଲଙ୍କର ବି ମାଷ୍ଟ୍ର ଅଛନ୍ତି । ମାରୁଆଡ଼ିଙ୍କର ଟଙ୍କା ଉପରେ ଅସରପି ଗଦା ହେଉଛି । ସବୁ ହେଉଛି କଟକରେ । ଗାଁଆଡ଼ୁ ଗାଡ଼ି, ମଣିଷ ଟଙ୍କା ସବୁର ଧାଉଡ଼ କଟକ ଆଡ଼େ ।

 

ବଡ଼ ମଜାଯାଗା କଟକ–ଏହାର ପାଖ ଦେଇ ରେଲ ଯାଉଛି । ମଟରଗାଡ଼ି ଗୋରୁଗାଡ଼ିକୁ ଠେଲି ବାହାର କରି ଦେଉଛି । ଧନୀଲୋକେ ଗରିବଙ୍କୁ ପେଲି ଦେଉଛନ୍ତି । ମାଷ୍ଟ୍ର ପିଲାଙ୍କୁ ପରୀକ୍ଷା କରି କେତେଥର ହଇରାଣ କରିଦେଇଛନ୍ତି । ରାସ୍ତା ସରୁ ନାହିଁ–ପାଠ ସରୁ ନାହିଁ ବୋଉ କହିଛି କି, ଦିନେ ସବୁ ସରିଯିବ, ତାପରେ ସୁର ହୋଇଯିବ ମଣିଷ ।

 

ସୁର ଓକିଲ ହୋଇଗଲା । ବୋଉ କହିଥିଲା ଯେ ଦେଖି ପାରିଲା ନାହିଁ । ବାପା ଅଧା ଦେଖିଥିଲେ । କେହି ପୂରା ହୋଇ ଦେଖିଲେ ନାହିଁ । ଖାଲି ସୁରକୁ ଦେଖିବେ ବୋଲି ଭାବି ଭାବି ସତେ କି ଝଡ଼ିଗଲେ ।

 

ଓକିଲ ହେଲେ ମଣିଷ ହୁଅନ୍ତି ନାହିଁ କଟକରେ । ଯେତେ ଉଚ୍ଚକୁ ଗଲେ ଆହୁରି ଉଚ୍ଚ ଯାଗା ଆସି ଦେଖାଦିଏ । ଓକିଲ ହେଲେ ବି ଓଡ଼ିଶାର ଓକିଲ ଦିଲ୍ଲୀରେ ହୁଏ ମଫସଲିଆକଟକର ଓକିଲ କଲିକତାରେ ହୁଏ ମୂର୍ଖ । ଓଃଶେଷ ନାହିଁ । ସେଠିବି ସୂର୍ଯ୍ୟ ଦେଖା ଦିଅନ୍ତି । ସେଠି ଆଉରି ବଡ଼ ବଡ଼ ମଣିଷ ରହନ୍ତି । ସେଠି ଟଙ୍କାର ଝଡ଼, ଜ୍ଞାନର ଝଡ଼ ବହିଯାଏ ।

 

ନାଆଉ ହୋଇପାରିବ ନାହିଁ । ଯେଉଁ ମାଟିରୁ ଯେତିକି ବଡ଼ଗଛ ହେବା କଥା ହେବ-। ସୁର ଆଉ ବାହାରର କଳ୍ପନାକୁ ବଢ଼ାଏ ନାହିଁ, ଛୋଟିଆ କରି ଆଣେ । ବୋଉ କହିଥିଲା ଏଇ କଟକରେ ମଣିଷ ହେବାକୁଏଠି ଓକିଲ ହେବାପାଇଁ, ନଇରେ ଦୋକାନୀ ହେବା ପାଇଁ-। ଗୋଟିଏ ତ ହେଲା ।

 

ତଥାପି ଗାଁରୁ ଭଡ଼ାମଟରରେ ଆସିଲାବେଳେ ପ୍ରତିଥର ସେଇ ନୂଆବଜାରଠେଇଁ ସୁରକୁ ଲାଗେ । କଟକ ହେଲା ଆସି । ସେହି ଦୂର ଡେଙ୍ଗା ଦେବଦାରୁ ଗଛ ଆରପାଖେ କଟକ ।

 

ସେହି ଗଛସବୁ କଟା ହୋଇ ଗଲେଣି । ଧନୀଲୋକେ ମାଡ଼ି ଆସୁଛନ୍ତି । ଗଛଗୁଡ଼ାକ ଲଢ଼େଇରେ ପାରୁନାହାନ୍ତି । କୁରାଢ଼ୀ ଆଗରେ ଦିନକେ କେଜାଣି କେତେ ଉଡ଼ି ଯାଉଛନ୍ତି । ଘର ହେଲେ ମଣିଷ ରହିବେ । ମଣିଷ ରହି ସାରିଲେ ତାଙ୍କର ବଗିଚା ହେବ, ଗୋଶାଳା ହେବ । କାରଖାନା ହେବ, ଧାନ କିଆରୀ ହେବ, ସରକାରୀ ଅଫିସ ହେବ, ମାରୁଆଡ଼ିଙ୍କର ଗୋଦାମ ହେବ; ନଇଲେ ବଗିଚା ଘର ହେବ । ସୁରର ସେହି ନିଶାଣଦିଆ ଗଛ କେଇଟି ଉଡ଼ି ଗଲେଣି । ତଥାପି ସୁର ଆଖିରେ ସେମାନେ ଭୂତପରି ଆସି ଠିଆ ହୋଇଯାନ୍ତି ।

 

ସୁରର ପିଲାଦିନ କଟକ ମରି ଯାଇଛି । ତାହା ବଦଳରେ ରହିଛି ତାହାର ଦେଖା ପରଖ କଟକର ଗୋଟାଏ ଲାଙ୍ଗୁଡ଼ମାଡ଼ି ଯାଉଛି ତାହାର ଗାଁଆଡ଼େ, ଟଙ୍କାର ଗରମରେ ବୋଧହୁଏ । ଯାହା ସେ ପ୍ରଥମେ ଦେଖିଥିଲା, ସେ ତାହାର କଳ୍ପନାର କଟକ । ବଡ଼ କଅଁଳ, ବଡ଼ ସୁନ୍ଦର, ଗାଁଠୁ ବଡ଼; କିନ୍ତୁ ବେଶୀ ବଡ଼ ନୁହେଁ ।

 

କଟକରେ ଜଣାଶୁଣା ଲୋକ ହେଲା । ନିଜେ ଘର ମଟର କଲା, ତାହାର ମାଷ୍ଟ୍ରମାନେ ମରି ଉଡ଼ି ଗଲେଣି । ସାଙ୍ଗ ପଢ଼ୁଆ ପିଲାମାନେ ଏଠି ସେଠି ଗୋଟିଏ ଲେଖାଁ ଖୁମ୍ୱ ପରି ହୋଇଗଲେଣି । ସୁରର ପରାମର୍ଶ ଓ ମତାମତ ନେଇ ଲୋକେ ଚାଲନ୍ତି । ସହରର ଉନ୍ନତ ଓ ଭବିଷ୍ୟତର କଳ୍ପନାରେ ସୁରକୁ ଭାରି ଖୋଜାପଡ଼େ ।

 

ଭୋଟବେଳ ମଫସଲରୁ ପାଟି ହେଉଛି । ସହରିଆ ଲୋକେ ମଫସଲକୁ ପଚାରୁ ନାହାନ୍ତି । ନେତାମାନେ ମଫସଲକୁ ଧାଇଁଲେଣି । ସୁର ବି ଧାଇଁଯାଏ ତାହାର ଗାଁକୁ । ଦେଖେ ସେଠି ଆଉ ସେହି ସୁନ୍ଦର ଗାଁ ନାହିଁ । ଗାଁ ଭାଙ୍ଗି ପଡ଼ିଲାଣି । ସେହି ଗାଁର ଆର ପାଖରୁ ସୂର୍ଯ୍ୟ ଆଉ ଗଛପତ୍ର ଭେଦ କରି ଫୁଟି ଉଠେ ନାହିଁ, ଆସି ଯେମିତି ଅଜାଡ଼ି ହୋଇପଡ଼େ ସୁର ଉପରେ ଓ ତାଙ୍କ ଗାଁ ଉପରେ ।

 

ଗୋଶାଳାର ଉନ୍ନତି ପାଇଁ ସୁରର ଭାବନା । ସେଠିକି ସେ ଗୋପାଷ୍ଟମୀ ଦିନ ଆସି ଭାବେ ଏଇଠି ଥିଲା, ସେହି ତାହାର ଦେବଦାରୁ ଗଛ ଗୁଡ଼ିକ । ଏଇଠୁ ସେ ଚିହ୍ନିଥିଲା, କଟକକୁ । କଟକକୁ ଗାଁଠାରୁ ଅଲଗା କରୁଥିଲେ ଏଇଠି ରହିଥିବା ଗଛଗୁଡ଼ିକ । ସମସ୍ତେ ଗଲେଣି । ସୂର୍ଯ୍ୟଙ୍କୁ ଦେଖି ଦେଖି ତାଙ୍କ କଥା ଭାବିବା ଭୁଲିଗଲାଣି ।

 

କାଠଯୋଡ଼ି ଆର ପାଖେ ପାହାଡ଼ ଯେମିତି ଛୋଟ ହୋଇ ବସି ଯାଇଛି ତଳେ । ସେଠୁ ଆଉ କଣ ଠାକୁର ଓହ୍ଲାଇବେ ? ଲୋକଙ୍କ ଉତ୍ପାତରେ ଠାକୁରେ ବସା ଭାଙ୍ଗି ପଳେଇଲେଣି । ମାରୁଆଡ଼ି ରାଜତ୍ୱ ମାଡ଼ି ଆସୁଛି । ସେହି ରାଜତ୍ୱରେ ମଣିଷଗୁଡ଼ାକ ଖାଇବାକୁ ନ ପାଇ ମରକଟିଆ ହୋଇ ଝରିପୋକ ପରି ମରି ପଡ଼ୁଛନ୍ତି । ଘରସବୁ ବିକା କିଣା ଚାଲିଛି । ଦୋକାନୀ ଦେଖିଲେ ସମସ୍ତେ ଲଇଁଯାଇ ଓଳଗି ହେଉଛନ୍ତି ।

 

ସୁରର କଟକର କାଠଯୋଡ଼ି ନଈ ଶୁଖି ଗଲାଣି । ତାହାର ପେଟଟା ବାଲିରେ ଭରି ଯାଉଛି । ଦି’ପାଖେ ଦୁଇଟି ମଶାଣିଗୋଟିଏ ଖାନନଗର ଓ ଆରଟି ସତୀଚଉରା । ସେଇଟା ହେଉଛି ସୁରର ଏବକାର ଚକ୍ରବାଳର ସୀମାରେଖା । ସେଇଠି ତାହାକୁ ଲାଗେ ଆକାଶ ପୃଥିବୀ ସାଙ୍ଗରେ ମିଶୁଛି ନୂଆ ହୋଇ ଓ ମଣିଷ ମିଶୁଛି ଠାକୁରଙ୍କ ଠାରେ ।

☆☆☆

 

ପଶୁ

 

କୁକୁରଟି ବୁଝୁ ନ ବୁଝୁ ତା’କୁ ପଶୁ ବୋଲି କୁହାଯାଏ ଘରେ । ସେ ଗେହ୍ଲା ହୁଏ, ଆଦର ପାଏ, ମାଡ଼ଖାଏ ଗାଳି ଶୁଣେସବୁଥିରେ ଗୋଟିଏ ଧାରା ଯୋଡ଼ି ଦିଆଯାଏ ସେ ପଶୁ । ଅନେକଦିନ ହେଲା ଘରେ ରହିଲାଣି । ଘରର ନୂଆ ଚାକରମାନଙ୍କଠାରୁ ପୁରୁଣା । ଘରକୁ ଆସିଥିବା କଅଁଳ ପିଲାଟିଠାରୁ ବଡ଼ ଓ ପୁରୁଣା ପିଲାଟି ଜନ୍ମ ଦେଲାବେଳେ ମା’ ଯେତେବେଳେ କଷ୍ଟ ପାଉଥିଲା, କୁକୁରଟି ସେହି ଦୁଃଖ ସହି ନ ପାରି ନିଜେ ମଧ୍ୟ କାନ୍ଦି କାନ୍ଦି ଘରେ ଜଣକ ପାଖରୁ ଆଉ ଜଣକ ପାଖକୁ ଧାଉଁଥିଲା ଓ ମୁହଁକୁ ଚାହିଁ, ଗୋଡ଼କୁ କାମୁଡ଼ି କହୁଥିଲା ଯେ ଘରେ ଜଣେ ଦୁଃଖ ପାଉଚି ।

 

ତା’କୁ ପଶୁ କୁହାଯାଏ । ମଣିଷର ଦୁଃଖରେ ମଣିଷ କାନ୍ଦେ ନାହିଁ । ସେ ତାହାର ଜ୍ଞାନରେ ବୁଦ୍ଧିରେ ହୃଦ ଭିତରର କଅଁଳ ରସକୁ ଶୁଖେଇ ଦେଇ କହେ ସେ ‘ମଣିଷ’ । ପୋଷାକୁକୁର ଟମି ଗୋଟିଏ ଗୋଟିଏ ମଣିଷର ଦୁଃଖରେ ଯେତେବେଳେ କାନ୍ଦି ଅସ୍ଥିର ହୋଇ ଏଠି ସେଠି ହେଉଥିଲା ତା’କୁ କୁହା ହେଉଥିଲା ପଶୁ ।

 

ବାବୁଘରର ପିଲାମାନେ ବି ବାବୁ । ସେମାନେ ପିଣ୍ଡାରେ ଠିଆ ହୋଇ ଦେଖୁଥାନ୍ତି ଗୋରୁଗୁହାଳରୁ ଫିଟିଲେ ଓ ଗୁହାଳକୁ ଜାଣିଲେ । ଗୋରୁ ଦୁଇଟିଙ୍କର ଭାରି ଆଖି, ପାଖରେ ଥିବା କଦଳୀ ବୁଦାଟି ଉପରେ । ଗଛକୁ ସବୁବେଳେ ମୁହଁ ପାଏ ନାହିଁକିନ୍ତୁ ପାଖରେ ଥିବା ପୁଅଗୁଡ଼ିକୁ ମା’ଠୁଁ ନେଇ ନିଜ ପେଟ ଭିତରକୁ ଠେଲି ଦେବାପାଇଁ ସବୁବେଳେ ଚେଷ୍ଟା ।

 

ସେତକ ଟମି ଜଗିଥାଏ । ଗାଈର ଟାଣୁଆ ଖୁରା, ମୁନିଆ ସିଙ୍ଗ, ଓ ଫଁ ଫଁକୁ ଡରେ ନାହିଁ-। କାମୁଡ଼ିବାକୁ ମାଡ଼ିଯାଏ । ଭୁବି ସମସ୍ତଙ୍କୁ ଡାକ ପକାଏଆସ, ଧାଇଁ ଆସ । ଏହି ଗାଈମାନେ କଦଳୀ ବୁଦାଟିକୁ ନେଇ ଭୋଜି କରିବାକୁ ବ୍ୟାକୁଳ ।

 

ବାବୁମାନେ ଚାକରକୁ ଡାକ ପକାନ୍ତି । ଟମି ଲଢ଼ୁଥାଏ ଏକା ଏକା । କେତେବେଳେ ପଛକୁ ହଟି ଆସିଲାବେଳେ ଗାଈ ଖଣ୍ଡେ ପତ୍ର କି ଗୋଟାଏ କଦଳୀ ପୁଅକୁ ଦାନ୍ତରେ ଭିଡ଼ିନିଏ । ଚାକର ଗାଳି ଖାଏ ଓ ଟମି ଗୋଇଠା ଖାଏ । କେହି ହେଲେ ବାବୁଙ୍କର ଗୁହାଳ ପାଖରେ ଯତ୍ନରେ ସମ୍ପାଦିଥିବା କଦଳୀ ବୁଦାଟିକୁ ରକ୍ଷା କରି ପାରିଲେ ନାହିଁ । ଘରେ ରହି ଆଉ କଣ କରିବେ ?

 

ବୁଦ୍ଧିମାନ ଲୋକର ଇଚ୍ଛା ଯେ ସମସ୍ତେ ପଶୁପରି ତାହାର ସମ୍ପତିକୁ ଜଗି ବସିବେ । ସେଥିପାଇଁ ମରିବା ଦରକାର ପଡ଼ିଲେ ଖୁସି ହୋଇ ଟଳି ପଡ଼ିବେ । ତାହାହେଲେ ସେ ଖୁସି ହୋଇ ଗୋଟିଏ ସାଟିଫିକେଟ୍ ଦବ-ପଶୁଟାଏ ବୋଲି ଏତକ ବୁଦ୍ଧି ଖଟେଇଲା ।

 

ବଣ ଜଙ୍ଗଲର ପିଲା । କୁକୁର ଜାତିରୁ ଏହି ଟମିଟି ଗୋଟିଏ ସହରରେ ରହି ସହରିଆ ହୋଇଯାଇଚି । ତା’କୁ ମାଟିରେ ଶୋଇବାକୁ ଭଲଲାଗେ ନାଇ । ଏକୁଟିଆ ବଣବୁଦାରେ ବୁଲିବାକୁ ସୁଖ ଲାଗେ ନାହିଁ । ସେ ଖୋଜେ ପକ୍‌କା ଘର ଓ ପିଣ୍ଡା । ସେଠି ପୁଣି ତା’କୁ ଖଣ୍ଡେ ଶେଯ ଲୋଡ଼ା ହୁଏ । ଅଖା କି ଛିଣ୍ଡା କମ୍ବଳ ନ ପାଇଲେ ଉପରେ ଶୁଖୁଥିବା ତଉଲିଆ, ଲୁଗା ଆଦି ଖଣ୍ଡେ ଯୋଗାଡ଼ କରି ସେ ବିଛଣା କରେ । ସେ ଖୋଜେ ଦି’ଜଣ ଜଣେ ମଣିଷଙ୍କ ସାଥିରେ ଯାଇ ନଈକୂଳେ, ପାର୍କରେ, ନଈରେ କୋଠା ଉପରେ ବୁଲିବାକୁ ।

 

ବାବୁଘର ଝରକା ଭିତରୁ ଜଣେ ବାବୁପରି ରାସ୍ତାକୁ ଚାହିଁଥାଏ । ସେଠି ଲୋକେ ଯା ଆସ କରୁଚନ୍ତି । ପରିବା ବିକାଳୀ ଗଲେ ଟମିର ମନେ ପଡ଼ିଯାଏ ବାବୁଙ୍କର ପରିବା କିଣା ହୁଏ ବୋଲି । ଦି’ଥର ଭୁକି ଦେଇ ଓହ୍ଲେଇ ଆସେ ସିଡ଼ି ଉପରୁ । ପୁଣି ଧାଇଁଯାଏ, ପୁଣି ଓହ୍ଲାଏ । ଏହି ଠାରରୁ ସମସ୍ତେ ଜାଣନ୍ତି କ’ଣ ବିକ୍ରି ଯାଉଛି ଯେ ଘରେ କିଣିବାକୁ ଟମି ବରାଦ କରୁଛି ।

 

ସହରିଆ ବାବୁଙ୍କ ପରି ଟମିକୁ ବି ଖାଲି ଭାତ ଦେଲେ ଅରୁଚି ହୁଏ । ସେ ଖୋଜେ ଡାଲି ତିଅଣ । ନ ପାଇଲେ ପଡ଼ିଥିବା ଚୋପାତକ ଖାଇ ସେ ତାହାର ଆଶା ମେଣ୍ଟାଏ ।

 

ଝିଏ ମୁଣ୍ଡ କୁଣ୍ଡାଇଲାବେଳେ ଟମି ଆସି ପାଖଣେ ବସି ଦେଖୁଥାଏ । ବୋଧହୁଏ ତାର ଇଚ୍ଛା ହୁଏ ମୁଣ୍ଡ କୁଣ୍ଡାଇବା ପାଇଁ । ମଝିରେ ମଝିରେ ଗୋଟିଏ କଡ଼ା ବୁରୁସରେ ତାହାର ଲୋମକୁ ଘସି କଅଁଳ ଓ ସଫା କରାହୁଏ । ଟମିକୁ ଉଶ୍ୱାସିଆ ଲାଗେ—ସେ ଆଖି ବନ୍ଦ କରି ପଡ଼ିଯାଏ । ତାହାର ଇଚ୍ଛା ହୁଏ ଦିନ ଦିନ ଧରି ତାହାର ଦେହ ଖାଲି ବୁରୁସ୍‌ରେ ମଜା ହେଉଥାନ୍ତା ।

 

ଲୋକେ ମୁଣ୍ଡ କୁଣ୍ଡାଇଲା ବେଳେ ଟମି ପ୍ରତିଦିନ ବସି ରହେ । ସୁବିଧା ପାଇଲେ ଦର୍ପଣ ପାନିଆକୁ ଚାଟେ—କିଛି ସୁବିଧା ନ ହେଲେ କୁଣ୍ଡାଉଥିବା ମଣିଷଙ୍କର ଗୋଡ଼କୁ ଚାଟୁଥାଏ । ମାଡ଼ଖାଏ ଯେ କାମବେଳେ ଟମି ଏମିତି ହଇରାଣ କରି କାମରେ କ୍ଷତି କରୁଚି । ତରକି ଯାଇ ପାନିଆଟା ଲୋକଙ୍କ ମୁଣ୍ଡରେ ଜୋରରେ ଖେଞ୍ଚି ହୋଇଯାଏ ଟମି ଖାଏ ଗୋଇଠା ।

 

ବଣୁଆ ଲୋକେ ସହରକୁ ଆସି ସହରିଆ ପାଲଟିଲା ପରି ଏହି କୁକୁରଟି ସହରିଆ ହୋଇଯାଇଛି । ଟିଣ ଦୁଧ, ଚକୋଲେଟ୍‌, ଜେଲି ଆଦି ତାକୁ ଭଲଲାଗେ ଖାଇବାକୁ । ଭଙ୍ଗାଟିଣ ଦୁଧର ଟିଣରୁ ଲାଖିରହିଥିବା ଦୁଧକୁ ଚାଟୁ ଚାଟୁ ସେ ତାହାର ମୁହଁକୁ ଖଣ୍ଡିଆ କରି ରକ୍ତଦାନ ମଧ୍ୟ କରିଚି । ତାହାର ପୋଷିଲା ବାବୁମାନେ ଦାଢ଼ି ତାଞ୍ଛିଲାବେଳେ ଥରକୁଥର ଖୁରକୁ ନିଜର ମୁହଁରେ ରକ୍ତ ଦେଇ ମଧ୍ୟ କ୍ଲାନ୍ତ ହୁଅନ୍ତି ନାଇ । ଅଶେଷ ମମତାରେ ଖୁରଟିକୁ ପୋଛି ରଖିଦିଅନ୍ତି ।

 

ସକାଳୁ ଉଠି ଟମି ଚାଲିଥାଏ ଗୋଟିଏ ଝରକାପାଖକୁ— ସିଡ଼ିଘର ଉପରେ ନିଛାଟିଆ ଜାଗାରେ ଥିବା ଝରକାଟି । ସେଠି ପ୍ରତିଦିନ ଆଠ ନଅ ଘଣ୍ଟା ସେ ବସେ । ପଦାକୁ ଚାହିଁଥାଏ ନଇଲେ ଶୋଇଥାଏ । ଦେଖିବାରେ ତାହାର କ୍ଲାନ୍ତି ନାହିଁ । ଭଲ କରି ରାସ୍ତାର ଲୋକଙ୍କୁ ଦେଖିବାକୁ ଝରକାର ରେଲିଂ ମଝିରେ ମୁହଁଟିକୁ, ଭରତି କରି ସେ ଚାହୁଁଥାଏ ।

 

ଘରର ଚାରିଆଡ଼େ ବୁଲାକୁକୁର ଦଳଟିଏ ବୁଦା ଭିତରେ ରହିଥାନ୍ତି ଘର କରି । ଖରା ତାତି ସହନ୍ତି । ବର୍ଷାରେ ଓଦା ହୁଅନ୍ତି । ଶୀତଦିନର କାକର ତାଙ୍କର ପିଠି ଉପରେ ଟୋପା ଟୋପା ବୋହି ଆସି ପେଟ ପାଖର ଭୂଇଁକୁ ତିନ୍ତେଇ ଦିଏ ଠିକ୍‌ଗୋଟିଏ କୁକୁରର ଛବି ତିଆରି କରି ।

 

ଟମିକୁ ଦୁଆରଟା ବି ଥଣ୍ଡା ଲାଗେ । ସେ ଖୋଜେ ଘର କଣରେ ରହିବାକୁ । ବର୍ଷା ପାଣି ଦେଖିଲେ ତାହାର ନାକରୁ ପାଣି ଗଡ଼େ । ସେ ଝରକା ସେପାଖରୁ ବସି କଣ ଭାବୁଥାଏ କେଜାଣି ?

 

କାମ ଭାରି କମ୍‌ । କାରଣ ଟମି ଗୋଟିଏ ଛୋଟିଆ ପୁଞ୍ଜିପତିଙ୍କର ଟହଲିଆ । ତାଙ୍କ ଘରେ ଯେଉଁ ପୁରୁଣା ଲୁଗା, ପୁରୁଣା ଟେବୁଲ, ଚୌକି, ପୁରୁଣା ବାସନ, ଆଉ ପୁରୁଣା ଘଡ଼ି ପୋତାଆଦି ଅଛି ସେତକ ରାତିରେ ଜଗିବା ଟମିର କାମ । ଏସବୁ ନେବାକୁ କିଏ କାହିଁକି ଆସିବ-? ତେଣୁ ଟମିର କାମ ନାଇ । ସେ ବସି ତାହାର ଗୋଡ଼କୁ କାମୁଡ଼ିଥାଏ ନଇଲେ ରାସ୍ତାକୁ ଚାହିଁଥାଏ ଅବା ଶୋଇଥାଏ ।

 

ବାରବୁଲାଗୁଡ଼ିକ ନିଜର ପେଟପାଟଣା କରିବାକୁ ଏ ପାଖ ସେ ପାଖ ହେଉଥାନ୍ତି । ଟମି ପରି ତା’କୁ କେହି ଯାଚି, ନିମନ୍ତ୍ରଣ କରି ଖୁଆଇବେ ନାହିଁ । ସେମାନଙ୍କ ଦୂର ରାସ୍ତାରେ ଦେଖିଲେ ଟମି ଗର୍ଜି ଉଠେ ଘର ଭିତରେ ।

 

ସହରର ବାବୁ ଖାଲି ତାରି ପରି ଜଣକୁ ଦେଖେ ଓ ଶ୍ରଦ୍ଧା କରେ । ଏହି ବାରବୁଲା ଭିକାରୀଗୁଡ଼ା ତାହାର ଶାନ୍ତି ନଷ୍ଟ କରି ଦିଅନ୍ତି । ତାହାର ପୁଞ୍ଜି ଉପରେ ଆକ୍ରମଣ କରିବାକୁ ତିଆର-

 

ପୁରୁଣା କଥା ମନେପକାଇ ଲାଭ ନାହିଁ । କେବେ ଆମ ବାପ ଅଜା ବଣରେ, ମଫସଲରେ ପଡ଼ିଥିଲେ । ନଈର କୁମ୍ଭୀର, ବୁଦାର ବାଘ ସେମାନଙ୍କୁ ଖଣ୍ଡିଆ କରୁଥିଲା କି ଖାଇ ଯାଉଥିଲା । ନଈ ତାହାର ଗୋଳିଆ ପାଣିରେ ତାଙ୍କର ଚାଳିଆ ପଲଗୁଡ଼ିକୁ ସପରିବାରରେ ପିମ୍ପୁଡ଼ି ମନ୍ଦା ପରି ଏକାଠି ମେଞ୍ଚା ମେଞ୍ଚା କରି ତାହାର ସୁଅରେ ଠେଲି ନେଉଥିଲା ଏଠୁ ସେଠିକି । କେବେ ମହରିଆ ସଭ୍ୟ ଲେକେ ବନ୍ଧୁକ ଧରି, ପୁଲିସ ଧରି ଧାଇଁ ଆସୁଥିଲେ ତାଙ୍କୁ ଲୁଟି ନେବାକୁ—ତାଙ୍କର କ୍ଷୀଣ-ସ୍ୱାସ୍ଥ୍ୟ ଯୁବତୀମାନଙ୍କୁ ଅବା ଅତି-ହେୟ ଧନ ଦୌଲତକୁ । ସେ କଥା ମନେ ପକାଇ ଲାଭ କ’ଣ ?

 

ଟମିର ବି ସେଇ ମତ । କେବେ ତାହାର ବାପ ସେ ବଣ ଭିତରେ ବାଘ ବିଲୁଆଙ୍କ ମେଳରେ ଅସହାୟ ହୋଇ ରହିଥିଲେ; ପାଇଲେ ଖାଉଥିଲେ । ଘଣ୍ଟାତ ନ ଥିଲା—ବେଳ ଜାଣି କିଏ ଖୁଆଉ ଥିଲା କାହାକୁ ? ଭବିଷ୍ୟତ ନ ଥିଲା ତ—ସଞ୍ଚୟର କି ପ୍ରୟୋଜନ ? ଆଉ କ’ଣ ଅବା ସଞ୍ଚୟ କରିବେ ?

 

ଟମି ଆସି କୋଠା ଘରେ ରହିଲାଣି । ସେ ଜାଣେ ବୁଲିବା ଜାଗା କୋଠା ଉପର—ସେଠି ଭଲ ପବନ ଦିଏ । ଟାଣ ପବନରେ ଟାଣ ହୋଇ ଠିଆ ହୋଇ ସେ ପବନକୁ ଶୁଙ୍ଘେ—ପିଇଯିବା ପାଇଁ । ମାଟି ଉପରେ ପାଇଖାନା ନ କରି ସେହି କୋଠାଟିର ବଡ଼ ଚଟାଣର କ’ଣକୁ ସେ ତାହାର ଲଣ୍ଡି ଗଦା କରିଛି । ବେଶି ଅସନା ହେଲେ ନିଜେ ବାବୁ ସେଗୁଡ଼ିକ ସଫା କରୁଛନ୍ତି । କି ଦରକାର୍‌ ଆଉ ସେ ଦୁସ୍ଥ ଅତୀତ କାହାଣୀ ଭାବିବା ?

 

ବାବୁମାନେ ଭାବୁ ନାହାନ୍ତି ଯେ କେବେ ବିଦେଶୀ ଶାସନରେ ଚାକର ଥିଲେ । ଏବେ ଦେଶ ସ୍ୱାଧିନ ହେବା ପାରେ ଆଖିବୁଜା ବଢ଼ି ଚାଲିଛନ୍ତି । ଶହେ ଟଙ୍କା ପାଇବା ଲୋକ ଦଶପ୍ରାଣୀଙ୍କୁ ଜିଆଁଇ, ଷଣ୍ଢ ପରି ମୋଟା କରି ସାରି ବି ହାତୀଶାଳ ପରି ଘରଟିଏ କରି ପାରୁଛି । ଛାଡ଼—ପୁରୁଣା କଥା ।

 

ତଥାପି ଟମି ପାଏ ଗୋଟିଏ ସାଟିଫିକେଟ୍‌—‘ସେ ପଶୁ’ । ସେଥିରେ କ’ଣ ଯାଏ ଆସେ ? ଭଲ ଖାଇବାକୁ, ପିନ୍ଧିବାକୁ, ସଞ୍ଚିବାକୁ, ମିଳୁଚି । ହେଲା ଏବେ ଏଠିକାର କି ଦିଲ୍ଲୀ ଅଲାହାବାଦର ହାକିମମାନେ କହୁଛନ୍ତି ‘ଏମାନେ ପଶୁ’ । ସେମାନଙ୍କର ତ କିଛି କ୍ଷତି ହେଉ ନାଇ । ଟମିର କିଆଁ ଦୁଃଖ ହେବ ? ସେ ବସି କରି ହାଇମାରେ ଓ ଶୋଇପଡ଼େ ଆରାମରେ । ଏହି ଆନନ୍ଦ କ’ଣ ବଣ ଜଙ୍ଗଲର ସ୍ୱାଧିନତାରେ ମିଳେ ?

 

କୋଠାଘର ଭିତରେ ରହି ଟମି ସେହି ବାରବୁଲା ଗୁଡ଼ିଙ୍କୁ କେତେଥର ଥଟା କରିଚି—କେତେ ଅନୁକମ୍ପା ଦେଖାଇଚି । ଟମିର ଯୌବନ ଆସିଲାଣି—କୁକୁରର ସୌନ୍ଦର୍ଯ୍ୟ ନେଇ ସେ ଠିଆ ହୁଏ ଝରକା ପାଖରେ । କଅଁଳ ଘନ ଲୋମ—ଯୌବନ ରଙ୍ଗ ବୋଳା ମୁହଁ ।

 

କୁକୁରଗୁଡ଼ିକ ଗଲା ଅଇଲାବେଳେ ଠିଆ ହୋଇଯାନ୍ତି । ତାଙ୍କର ନାକପୁଡ଼ା ଫୁଲିଉଠେ-। ମଣିଷଙ୍କ ପରି ପଶୁ ଜଗତରେ ମଧ୍ୟ ଦେହ ଦେହକୁ ଖୋଜିଲାବେଳେ ଧନ ଦଉଲତର ଅତି ତୁଚ୍ଛ ପରି ଜଣାଯାଏ ।

 

ହେଇ—ଜଗିଥାଅ ଟମିକୁ ଏହି ଦୁଇମାସ—ବୁଲା କୁକୁରଙ୍କ ସାଙ୍ଗରେ ମିଶି ଖରାପ ହୋଇଯିବ । ଏହି ବାରବୁଲାଙ୍କର ଉତ୍ପାତ ଚାରିଆଡ଼େ । ସହର ବଜାରରେ, ସିନେମା ଥିଏଟରରେ; ବ୍ୟବସାୟ ଚାକିରିରେ, ସବୁ ପ୍ରକାରର ସ୍ତରରେ ଏହି ବାରବୁଲାଙ୍କର ଉତ୍ପାତ ।

 

ବାହାର ବାରବୁଲାଙ୍କର କଳରବ ଓ କାକୁତି । ‘ଆ—ପଦାକୁ ଆ । ଏଠି ପବନ ସୁଲୁସୁଲିଆ ହୋଇ ବହୁଚି । କଅଁଳ ଖରା ଭାରି ଭଲ ଲାଗୁଚି । ଭୁତିଆରୀ ଲଟାରେ ପ୍ରଜାପତି ଉଡ଼ୁଚନ୍ତି । ଚାନ୍ଦିନୀ ରାତି ଅନ୍ଧାରକୁ ଠେଲି ଠେଲି ତଡ଼ୁଚି ବଣବୁଦାରୁ ମଧ୍ୟ....ଏଠି । ରହିବାରେ ଆନନ୍ଦ ।’ ବାର ବୁଲାଙ୍କର ସଂସାର ଲୋପପାଏ ନାଇ । ଯେତେ ଧନ ସମ୍ପତ୍ତି ସଂସାରରେ ବଢ଼ିଲେ ବି ବାରବୁଲା ସରନ୍ତି ନାଇ ।

 

ଟମିର ଅତି ନିଭୃତରେ ପୁଣି ପ୍ରକୃତି ଜାଗିଉଠେ । ସେ ଉତ୍ତର ଦିଏ । ବିକଳ ହୋଇପଡ଼େ କୋଠାଘରର ଶୃଙ୍ଖଳାକୁ ଭୁଲି ପୁଣି ଡ଼େଇଁ ପଡ଼ିବାକୁ ବୁଦା ଭିତରକୁ ।

 

ଏଠି ସଭ୍ୟତାର ପୋଷାକ ଖାଲି ବୋହିଗଲା ନଈକୁ ବନ୍ଧାଇ ସେଥିରୁ ହୀରାକୁଦର ବିଜୁଳି ପରି ଶକ୍ତି କାଢ଼ିବାରେ ଲାଗିଚି । ପ୍ରକୃତି କୋଳରେ ଏହି ଜୀବଟି ସେମିତି ମଣିଷଙ୍କର ଆଶ୍ରୟକୁ ଏତେ ଚିହ୍ନି ଯାଇଚି ଯେ ଛାଡ଼ି ପାରୁନାହିଁ । ଲୋକ ଯେମିତି ଚାକିରୀ, ବ୍ୟାଙ୍କ—ପୁଞ୍ଜିର ଛାଇ, କି ସ୍ତ୍ରୀ ଧନର ନିର୍ଭରରେ ରହି ଚଳିବା ଶିଖିଗଲେ ସେ ସବୁ ଛାଡ଼ିପାରେ ନାହିଁ । ଜ୍ଞାନୀ ବୋଲାଉଥିବା ଡାକ୍ତର, ଇଞ୍ଜିନିୟର, କିରାଣୀ, ଓକିଲ ଥରେ ଗୋଟିକୁ ନିର୍ଭର କରିବା ଶିଖିଗଲେ ଯେତେ ମାଡ଼ଗାଳି ଗୋଇଠା ଖାଇଲେ ବି ଆଉ କି ଛାଡ଼ି ପାରନ୍ତି ?

 

ତଥାପି ଟମି ତାହାର ବନ୍ଧନକୁ, ଶାସନକୁ ଗୋଇଠା ମାରି ସେହି କୁକୁର ଦଳରେ ମିଶିଯାଏ । ଏହି ଅବାଧ୍ୟତା ପାଇଁ ମାଡ଼ ଖାଏ । କିନ୍ତୁ ବନ୍ଧନକୁ ଠେଲି ଦେଇ ଯିବାକୁ ଅମଙ୍ଗ ହୋଇ ସେହି କୋଠାଘରର ଶିଙ୍କୁଳିରେ ବାନ୍ଧି ହୋଇ ରହେ । ବୋଧହୁଏ ଏହି ବନ୍ଧନରେ ଆନନ୍ଦ ଅଛି ।

 

ଟମିର ଛୁଆ ହବ—କେଡ଼େ ଆସନା, ଅଜାତିଆ ଗୁଡ଼ାଏ ହେବେ । ଟମିଟା ଅଜାଗିଆ ଦିଶିବ । ପଶୁଜାତି କ’ଣ ବୁଝେ ?

 

ମଣିଷ ଛୁଆ କରିବା ଟମି ଦେଖିଥିଲା । କେତେ ସେବା ଯତ୍ନ । ସେ ସେମିତି ଧାଁ ଦୌଡ଼ କରୁଥାଏ । ଯାହା ମିଳେ ଗିଳିଦିଏ । ପିଲାଗୁଡ଼ାକଙ୍କର ଅନେକ ଦିନ ଆଖି ଫିଟିବ ନାଇ । ତା’କୁ ଖାଇ ଜୀଇଁବେ । ତାହାର ଇଚ୍ଛା ହୁଏ ଦିନଯାକ ଖାଇବା ପାଇଁ ।

 

ଚାରୋଟି ଛୁଆ—ନିଜର ଅଣଓସାରିଆ କୋଳରେ ସେମାନଙ୍କୁ ସେ ସ୍ଥାନ ଦେଇଚି । ଉଚ୍ଚ ଦଦରା ଘରଟିର ଉପର ବରଗାରେ ଉଇ ଧରିଗଲେଣି । ଖଣ୍ଡେ ଖଣ୍ଡେ ଚୂନ ଖସେ । ତାହାର କିନ୍ତୁ ଭୟ ନାଇ ଏହି ଉଷେଇଁ ହୋଇ ପଡ଼ୁଥିବା ଘରଟିକୁ । ଡର ତାହାର ମଣିଷଙ୍କୁ । ତାହାର ଦୁର୍ବଳ ପଞ୍ଜରାର ଘୋଡ଼ଣୀରେ ସେ ନିଜ କୋଳତଳେ ଚାରୋଟି ଅନାଥ ଶିଶୁଙ୍କୁ ଭଙ୍ଗାଘରର ଆକ୍ରମଣରୁ ରକ୍ଷା କରି ପାରିବ । କିନ୍ତୁ ମଣିଷ ? ....

 

ଖାଇଲା ପରେ ସବୁଦିନ ପରି ତା’କୁ ଡକା ଯାଏ—ଟମି, ଟମି । ଭୋକ ଚମକିଯାଏ ପେଟ ଭିତରେ । ଛୁଆଗୁଡ଼ିକ ଟିକିଏ ହଲ୍‌ଚଲ୍‌ ହୋଇଯାନ୍ତି । ତାଙ୍କୁ ଥରେ ଚାଟି ଦେଇ ସେ ପୁଣି ଶୋଇରହେ । ପିଲାମାନେ ନିଜର ଭୋକଠାରୁ ବଡ଼ ।

 

ତାହାର ସେହି କଳା ମଚ ମଚ ଛୁଆଙ୍କୁ ଦେଖିବାକୁ କେହି ଝରକା ଯାକେ ଆସିଲେ ଟମିର ଦୁର୍ବଳ ଭୟାର୍ତ୍ତ ଆଖି ହିଂସାରେ ଜଳିଉଠେ । ଧଳା ଦାନ୍ତଗୁଡ଼ାକ ତାହାର ଦିଶିଯାଏ କଙ୍କାଳର ଭୟ ଦେଖାଇ । ଉପର ଓଠ ନାକ ଯାକେ ଉଠିଯାଏ । ‘ନେଇ ଯିବେ—ନେଇଯିବେ ସମସ୍ତେ’ ।

 

ଦିନଯାକ ଲୋକେ ଖାଉଥାନ୍ତି—ଥାଳି ଧୂଆ ଚାଲିଥାଏ । ସେ ପ୍ରତିଥର ଦି’ଟା ଚାରିଟା ଖାଉଥିଲା । ସେ ଛୁଆଙ୍କୁ ଚାଟି ସେହି ଆଶା ମେଣ୍ଟାଏ । ଏଣେ ଛୁଆଯାକ ଆନନ୍ଦରେ ଆଉରି ଜୋରରେ ଦୁଧ ଖାଇବାରେ ଲାଗିଯାନ୍ତି । ଦୁଧ ସରି ଆସିଥିଲେ ତା’ର ପ୍ରହାର ଚେରଗୁଡ଼ାକୁ ଖଣ୍ଡିଆ କରି ଦିଅନ୍ତି ।

 

ତଥାପି ତାଙ୍କୁ ସେ ଆଉ ଟିକିଏ ଜାକିଧରେ କୋଳରେ । ସେତିକି ତାହାର ସମ୍ବଳ—କାରଣ ସେ ପଶୁ ।

 

ଅଭ୍ୟାସ କରି ଟମି ତାହାର କୁକୁରର କୃତଜ୍ଞତା ଦିନକୁ ଅନ୍ତତଃ ଥରେ ଦେଖାଉଥିଲା ଘରର ମାଲିକଙ୍କ ପାଖରେ । ସେ କାମରୁ । ଫେରିଲେ ଟମି ତାଙ୍କୁ ସଙ୍ଖୋଳିବାକୁ ଧାଇଁ ଆସେ । ଘରେ ପିଲାମାନେ କି ସ୍ତ୍ରୀ, କେବେ କେମିତି ଥିଲେ ଥାଆନ୍ତି । କିନ୍ତୁ ଏହି କାମଟିରେ ଟମି କେବେ ହେଳା କରେ ନାଇ । ବାବୁ ଆସିଲାବେଳେ ସେ ଘରେ ନ ଥିଲେ ଦୂରରୁ କେବେ କେମିତି ଧାଇଁଥାଏ ଜୋରରେ—ବାବୁଙ୍କ ଆଗରୁ ଆସି ପହଁଞ୍ଚିବା ପାଇଁ ।

 

ଛୁଆ ହେବାର ଦୁଇଦିନ ହୋଇ ଗଲାଣି । ଟମି ଆସି ଦେଖାକରି ନାହିଁ । ରାତିରେ ସେ ଖାଇ ହାତ ଧୋଇଲାବେଳେ ଅନ୍ଧାରରେ ଟମି ତାହାର ଛୁଆ ଚାରୋଟିଙ୍କୁ ଲୁଚେଇ ଦେଇ ଧାଇଁ ଆସିଲା । କୁଉଁ କୁଉଁ ହୋଇ ଦୁଆରେ ଦି’ହାତ ଖାଲି ଗଡ଼ିଗଲା । ସେହି ତାହାର କୁଶଳ, କୃତଜ୍ଞତା, ଦୁଇଦିନ ନ ଆସିବାର କ୍ଷମା ପ୍ରାର୍ଥନା ଓ ଦେଖିବାର ଆନନ୍ଦ ।

 

ନ ଖାଇ ଫେରି ଧାଇଁଗଲା ଛୁଆଙ୍କ ପାଖକୁ । ପୁଣି ଆସିଲା ଦି’ଟା ଖାଇବାପାଇଁ । ବଣର ଆତ୍ମନିର୍ଭରଶୀଳ ପ୍ରାଣୀଟି ଆଜି ସହରର କୋଠାରେ ଭିକାରୀ ।

 

ସେହି ଖଣ୍ଡିଆ ଘରର ଦୁଆର ମୁହଁରେ ବସିଥାଏ ଟମି ଭିତରେ ଛୁଆଗୁଡ଼ାକ କେଁ କେଁ ହେଉଥାନ୍ତି । ସମସ୍ତେ ମନେ କରନ୍ତି ଯେ ଟମିକୁ ଦୁଧ ଦବାକୁ ପଡ଼ିବ ବୋଲି ଲୁଚୁଛି । ଆଉ ତେଣେ କେହିଗଲେ କାମୁଡ଼ିବାକୁ ଧାଇଁ ଆସୁଚି ।

 

ମାଡ଼ ଡ଼ର ଦେଖାଇ ତା’କୁ ଭିତରେ ପୁରାଇ କବାଟ ବନ୍ଦ କରି ଦିଅନ୍ତି । ଆଉ–ସେ ଭିତରେ ଛୁଆମାନେ ତାକୁ ଝୁଣି ଝୁଣି ଖାଉଥାନ୍ତୁ । ଏବେ ପଳେଇବ କାହିଁକି ?

 

ହାଡ଼ ପଞ୍ଜରାରେ ଯେତିକି କ୍ଷୀର ସମ୍ଭବ ଖାଇ ସାରିଲେ ଛୁଆଯାକ ତାହାର ଲାଞ୍ଜ, କାନ, ଗୋଡ଼କୁ କାମୁଡ଼ୁଥାନ୍ତି । ସେ ପ୍ରତିବାଦ କରେ ନାହିଁ । ଏହି ସଭ୍ୟ ସହରର ଜାଣିବା ଶୁଣିବା ମା’ମାନେ ଛୁଆଙ୍କର ଏତିକି ସେବା କରୁ କସ୍ତୁରବା ପାଣ୍ଠିରେ ପ୍ରଚାର କାହିଁକି ଚାଲନ୍ତା ସେମାନଙ୍କ ପାଇଁ ?

 

ଗୋଟିଏ ଛୁଆ ମରିଗଲା ।

 

ମରିବା ଆଗରୁ ମା’ ସାଙ୍ଗରେ ଧାଇଁ ନ ପାରି ଖାଲି ଠା’ କରେ ବସି କେଁ କେଁ ହେଉଥାଏ । ଟମି ଯାଇ ଥରେ ଚାଟିଦିଏ-ଚାଲିଆସେ । ମନେ କରେ ସେହି ଛୁଆଟିର ମା’ ସାଙ୍ଗରେ ଧାଇଁବାକୁ ଇଚ୍ଛା ନାହିଁ । ମା’କୁ ଡାକି ଡାକି ମରିଗଲା । ବିଚରା କୋଠାଘରର ଅଇଁଠା ଚାଖି ଶିଖିଲା ନାଇ ।

 

ଟମି ତା’କୁ ପାଟିରେ କାମୁଡ଼ି ଏଠି ସେଠି ହୁଏ ଆଉ ଚାଟେ । ଲୋକ ସେ ପାଖକୁ ଗଲେ ଗଁ ଗଁ ହୁଏ । ଦେଖାଗଲା ଯେ ଛୁଆକୁ ବଞ୍ଚାଇବା ବାହାନାରେ ଚାଟୁ ଚାଟୁ ସେ ଚାରିପଣ ଖାଇ ଦେଇ ସାରିଲାଣି ।

 

ଆରେ—ଦେଖ ଦେଖ । ଟମି ଏଥର ପାଗଲା ହୋଇଗଲା ବୋଧ ହୁଏ । ନିଜର ଛୁଆଙ୍କୁ କ’ଣ ପଶୁମାନେ ଖାଆନ୍ତି । ଆରଗୁଡ଼ାଙ୍କୁ ବି ଖାଇଯିବ—ମଣିଷଙ୍କୁ ହୁଏତ ଛକିବ ।

 

ଲମ୍ବା ଠେଙ୍ଗାର ସାହାଯ୍ୟରେ ସେ ମଲାଛୁଆଟି ତାହାଠାରୁ କଢ଼ା ହୋଇ ପାଚେରୀ ଡିଆଁଇ ଦିଆଗଲା । ଟମି ଦେଖିଲା ଉଚ୍ଚା ପାଚେରୀ ତାହାର ପେଟ ଭିତର ଛୁଆକୁ ନେଇଗଲା ।

 

ବେଳେ ବେଳେ ଠିଆ ହୋଇ ପାଚେରୀକୁ ଶୁଙ୍ଘେ ।

 

ଆଉ ଯୋଡ଼ିଏ ମଲେ । ସେମିତି ପାଚେରୀ ଆର ପାଖେ ଲୁଚିଗଲେ ତାହାର ଆଖିର ଆଗେ ଆଗେ ।

 

ଗୋଟିଏ ଛୁଆ ରହିଲା । ଟମି ତା’କୁ ଖୁଆଇ ବଳୁଆ କଲା । ଏଇଟି ତାହାର ପାଖେ ପାଖେ ରହିବ । କୁକୁର ଜଗତକୁ ଏତିକି ତାହାର ଦାନ ।

 

ସୁନେଲି ଖରା, ରୂପେଲି ଜହ୍ନ, ଫୁଲର ବାସନା, ପ୍ରଜାପତିର ରଙ୍ଗ ଭିତରେ ସେ ଯାହା ପାଇଥିଲା ସେଗୁଡ଼ିକ ଏମିତିରେ ଚାଲିଗଲେ । ଆସିଥିଲେ ତାହାର କାନ୍ଦଣା ଭିତରେ ପୁଣି ଫେରିଗଲେ ତା’କୁ କନ୍ଦାଇ ।

 

ତଥାପି ବାବୁମାନେ କହନ୍ତି ସେ ପଶୁ—ସେ ହସ କାନ୍ଦ କ’ଣ ଜାଣେ ନାଇ ।

 

ତାହାର କୌତୁକିଆ ଛୋଟିଆ ଛୁଆଟି ପଡ଼ିଶା ଘର ନେଇଗଲେ ପାଳିବେ ବୋଲି । ନେଲାବେଳେ ଟମିକୁ ଜଣାନାହିଁ । ଛୁଆକୁ ଚାରିଆଡ଼ୁ ଖୋଜିଲା । ସମସ୍ତଙ୍କ ମୁହଁକୁ ଚାହେଁ—କିଏ ଚୋରାଇଚି ଜାଣିପାରେ ନାଇ । ଏଠି ସେଠି କୁଉଁ କୁଉଁ ହୋଇ କହେ ଛୁଆଟିକୁ ଫେରାଇବା ପାଇଁ-

 

ପାଚେରୀର ଚୂନକୁ ଶୁଙ୍ଘି ସେମିତି କୁଉଁ କୁଉଁ ହୁଏ । ଏହି ପାଚେରୀ ତାହାର ଶତ୍ରୁ । ତାହାର କାନ୍ଥକୁ ନିଜର ଦୁର୍ବଳ ଗୋଡ଼ ନଖରେ ରାମ୍ପେ ।

 

ରାସ୍ତାରେ ଗହଳି । ଛୋଟ ଛୁଆଟି ପାଖ ପଡ଼ିଶା ଘରେ ପିଲାଙ୍କ ସାଙ୍ଗରେ ଖେଳୁଥାଏ । କେତେବେଳେ ମା’କୁ ଡ଼ାକିବା ପାଇଁ ତାହାର ଦୁର୍ବଳ ସ୍ୱର କାଢ଼େ, ସେତକ ସଂସାରର ଗୋଳମାଳକୁ ବୁଡ଼େଇ ଉଠିପାରେ ନାଇ ।

 

ରାତି ଅଧିକ ହୋଇଗଲା । ରାସ୍ତାର ଗହଳି ଭାଙ୍ଗି ଗଲାଣି । ପଡ଼ିଶାଘରେ ଶୋଇଲେଣି-। ଟମିର ନିଦ ଭାଙ୍ଗିଗଲା—ସନ୍ଦେହ ତୁଟିଗଲା । ଛୁଆ କାନ୍ଦୁଚି—ଠିକ୍‌ ସେହି ପାଚେରୀ ଆରପାଖେ ।

 

ଘରଯାକ ଧାଁ ଦଉଡ଼ କଲା । ପାଟକରି, ଭୁକି, ଚୋବେଇ ସମସ୍ତଙ୍କୁ ଉଠାଇଲା । ପାଚେରୀ ଯାଏ ଧାଇଁଯାଏ ଓ ଲୋକଙ୍କ ମୁହଁକୁ ଅନାଏ । ‘ଛୁଆଟି ସେ ପାଖରେ ଅଛି—ଦିଅ ।’

 

ନିଦ ଭଙ୍ଗାଇଥିବାରୁ ମାଡ଼ ଖାଇଲା । ଛୁଆଟିର କାନ୍ଦଣା ବନ୍ଦ ହୋଇଯାଏ ପୁଣି ହୁଏ । ଟମି ନ ଶୋଇ ବାହୁନେ । ଘରେ ଶୁଭେ ‘ଆଳି ଏଇଟା ଆଉ ଶୁଆଇ ଦବ ନାହିଁ—ଗୋଟାଏ ଛୁଆକୁ ଖାଇଗଲା । ଆଜି ଦେଖ ପୁଣି ସୋହାଗ ।’

 

ପାଚେରୀର ଚାରିଆଡ଼ ନିବୁଜ । ଘରର ସବୁ କବାଟ ବନ୍ଦ । ସେଥିରେ ଟମି ବନ୍ଦୀ । ପାଚେରୀ ଆରପାଖେ ଠିକ୍‌ ତାହାରି ଛୁଆର କାନ୍ଦଣା—ହଁ, ତାହାରି ଛୁଆତ ।

 

ସେହି ପାଚେରୀରେ ଗୋଟିଏ ବର୍ଷା ପାଣି ଯିବା କଣା ଥାଏ । ସେଥିରେ ମୁହଁ ପୁରେଇ ଟମି ଅନେକ ସମୟ ରହେ । ଛୁଆ କାନ୍ଦିଲେ ବୋବାଏ—କିନ୍ତୁ ସେହି କଣା ଭିତରକୁ ପଶିପାରେ ନାଇ ।

 

ନିଶୁନ ରାତି—ସବୁଆଡ଼େ ଶୋଇଚନ୍ତି । ଟମିର ଖାଉନ୍ଦ ଘର ଓ ଛୁଆ ରହିଥିବା ପଡ଼ିଶା ଘରର ସମସ୍ତେ । ଛୁଆଟି ବେଳେବେଳେ ବୋବାଇ ଉଠେ । ଗହନ ରାତିର ଥଣ୍ଡାପବନ ସେହି ସ୍ୱରକୁ ତୋହି ଆଣେ ଟମିର କାନ ପାଖକୁ । ଛୁଆଟିକୁ ଶୀତ କରୁଚି, ମା’କୋଳର ଆଶ୍ରୟ ନାହିଁ । ଟମିକୁ ଶୀତ କରୁଚି । ଛୁଆଟି କେଇଦିନ ହେଲାଣି ତାହାର କୋଳକୁ ଉଷୁମ କରିଥିଲା—ନାହିଁ ।

 

ଗୋଟାଏ ଖିଆଲରେ ସେହି ପାଚେରୀ କଣା ଭିତରେ ଟମି ଗଳି ଯାଇଚି ସେ ପାଖରୁ ତାହାର ଛୁଆଟିକୁ ଉଦ୍ଧାର କରିବ ବୋଲି । ପଶି ଯାଇ ପୁରା ସେପାଖକୁ ଯାଇ ପାରିଲା ନାହିଁ—ଫେରି ପାରିଲା ନାହିଁ । ଅଣଓସାରିଆ ନଳାରେ ତାହାର ଦୁର୍ବଳ ପଞ୍ଜରା ଚିପି ହୋଇ ରହିଗଲା ।

 

ବାତ୍ସଲ୍ୟର ଯନ୍ତା । ଏହାରି ଭିତରେ ତାହାର ପୂର୍ବ ପୁରୁଷମାନେ ବଣର ଜନ୍ତୁଙ୍କ ସାଙ୍ଗରେ ଲଢ଼ି ଅସହାୟ ଶିଶୁମାନଙ୍କ ପାଇଁ କେତେ ଥର ମରିଥିଲେ । ମା’ ବଞ୍ଚିଥିବା ଯାଏ ଛୁଆମାନଙ୍କର କ୍ଷତି ହୋଇ ନ ଥିଲା । ସେହି ଯନ୍ତାରେ ଚିପି ହୋଇ ପଡ଼ିଥିଲାବେଳେ ଛୁଆର କାନ୍ଦଣା ବାଜେ ଆଖି ଆଗରେ । କାନ ଦି’ଟା ଘସି ହୋଇ ଖଣ୍ଡିଆ ହୋଇଯାଇଚି ।

 

ତାହାର ଟିକି ହୃଦୟଟି ପିଲାଙ୍କ ପାଇଁ ବୋଧହୁଏ ଆକାର ପ୍ରକାରରେ ଚଢ଼ି ଯାଇଥିଲା । ସେଇଟି ଚିପି ହୋଇ ହାଡ଼ ତଳେ ପୁଣି ସଙ୍କୁଚିତ ହୋଇଯାଇଚି ।

 

ସକାଳ ହେଲାବେଳକୁ ଜଣାଗଲା । ତାହାର ମେଲାଆଖିକୁ ଦେଖି ସମସ୍ତେ ମନେ କଲେ ସେ ଜୀଇଁଚି । ତାକୁ ମୁକୁଳେଇବା ପାଇଁ ପାଚେରୀରେ ଇଟା ଭାଙ୍ଗି ବାହାର କଲାବେଳେ ଖଣ୍ଡେ ଭୁଷୁଡ଼ି ପଡ଼ିଲା କୁଢ଼ଟିଏ ହୋଇ ତାହାର ମଲା ଦେହ ଉପରେ ।

 

ଏହି ଇଟା ଚୂନର ପାଚେରୀ । ତା’କୁ ବାଧା ଦେଉଥିଲା ଯେତେବେଳେ ବୁଲା କୁକୁରମାନେ ଯୌବନର ଗୀତ ଗାଇ ତାହାର ଚେତନା ଭାଙ୍ଗିଥିଲେ । ସେଇ ପୁଣି ତା’ର ଛୁଆକୁ ନେଇଥିଲା । ସେହି ପାଚେରୀ ଆରପାଖେ ଛୁଆ କାନ୍ଦୁ ଥିଲାବେଳେ ତାହାର ଦୁର୍ବଳ ସ୍ୱରକୁ ପାଚେରୀ ବାଧା ଦେଉଥିଲା ମା ପାଖରେ ନ ପହୁଞ୍ଚାଇବା ପାଇଁ । ସେହି ପାଚେରୀ ପୁଣି ଗୋଟିଏ ମା’କୁ ନିଜ ଛୁଆ ଦେଖିବାକୁ ଗଲାବେଳେ ବାଧା ଦେଇ ଏକାବେଳକେ ନେଇଗଲା ଆରପୁରକୁ ।

 

‘ଆରେ ଦେଖ—ଟମିଟା ମରିଗଲା କେମିତି । ଆଃ, ପଶୁଜାତି ତ—କ’ଣ ବୁଝନ୍ତି ।’’

 

ମଣିଷ ତାହାର ଛୋଟିଆ ଛୁଆଟିକୁ ଚୋରାଇନେଲେ—ସେମାନେ ବଳୁଆ ବୋଲି । ତାକୁ ତାହାର ମରିବାର ରାସ୍ତା ଦେଖାଇଦେଲେ ସେମାନେ ବୁଦ୍ଧିଆ ବୋଲି । ମଲା ପରେ ତା’କୁ ମୁକୁଳେଇବାର ଚେଷ୍ଟା କଲେ—ସେମାନେ ହୃଦୟବାନ୍‌ ବୋଲି ।

 

ଧନୀ ସାହୁକାର ଠିକ୍‌ ଏମିତି ମଣିଷକୁ ପଶୁପରି ଗଢ଼ିଦିଏ । ତା’ପରେ ତାହାକୁ ମାରି ସାରି ତାହାର ଶ୍ରାଦ୍ଧରେ ସାହାଯ୍ୟ କରି ନିଜର ଧର୍ମ ଅର୍ଜନ କରେ ଓ ବଡ଼େଇ କରି ବୁଲେ ।

☆☆☆

 

ଜଗୁଆଳ

 

ଆଜି ସିନା ‘ମନ୍ତ୍ରୀଙ୍କଠାରୁ ଆରମ୍ଭକରି ତାଙ୍କର ପାଳିଆ, ହଳିଆ, ଓ କୁଲିମାନେ ବି ଓକିଲଙ୍କୁ ଗାଳିଦେବା ଆରମ୍ଭ କରିଦେଇଛନ୍ତି । ସମସ୍ତଙ୍କର ମତରେ ଓକିଲଙ୍କ ପାଇଁ ଦେଶଟା ଭୁଷୁଡ଼ି ପଡ଼ିଚି । ନା ଜାଣିବା ଲୋକେ କଥାଟାକୁ ସତ ବୋଲି ଊଣା ଅଧିକେ ଧରି ନେଲେଣି ।

 

ସବୁଦିନେ ଏମିତି ନ ଥିଲା । ଚବିଶ ବର୍ଷ ଧରି ଊଣା ବହୁତ ଆଇନଅମାନ୍ୟ ଆନ୍ଦୋଳନ ଚାଲିଲା । ଚୋର ଖଣ୍ଟଙ୍କଠାରୁ ଆରମ୍ଭ କରି ସାଧୁସନ୍ଥ ଯାଏ ଅନେକ ପ୍ରକାରର ଲୋକେ ଯେତେବେଳେ ସାମ୍ରାଜ୍ୟବାଦୀ ବ୍ରିଟିଶ ସରକାରକୁ ନିକାଲି ଦେବା ପାଇଁ ନାନାପ୍ରକାରରେ ଆଇନ ଭାଙ୍ଗି ଅଚଳ କରିଦେବାରେ ଲାଗି ପଡ଼ିଥିଲେ ସେତେବେଳେ କେଜାଣି କାହିଁକି ଓକିଲଙ୍କର ଦରକାର ହେଉଥିଲା । ଓକିଲମାନେ ବିଭିନ୍ନ ସ୍ଥାନରେ ରହି, କରି କରାଇ ସମୟ ଓ ଶକ୍ତି ଦେଇ ଆଇନ-ଅମାନ୍ୟକାରୀ ଦଳଙ୍କୁ ଅନେକ ପ୍ରକାରର ସାହାଯ୍ୟ ଦେଇ ସେମାନଙ୍କର ସ୍ନେହ ଓ କୃତଜ୍ଞତାର ଭାଜନ ହୋଇଥିଲେ । ଦେଶର ନେତା ପ୍ରାୟ ଓକିଲ ଗୋଷ୍ଠୀରୁ ଟଣା ହୋଇ ଆସୁଥିଲେ ।

 

ଯେତେବେଳେ ଓକିଲ ଅନୁଷ୍ଠାନର ଏହି ପ୍ରକାରର ସୁନାମ ଥିଲା, ସେତେବେଳେ ବିନା, କଚେରୀରେ ଚପରାଶି ହୋଇଥିଲା । ସେଠି ରହି ସେ କେତେ ହାକିମଙ୍କୁ ଅମଳ କରିଛି, କେତେପ୍ରକାରର ପକ୍ଷ ଓ ଓକିଲଙ୍କର ଭଲମନ୍ଦ କରିଛି ଓ ଦେଖିଛି । କଟକ କଚେରୀର ସେ ଗୋଟିଏ ଖୁଣ୍ଟ ପରି । କଚେରୀରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି । ବଡ଼ କୋଠାରୁ ଆସି ଛୋଟ ଟିଣ ଘରେ ଆସି ରହିଛି । ଛୋଟ ଓକିଲଙ୍କୁ ବଢ଼ି ବଢ଼ି ବଡ଼ ହାକିମ ହେବା ଦେଖିଛି । ବଡ଼ ହାକିମଙ୍କୁ ପେନସନ୍‌ପରେ ପୁଣି ତାହାପରି ଚପରାସି ପିଅନଙ୍କଠରୁ ହୀନ—ବଳ ଓ ହୀନ-ପରାକ୍ରମ ହୋଇଯିବାର ମଧ୍ୟ ଦେଖିଛି ।

 

ସବୁଥିରେ ବିନାର ଆନନ୍ଦ । ତାହାର ନାଲି ହୋଦାଟା ପକାଇଦେଲେ ତାହାର ଦେହରେ ସତେ କି ବିଜୁଳି ଖେଳିଯାଏ । କଳଗୁଡ଼ାକ ତେଲ କୋଇଲା ଆଦିରେ ଚାଲିଲା ପରି, ହୋଦାଟା ପକାଇଲେ ବିନାର ଗଳାରେ ଗର୍ଜନ କରିବାକୁ ବଳ ଆସେ, ମଗଜରେ ବୁଦ୍ଧି ଖେଳିଯାଏ-। ସେହି ଚାକିରୀରେ ସେ କଟେଇଥିଲା ଚବିଶି ବର୍ଷ । ପିଅନ ହୋଇ ହାକିମମାନଙ୍କର ବୋଲହାକ କରି, ଓକିଲ ମହକିଲଙ୍କର ଖିଜିମତ୍ କରି ତାହାର ଛୋଟିଆ ଟୁଲଖଣ୍ଡକରେ ସେ ବସିରହେ-। ଦୂରରେ ଓକିଲ ଠିଆହୋଇଥାନ୍ତି, ବସିବା ସ୍ଥାନ ନଥିବା ବେଳେ ।

 

କଟକରୁ ସେ ବଦଳି ହୋଇ ନ ଥିଲା । ସେଥିପାଇଁ ସେ ଅନେକ ସମୟରେ ତାହାର ବୁଦ୍ଧିର ଓ ଚାକିରୀର ତାରିଫ କରି କହେ, ‘କେତେ ଇନ୍ଦ୍ର ଗଲେଣି, ବିନା ବସିଛି ।’

 

ସତରେ ବିନା ବସିଛି । ଖରାଛୁଟି ହେଲେ ଗେଜେଟ୍‌ରେ ହାକିମମାନଙ୍କର ବଦଳି ହୋଇଥିବା ଖବର ବାହାରେ । ବିନାର ପୁରୁଣା ହାକିମଙ୍କର ବେଳେ ବେଳେ ବଦଳି ହୋଇଥାଏ । ତାଙ୍କ ଜାଗାରେ ନୂଆ ହାକିମ ଆସିଥାନ୍ତି । ବିନା ତାଙ୍କର କାମରେ ଲାଗିଯାଏ । ସେ ବିନା ଉପରେ ଖୁସି ହୋଇଯାନ୍ତି ।

 

ପ୍ରତିବର୍ଷ ଦୁଇଥର ବିଶ୍ୱବିଦ୍ୟାଳୟ ଆଇନ ପରୀକ୍ଷା କରି ଦି’ ଚାରି ପୁଞ୍ଜା ଓକିଲ କଚେରୀ ଭିତରକୁ ଛାଟିଦିଏ । ବିନା ସେମାନଙ୍କୁ ଦେଖି ଭାରି ଖୁସି ହୋଇଯାଏ । ଏହି ବାବୁ ଗୁଡ଼ିକ କେଇଦିନ ଭାରି ମନ ଉଲସିଆ ହୋଇ । ବୁଲିବେ—ତା’ପରେ କଚେରୀ ତାତି ସହି ନପାରି କେଇଟି ଝାଉଁଳି ଶୁଖିଯିବେ, କିଏ ପଳାଇବେ, ଆଉ ଗୋଟିଏ ଅଧେ କେଉଁଠି ହାକିମ ବନିଯାଇ ଦିନେ ଆସି ବିନାର ହାକିମ ହୋଇ କଟକ କଚେରୀରେ ହାଜର ହୋଇଯିବେ । ଅନେକଦିନ କାମ କରି ଏହି ଅନୁଭୂତି ବିନାର ହୋଇଥିଲା । ସେଥିପାଇଁ ନୂଆ ଓକିଲଙ୍କୁ ପ୍ରଜାପତି ଠାଣିରେ ଦେଖିଲେ ବିନା ଏକାବେଳକେ ତାଙ୍କର ମୁରବି ପାଲଟିଯାଇ ତାଙ୍କପାଇଁ ତାହାର ହାକିମଙ୍କୁ ସୁବିଧା ଦେଖି, କେବେ କେମିତି ଟିକିଏ ସୁପାରିସ କରିଦିଏ ।

 

ହଁ ନୂଆ ଓକିଲଙ୍କୁ ବିନା ବୁଝେଇ ଦେଇ କହେ । ଅମୁକ ବାବୁ, ଅମୁକଙ୍କ ପୁଅ, ଅମୁକ ଜାଗାରେ ଅମୁକ କାମ କରୁଛନ୍ତି ଯେ ବିନା ଚପରାସିକୁ ଭାରି ଖାତିର କରୁଥିଲେ । ବିନା ଛୋଟିଆ ଚପରାସିଟିଏ ହେଲେ କ’ଣ ହେଲା, ତାଙ୍କପାଇଁ ଅନେକ ଅସାଧ୍ୟ କାମ କରି ଦେଇଚି । ହାକିମଙ୍କୁ କହି ତାଙ୍କପାଇଁ ନାବାଳକି ମକଦ୍ଦମା ଦୁଇଟା ଯୋଗାଡ଼ କରେଇ ଦେଇଥିଲା; ତାଙ୍କର ଥରେ ଟଙ୍କାର ଭାରି ଦରକାର ପଡ଼ିଥିଲାବେଳେ ତାହାର ଜଣେ ମହକିଲ ମହାଜନଠାରୁ ଟଙ୍କାକେ ଦୁଇପଇସା ସୁଧରେ ତିରଶି ଟଙ୍କା କରଜ କରେଇ ଦେଇଥିଲା ଯେ ତାଙ୍କୁ ଶୁଝିବାକୁ ତିନିବର୍ଷ ଲାଗିଲା । ....ଏମିତି ତାହାର ବ୍ୟବହାରର ଓ ଗୁଣର ତାଲିକା ।

 

ମୋଟାମୋଟି ବିନା ସମସ୍ତଙ୍କୁ ଭଲପାଏ ଓ ସମସ୍ତେ ବିନାକୁ ସୁଖ ପାଆନ୍ତି । ସେବି ସଂସାର ଜଣେ ମୁଖିଆ ଓ ଭାରି ଦରକାରୀ ମଣିଷ । ତାହାର ଚେଲା ଅଛନ୍ତି, ତାହାଠାରୁ ଉପକାର ପାଇଥିବା ଲୋକ ଅଛନ୍ତି । ତାହାଠାରୁ ପରାମର୍ଶ ମାଗୁଥିବା ଲୋକ ଅଛନ୍ତି । ଚପରାସି ହେଲେ ବି ସେ ଜଣେ ନଗଣ୍ୟ ନୁହେଁ ।

 

ପ୍ରତିଦିନ ସକାଳ ସାଢ଼େ ଦଶଟାରେ କଚେରୀ ଲାଗେ । ବିନା ଆସି ଘଣ୍ଟାଟିଏ ତାହାର ଜଞ୍ଜାଳିଆ କାମରେ ଲାଗିଯାଏ । ଆସି ପ୍ରଥମେ ସିଲ୍‌ ମୋହର ଆଦି ରଖାରଖି କରେଇ ଦେଇ ହୋଦାଟାକୁ ଟିକିଏ ସିଧା କରିନେଇ ଆଖପାଖ କେସ୍‌ ଡାକରାରେ ଲାଗିଯାଏ । ସେ ଗର୍ଜ୍ଜନରେ ବଡ଼ ଜମିଦାର ଓ ରଜାମାନେ ଯେମିତି ‘ହାଜର ହାୟ’ ହୁଅନ୍ତି ପରଦାସୀନ ଧନୀ ଘରର ବୋହୂ ଝିଅ ବି ଠିକ୍‌ ସେମିତି ଏକା ପ୍ରକାରର ‘ହାଜର ହାୟ’, କରା ହୁଅନ୍ତି । ତାଙ୍କର ଚାକର ଚେମେଇ, ଗୁରୁବାରୀ, ରାମା, ଶାମା, ଦାମା ବି ଠିକ୍‌ ସେମିତି ‘ହାଜର ହାୟ’ କରା ହୁଅନ୍ତି । କେହି ନୂଆ ଓକିଲ କି ଲୋକ ପଚାରିଲେ ବିନା କହେ, ଆମର କଚେରୀରେ ହୁକୁମ ଅଛି କି ଏଠି ବଡ଼ ସାନ ଭିତରେ ତଫାତ ରଖା ହେବ ନାହିଁ । ହାକିମମାନେ ଏମିତି ବଡ଼ଲୋକକୁ ‘ହାଜର ହାୟ’ ଡାକି ଦବାକୁ ହୁଏତ ହାତେ ଦିହାତେ ମାଟି ଭିତରକୁ ଦବିଯିବେ । କିନ୍ତୁ ଏଇ ବିନା ଚପରାସି କେବେ ହେଲେ ପଛେଇ ନାହିଁ କି ଡରି ନାହିଁ । କଚେରୀ ହାଜର ସେ କରାଇ ଆସିଛି କେତେ ମହା ମହା ଲୋକଙ୍କୁ ।

 

ତଥାପି ବିନାର କଚେରୀରେ ପ୍ରତିଦିନ ସୁବିଧା ମଉକା ନେଇ ପାଞ୍ଚରୁ ପଚିଶି ଯାଏ ରୋଜଗାର ହୋଇଯାଏ । ପ୍ରତିଦିନ ବିନା ମଉକା ଖୋଜେ । ବର୍ଷକେ କେଇଦିନ ଆସେ, ବାକି ଦିନ ଗୁଜରାଣ ଚଳିଲା ଭଳି । ବିନା ଛୋଟିଆଙ୍କୁ ହାତ ପତାଏ ନାହିଁ । କହେ ରଖିଥା ବାବୁ ତମର କ’ଣ କାମରେ ଲାଗିବ ବାଟରେ । ଏବେ ସିନା ଛୋଟ ଛୋଟ ହାକିମ ଆସୁଛନ୍ତି ଯେ ତାଙ୍କର ଚଢ଼େଇ କଲିଜା । ଆଗେ ଲୋକଥିଲେ ଦେଖିଲେ ଆଖି ପୂରିଯିବ । ମଣିଷ ଯେମିତି ହାକିମ ସେମିତି । ସେ ରୋଜଗାର କାହୁଁ ଆସିବ ? ମହକିଲ ତ ହାକିମଙ୍କୁ ଡରିଲେ ନାହିଁ । ଆଉ ହାକିମଙ୍କ ବାହନ ବିନା, କଣ ପାଇବ ? ଖାଲି ବିଧି ରକ୍ଷାକୁ ଯାହା ରେଜାରେଜି ନବା କଥା—ନଇଲେ ଲକ୍ଷ୍ମୀ ଚିଡ଼ିଯିବେ । ଏଥିରେ କିଛି ଗୋଟିଏ କାମ ହେଉନାହିଁ ।

 

ଏମିତି ବିନା ଅନେକ କଥା କହେ । ଅନେକ କଥା କରେ । ଚବିଶି ବର୍ଷ ଚାକିରୀ କରି ସାରିଲାଣି, କେଇ ବର୍ଷରେ ଛୁଟି ନେଇ ଚାଲିଯିବ ଘରକୁ ।

ଜୀବନରେ ତାହାର ଗାରଟିଏ ଦୁଃଖ—ସେଇଟା ତାହାର ସ୍ତ୍ରୀ । ଚପରାସି ହେଲେ ବି ବାଛି ବାଛି ବୋହୂଟିଏ ଆଣିଥିଲା । ତାହାର ମନରେ ଥିଲା କି ହାକିମିଆଣୀ ଗୁଡ଼ାକ ବଡ଼ କଦାକାର-। ସୁନ୍ଦର ହାକିମିଆଣୀ କଦବା ଗୋଟିଏ ମିଳେ । ତାହାର ସ୍ତ୍ରୀକୁ ନେଇ ଯାନିଯାତରେ ଗଲାବେଳେ ଲୋକେ ତ କହିବେ ବିନାର ସ୍ତ୍ରୀ ବଡ଼ ସୁନ୍ଦର—ବଡ଼ ତୋରା ।

ସ୍ତ୍ରୀଟିକୁ ଜୀବନର ଆଶୀର୍ବାଦ ବୋଲି ମନେ କରିଛି । ବିନା ଜାଣେ ଯେ ତାହାର ଛୋଟିଆ ଜୀବନରେ ଦୁଇଟି ବଡ଼ କଥା—ଗୋଟିଏ ଚାକିରୀର ମହିମ, ଆରଟି ସ୍ତ୍ରୀ’ର ମହାତ୍ମ୍ୟ । ସେଥି ଭିତରେ ବିନା ଗୋଟାଏ ଅତି ସାଧାରଣ ଲୋକ ।

ସେହି ସ୍ତ୍ରୀ ବିନାକୁ ଗୋଟିଏ ପରେ ଗୋଟିଏ ଛ’ଟି ପିଲା ଆଣି ଭେଟି ଦେଇଥିଲା । ସେଥି ଭିତରେ ବିନା ସାଙ୍ଗରେ ସ୍ତ୍ରୀ’ର ମନ କେତେଦୂର ମିଶୁଥିଲା, ବିନା କେବେ ହେଲେ ବୁଝିବାକୁ ଚେଷ୍ଟା କରିନାହିଁ । ସ୍ତ୍ରୀଟା ବଡ଼ ଖର୍ଚ୍ଚୀ । ଯେତେ ପାଏ, ଖର୍ଚ୍ଚ କରେ । ବିନାକୁ ଆଉରି ଟଙ୍କା ପାଇଁ ଓଜର କରେ । ବିନା ଯେଉଁଠୁ ଯାହା ଆଣିଲେ ବି ସ୍ତ୍ରୀ’କୁ ନିଅଣ୍ଟ ହୁଏ । ତଥାପି ବିନା ଆଖିରେ ସ୍ତ୍ରୀ’ଟି ଗୋଟାଏ ବଡ଼ ପଦାର୍ଥ ।

ଏହି ସ୍ତ୍ରୀ’ଟିକୁ ସନ୍ତୁଷ୍ଟ କରିବାପାଇଁ ବିନା କେତେ ବୁଦ୍ଧି ଖର୍ଚ୍ଚ କରି କେତେ କଥା ଭାବିଛି । କଟକର ବଇଶାଖ ଖରା ଅଷାଢ଼ୁଆ ଝାଳ ସବୁ ପାର କରିଛି । ଏତେ ମୂଲ ଦେଇ ଯାହାକୁ ସେ ମନେଇବା ଚେଷ୍ଟାରେ ଲାଗିଥିଲା, ସେହି ସ୍ତ୍ରୀ ନିଶ୍ଚୟ ମୂଲ୍ୟବାନ ହୋଇଥିବ—ସନ୍ଦେହ କାହୁଁ ଆସିବ ?

କିନ୍ତୁ ସ୍ତ୍ରୀ’ର ସବୁବେଳେ ଅଭିଯୋଗ ଓ ଦୁଃଖ ଯେ ତାକୁ ଓ ତାହା ପରି ଲୋକଟିକୁ ଗୋଟିଏ ଚପରାସି ମିଳିଲା । ସବୁବେଳେ ସେ ଖାଲି ବାବୁ ହାକିମ ଖୋଜେ ମନେ ମନେ । କେତେ ଆଶା ତାହାର ମନରେ ଉଠେ । କେତେ ସ୍ୱପ୍ନ, କେତେ କଳ୍ପନା । ସଂସାରଟା ତାହାକୁ ବିଷ ପରି ଲାଗେ । ସେ ପୀଡ଼ାକୁ ସେ ଉଝାଳେ ଚପରାଶି ବିନା ଉପରେ ।

ପିଲାଙ୍କୁ ହେପାଜତ୍‌ କରେ ନାହିଁ । ନିଜର ଦେହ ଓ ମୁହଁର ହିପାଜତ୍‌ରେ ଲାଗିଥାଏ । ପିଲାଙ୍କ ଜଞ୍ଜାଳ ବିନା ଉପରେ ପଡ଼େ । ଚପରାସିଟା ଯେତେବେଳେ, ପିଲାଙ୍କୁ କିଆଁ ନ ଚଳେଇବ-। ହାକିମଙ୍କ ପିଲାକୁ ଚଳେଇ ନ ପାରିଲେ ହାକିମ କଣ ସୁଖ ପାଉଥିବେ ? ବିନା ଆପତ୍ତି କଲେ କଳି ହୁଏ ।

ସେଇଟା ଦୁଃଖର କାହାଣୀ । ପିଲାଙ୍କ ସଂଖ୍ୟା ଅନୁସାରେ ସେ କାହାଣୀଟିର ଆକାର ଲମ୍ବା ଚଉଡ଼ା ଉଚ୍ଚାରେ ବଢ଼ିଯାଏ । ବିନା ସେହି କଥା କହି ଛାତିରୁ ବୋଝ ହାଲୁକା କଲାବେଳେ ସହାନୁଭୂତି ପାଏ । ସମସ୍ତେ ସ୍ତ୍ରୀ’ କଥା ଅଧିକରୁ ଅଧିକ ବୁଝି ବସନ୍ତି । ବିନା ସ୍ତ୍ରୀର ଚରିତ୍ରକୁ ସନ୍ଦେହ ନ କରି ଖାଲି ତାହାର ମିଜାଜକୁ ଖୁଣୁଥାଏ ଲୋକଙ୍କ ଆଗରେ ।

ହଠାତ୍‌ ଦିନେ ବିନା ପରି ସ୍ୱାମୀ ଓ ସେତକଯାକ ପିଲାଙ୍କର ଲୋଭ ଛାଡ଼ି ବିନାର ସ୍ତ୍ରୀ’ ଘରଛାଡ଼ି ଆଉ ଜଣଙ୍କ ସାଙ୍ଗରେ ଘରୁ ଚାଲିଲା । ଫେରିଲା ନାହିଁ । ବିନା ଉପରେ ଘରର ସବୁ ଭାର ପଡ଼ିଲା ।

ବିବିଟା ଯେଉଁଦିନ ଛାଡ଼ି ପଳାଇଲା ଲୋକଙ୍କର ହଠାତ୍‌ ଧାରଣା ହେଲା ଯେ ବିନାର କିଛି ନାହିଁ ଆଉ ତାହାର ସ୍ତ୍ରୀ’ର ସବୁ ଥିଲା । ବୋଧହୁଏ ସେ କଥା ସତ ଯେ ବିନାର କିଛି ନ ଥିଲା ଓ ସ୍ତ୍ରୀ’ର ସବୁ ଥିଲା । ବୋଧହୁଏ ସେ କଥା ସତ ଯେ ବିନାର କିଛି ନ ଥିଲା ଓ ସ୍ତ୍ରୀ’ର ସବୁ ଥିଲା । ବିନା ଭାଙ୍ଗି ପଡ଼ିଲା । ତାହାର ଗଳାର ସ୍ୱର, ଚପରାସି କାମର ହାକିମାତି, ‘ହାଜର ହାୟ’ କରିବା ସବୁ ଯେମିତି ଦୁର୍ବଳ ହୋଇଉଠିଲା । ତାହାର ଚିନ୍ତା ହଠାତ୍‌ ଭାରି ବୋଝପରି ତାହାରି ଉପରେ ଅଜାଡ଼ି ହୋଇପଡ଼ିଲା ।

ଆଉ ବିନାର ବାହାଦୁରୀ ନାହିଁ । ଯେଉଁମାନଙ୍କ କଥା ନେଇ ସେ ସଂସାରରେ ଆଉ ପାଞ୍ଚଜଣଙ୍କ ଆଗରେ ବଡ଼େଇ କରୁଥିଲା ସେମାନେ ଚାଲିଗଲେ ତାକୁ ଛାଡ଼ି ଦେଇ । ବାକି ରହିଲେ ପିଲା କେଇଟି । ସେମାନେ ମଣିଷ ହେବେ—ବିନାର ଦୁଃଖ ଯିବ । ମଣିଷ କରିବାରେ ଲାଗିଲା ।

ଯେଉଁଆଡ଼େ ବିନା ଯାଏ ତାହାରି ଦୁଃଖର କାହାଣୀ ତାହାରି ଆଗରେ ଓ ପଛରେ ଭୂତ ପରି ଚାଲିଥାଏ । ସେହି ନୀରସ ବାଜେ କଥା ଶୁଣି ଶୁଣି ଲୋକେ ବିରକ୍ତ ହେଲେଣି । ବିନାକୁ ବି କହି କହି ଦିକ୍‌ଦାର ଲାଗିଲାଣି । ସେ ଖାଲି ଚାହିଁ ରହେ । ବଞ୍ଚି ରହିଛି ବୋଲି ତାହାର ଚାକିରିଟା ସେ ବଜେଇ ରଖିଥାଏ ଓ ଯେତିକି ନ ହେଲେ ନ ଚଳେ ସେତିକି କରି ଘରକୁ ଧାଇଁ ଯାଏ ଜଗୁଆଳି କାମ କରିବା ପାଇଁ । ସ୍ତ୍ରୀ’କୁ ଆଣିଥିଲା ଯେ ବୋଝଟାଏ ଥୋଇଦେଇ ଯାଇଛି ।

ବିନାର ଜୀବନରେ ନୂଆ ଅଧ୍ୟାୟଟାଏ ଆରମ୍ଭ ହେଲା । ସେଇଟା ତାହାର ଭିକାରୀର ଜୀବନ । ଚାକିରି ରହିଛି—ତଥାପି ଭିକ୍ଷା ଦରକାର ପଡ଼େ । ପିଲାଙ୍କ ପାଇଁ ସବୁ ନଅଣ୍ଟ ହେଉଚି । ସର୍ବହରା ସ୍ତ୍ରୀଟା ଯାହା ନେଇ ପାରୁ ନ ଥିଲା ତହିଁରୁ ଅଧିକ ଏହି ବଢ଼ିଆଳ ପିଲାମାନେ ଟାଣି ନେଉଚନ୍ତି । ସେଥି ଉପରେ ପୁଣି ବିନାର ନିଜର ଦେହ ଭାଙ୍ଗି ପଡ଼ୁଛି ।

କଚେରୀ ଦାଣ୍ଡରେ ଚିହ୍ନାଲୋକ ହେଲେ ସେହି ଓକିଲ ପଞ୍ଝାକ ! ସମସ୍ତଙ୍କୁ ଦେଖିଲେ ହସନ୍ତି, କାହାରିକୁ ମୁହଁ ମାରି କିଛି କହି ପାରନ୍ତି ନାହିଁ । ସେହିମାନଙ୍କ ପାଖରେ ବିନାର ଅନେକପ୍ରକାର ମାଗୁଣିର ତାଲିକା ବାହାରେ । ଘର ଛପର ହେବ, ପିଲାର ସ୍କୁଲ ଦରମା ଦିଆହେବ, ପିଲାର ଔଷଧ ଦରକାର ଇତ୍ୟାଦି ଫରମାସ ପ୍ରତି ଚାରି ଆଠଦିନରେ ମୁଣ୍ଡ ଟେକି ଚମକେ ।

ଦାନ କରିବାକୁ ବିନା ବାଧ୍ୟ କରେ । ସେଥିରେ ତାହା ଦୁଃଖ ପାଇଁ ସେ କଟାଳ କରିବା ଆରମ୍ଭ କରିଦିଏ । ନ ହେଲେ ଚଳିବ ନାହିଁ । କେହି କେହି ଦିଅନ୍ତି । ବିରକ୍ତ ହୋଇ ଆପଣା ଭିତରେ ବିନା କଥା କୁହାକୁହି ହୁଅନ୍ତି । ସମସ୍ତେ ବିରକ୍ତ ।

ବିନା ଏଣେ କଚେରୀ ବାରଣ୍ଡାରେ ଛକି ରହିଲା ପରି ଥାଏ । ତାହାର ଦାତାମାନଙ୍କୁ ଦେଖିଲେ ଭାରି ଡରିଗଲା ପରି ହୋଇ ଗୋଟିଏ ଚଉଡ଼ା ନମସ୍କାର ପକାଏ ।

ଏହିସବୁ ଅଦିନିଆ ଦାନକୁ ଛାଡ଼ିଲେ ବି ଦୋଳ, ପୂଜା, ମହରମ ବଡ଼ଦିନ ଆଦି ପ୍ରତି ଉପଲକ୍ଷରେ ସେ ବକସିସ୍‌ ମାଗେ । ତାହାର ଚପରାସି ହିସାବରେ ହେଉଥିବା ମାମୁଲିକୁ ବାଦ୍‌ଦେଇ ସେ ଭିକ୍ଷାର ପସରା ପତେଇଲା ।

ଦଶହରା ଆସିଲା । ମାଳ ମାଳ ଚପରାସିଙ୍କର ତାଗିଦା ବକ୍‌ସିସ ପାଇଁ । ଯେ ଥରେ କୌଣସି କାମରେ ଥରେ ଚପରାଶି ପାଖ ଦେଇ ହାକିମ ପାଖକୁ ଯାଉଚି, ସେ ବକ୍‌ସିସ୍‌ ଦବ । ଏପରି ଅବସ୍ଥାରେ ବିନାର ଦାବୀ ଅଛି, ହକ ପାଉଣା ଅଛି । ବର୍ଷ ବର୍ଷ ଧରି ସେ ଆଦାୟ କରି ଆସିଛି । ତେବେ କଥା ହଉଛି ଯେ ବିନା କେତେ ମାଗିବ ?

ବିନାର ଦେଖା ନାଇଁ । କେଉଁଠି ଥିବ । କାହାଠାରୁ ପାଉଣା ଆଦାୟ କରୁଥିବ । ଦେଖା ନ ହୋଇ ପୂଜା ଛୁଟି ହୋଇଗଲେ ରକ୍ଷା । କିଏ ଜାଣେ ଏଥର ତାହାରି କି ଫରମାସ ଥିବ ?

ହଠାତ୍‌ ଜଣେ ବିନା କଥା ପଚାରି ଦେଲା । ଶୁଣିଲା ଯେ ସାତ ଦିନ ହେଲାଣି ସେ ମଲାଣି, ଆମାଶୟରେ ଭୋଗୁଥିଲା । ଗ୍ରହଣୀ ଧରି ଯାଇଥିଲା । ତାହାହେଲେ ସେ ମାଗିବ ନାଇଁ ।

ଜଣ ଜଣ ହୋଇ ସମସ୍ତଙ୍କୁ ସେହି ଖବର ହୋଇଗଲା । ବିନା ଆଉ ନାହିଁ । ସମସ୍ତେ ଆହା ଆହା କଲେ । ସମସ୍ତଙ୍କର ଗୋଟିଏ କଥା—ବିନା ମାଗିଥିଲେ ଖୁସିରେ ଦେଇଥାନ୍ତେ । ମଣିଷ ଏମିତି ଯାହାଙ୍କୁ ଦେବାପାଇଁ ବାଉଳା ହେଉଥାଏ ମନରେ, ଠିକ୍‌ ସେହିମାନେ ମାଗିଲେ ସେ ଚିଡ଼ି ଉଠେ ।

ବିନାର ଶୂନ୍ୟ ସ୍ଥାନ ଆଉ କେହି ଦଖଲ କରିବେ ନାହିଁ । ତାହାର ପାଉଣା ବକ୍‌ସିସ ପକେଟରେ ପଡ଼ି ପଡ଼ି ବିନାକୁ ବୋଧହୁଏ ଖୋଜିବ ।

ବିନାର ପୁଅ ଆସି ଦୁଆର ଦୁଆର ବୁଲିଲାଣି ବାପାଙ୍କର ଶ୍ରାଦ୍ଧ ହବ—ସମସ୍ତେ ଯେ ଯାହାର ଦେବା କଥା ଦେଇ ଦେଲେ ବିନାର ପୁଅକୁ । ସମସ୍ତେ ଖୁସି, ବିନା ତାହାର ଆବର୍ତ୍ତମାନରେ ବି ଆସି ତାହାର ମାମୁଲିଟା ଆଦାୟ କରି ନେଇ ଯାଇଚି ।

☆☆☆

 

ଆସାମୀ

 

ଆଗରେ ଓ ପଛରେ ଆଇନ । ଆଇନରେ ସଂସାର ବଂଧା—ରାଜ୍ୟ ଚଳୁଛି ଓ ରାଜୁତି ରହିଛି । ଚଳାନ୍ତି ହାକିମ ।

 

ତରତର ହୋଇ ଇଜ୍‌ଲାସ ଭିତରକୁ ହାକିମ ଉଠିଲାବେଳେ ଆଖି ପଡ଼ିଗଲା ବାଁ ପାଖକୁ—ଲମ୍ବ ହୋଇ ମଣିଷଟିଏ ବାରଣ୍ଡା କଡ଼ରେ ପଡ଼ିଛି । ଦେହ ଢଙ୍କା । ମେଘୁଆ ସକାଳ ପରି ତାହାର ଦେହ ମଇଳା ଦରବା ଖଣ୍ଡକରେ ଢଙ୍କା ହୋଇ ଧଳାକନ୍ଥ ସାଙ୍ଗରେ ମିଶି ଯାଇଛି । ମୁଣ୍ଡ ଉପରେ ଗୋଟିଏ ଶିଶା ଲୋଟା । ଲୋଟାରେ ଦଉଡ଼ିବଂଧା । ଓହଳେଇ ଆଣିବାକୁ ପାଣି ଲୋଟାଟାର—ଏହି ସରଞ୍ଜାମ । ଗୋଡ଼ ପାଖରେ ବୁଢ଼ୀଟିଏ—ବୋଧହୁଏ ମା ହେବ । ଲୋକଟିର ମୁହଁ ଦିଶୁନାହିଁ । ତ୍ରସ୍ତ ଆଖିରେ ସମସ୍ତଙ୍କୁ ଚାହୁଁଛି । ସମସ୍ତେ ଯେପରି ତାକୁ ଆଘାତ କରିବାକୁ ତିଆର ।

 

ସେ ଗୋଟିଏ ଆସାମୀ । ଆସାମୀ ହେବାଆଗରୁ ଥିଲା ମୂଲିଆ । ଦିନକୁ ଛ, ସାତ ସିଉକା ମୂଲ ପାଉଥିଲା । ମୂଲ ବଢ଼ାଇବାକୁ ଆନ୍ଦୋଳନ ହେଲାବେଳେ ସେ ସେଥିରେ ଗୋଟିଏ ପାଳିଆ ସାଜିଥିଲା । ଦଳ ଦଳ ହୋଇ ବାକ୍ୟବୀର ବାକ୍ୟ-ବାଣ ମାରି ମାରି ଶୋଭାଯାତ୍ରା କଲାବେଳେ କୁଆଡ଼େ ଶାସନ ଟଳିଥିଲା । ପୁଲିସ ଆସିଥିଲା, ହାକିମ ଆସିଥିଲେ; ବନ୍ଧୁକ ଫୁଟି ଥିଲା । ମଣିଷର ରକ୍ତ ଯେତିକି ଯିବାର ଯାଇଛି । ତାପରେ ସେ ହେଲା ଆସାମୀ । ହାକିମଙ୍କ ଦୟାମୟ ବିଚାରର ଗୋଟିଏ ଖେଳନା ।

 

ଯେଉଁ ଜନତା ଉପରେ ଗୁଳିମାଡ଼ ବସିଥିଲା, ସେହି ପଶୁ ମେଳାର ସେ ଗୋଟିଏ ପ୍ରାଣୀ-। ତାହାରି ମିହନ୍ତ ଉପରେ ଧନବାଦୀ ସମାଜର କୋଠା, ମଟର, ବିଳାସବ୍ୟସନ କାହିଁକି ହେବ, ବୁଝିବାକୁ ଚେଷ୍ଟା କଲାବେଳେ କଥା ନୁହେଁ, ବିଧା ଗୋଇଠା ନୁହେଁ, ବଂଧୁକର ଗୁଳି ଉତ୍ତର ଦେଇଥିଲା । ସେ ଉତ୍ତର ଶୁଣି କଲିଜା କଂପିଛି । କଂପେ କି ନାହିଁ । ଜାଣିବାକୁ ହେଲେ ସେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ, ଯେଉଁଦିନ ହାକିମମାନଙ୍କ କୋଠାମଟର ଉପରକୁ ଗୁଳି କମାଣ ଚାଲପାରିବ । ସେହି ସୁଦିନ ପର୍ଯ୍ୟନ୍ତ ହାକିମମାନେ ବୁଝି ପାରିବେ ନାହିଁ, ଧନବାଦୀ ସମାଜର ଆସାମୀ କଣ ଭାବେ ?

ଲୋକଟି ଭାଙ୍ଗିପଡ଼ିଛି ସେହି ଦିନୁ । କିନ୍ତୁ ଶାସନକଳ କ୍ଷମା ଦେଇ ନାହିଁ । ବିପ୍ଳବର ଉଡ଼ାଜାହାଜରେ ଉଡ଼ିବାକୁ ଚେଷ୍ଟା କଲାବେଳେ ପଡ଼ିଯାଇ ଛାତି ଜଖମ ହୋଇଯାଇଛି । ସେହିଦିନୁ ଭୟରେ, ଆତୁରତାରେ ନିଜକଥା ଓ ମା କଥା ଭାବି, ଲୋକଟି ରୋଗୀ ହୋଇଯାଇଛି । ମୂଲ ଯିବାରୁ ଖାଇବା ଅଭାବ ଘଟିଛି । ମକଦ୍ଦମା ଚାଲିଥିବାରୁ ଶେଷ ପୁଞ୍ଜି ନିଗଡ଼ା ହେଉଛି । କଚେରୀର ଅମଲା, ଓକିଲ, ଚପରାଶି ଓ ଫିସ୍‌ ତାକୁ ଟାଣୁଛନ୍ତି ଜେଲଖାନାଆଡ଼କୁ । ଜାମିନ୍‌ରେ ଥିଲା ଯେ, ହାକିମ ବୁଝନ୍ତି ଲୋକ ଛଟା ଗାଳୁଛି ଓ କହୁଛି ଜର । ପୁଣି ନାଲି ପଗଡ଼ି ଧରି ଆଣିବାକୁ ଧାଏଁ । ପୁଲିସକୁ ଦେଖିଲେ ସେ ମନେକରେ ବନ୍ଧୁକ ନପୁଣି ଚାଲିବ ।

ହାକିମ ଆସିଲେ ବୋଲି ଭାରି ଡାକହାକ । ଚପରାସୀ ନିଜ ହୋଦା ଝାଡ଼ିଦେଲା । ହାକିମଙ୍କୁ ପାଛୋଟି ନେବାକୁ ତଳକୁ ଧାଇଁ ଆସିଲା । ପିଣ୍ଡାରେ ବସିଥିବା ଲୋକେ ଉଠିଗଲେ । ଗଡ଼ଜାତର ରାଜା ଏମିତି କରୁଥିଲା ବୋଲି ଆନ୍ଦୋଳନ । ‘ମଣିଷକୁ ମଣିଷ ଡରିବା ଉଚିତ ନୁହେଁ’ । ମିଛ କଥା—ହାକିମଙ୍କ ଡରିବାକୁ ହେବ । ତାଙ୍କର ପଛରେ, କରରେ, ଆଗରେ ଆଇନ ଥୁଆ ହେଉଛି ।

 

ଲୋକଟିର ଗୋଡ଼ ହାକିମଙ୍କ ଆସିବା ରାସ୍ତାକୁ । ଅପମାନ ହେଲାନାହିଁ କଣ ? ହାକିମଙ୍କ ଯୋତା ତେରଛେଇ ହୋଇ ଧାଇଁ ଆସିଲା କ୍ଳାନ୍ତ ରୋଗୀର ଦେହ ଉପରକୁ । ଅଳିଆକୁ ଯେମିତି ଗୋଡ଼ରେ ଫୋପାଡ଼ି ଦିଆହୁଏ ! ଆସାମୀମାନେ ଯେମିତି ସଂସାରର ଅଳିଆ ! ସେ ଅଳିଆକୁ ଅଳିଆଗଦା ଜେଲ୍‌ଖାନା ଭିତରକୁ ଠେଲିବା ପାଇଁ ଆଇନର ଏଇ ଲୋକ-ଦେଖା ବିଧିବିଧାନ ।

 

ଜର କଣ ଆସମୀଙ୍କୁ ହୁଏ ? ଜର ସିନା ହାକିମଙ୍କୁ ହେବ । ଛୁଟି ନେବେ ଘରେ ଶୋଇବାପାଇଁ । ଚପରାଶି ଛୁଟିନେବ ହାକିମଙ୍କ ସେବା କରିବାପାଇଁ । ହାକିମଙ୍କ ଘରେ ସିନା ଚହଳ ପଡ଼ିବ । ବଡ଼ ହାକିମ ବ୍ୟସ୍ତ ହୋଇ ବୁଝିବେ । ତଳିଆ ହାକିମ ଉତ୍କଣ୍ଠାରେ ଧାଇଁବେ । ଆସାମୀର ଏ ସବୁ କି ଫିସାଦ ?

 

ବୁଢ଼ୀର କରୁଣ ଆଖି ନୀରବ ନିବେଦନ କରି ଚପରାଶିକୁ ଚାହିଁଲା । ହାକିମଙ୍କ ଇଙ୍ଗିତରେ ହିଁ ରୋଗିଣା ପୁଅଟାକୁ କେଜାଣି କାଳେ ଗୋଟାଏ ମାରିଦବ ! ବୁଢ଼ୀର ମୁହଁ ଖୋଲି କହିବାର ସାହସ ନାହିଁ । ହାକିମ ଆଜି ତାଙ୍କ ବିଚାରର ରାୟ କହିବାର ଶୁଣାଇବେ । ବୁଢ଼ୀ ଆସିଛି ବୁଝିବାପାଇଁ ଯେ, ତାର ମୂର୍ଖ ନିଶାପରେ ଯେଉଁ ଲୋକ ନିର୍ଦ୍ଦୋଷ, ସେ ହାକିମଙ୍କ ପାଠୁଆ ବିଚାରରେ କଣ ହେଉଛି ?

 

ଚପରାସୀର ତୋଡ଼ରେ ଲୋକଟା ଉଠି ବସିଲା । ମା’କୁ ଆଉଜି ଲାଲ ଲାଲ ଆଖି କରି ଚାହିଁଲା । ଜରର ଗରମ ଆଖି ମନ୍ଦାରଫୁଲିଆ ହୋଇଯାଇଛି । ଟାଣୁଆ କହରିଆ ବାଳପୁଞ୍ଜିକ ଠିଆ ଠିଆ । ଓଠ ଶୁଖିଯାଇଛି । ନାକପୁଡ଼ ଫୁଲିଛି ।

 

‘କଚୋରୀ ପିଣ୍ଡାଟା ଡାକ୍ତରଖାନା ନୁହେଁ’ । ଲୋକଟି ପୁଣି କରୁଣ ଆଖିରେ ଚାହିଁଲା । ମୂଲିଆଠାରୁ ହୀନ ଚପରାସୀ ଧମକେଇ ପାରୁଛି । ବନ୍ଧୁକର ଗୁଳି ଡରେଇ ଥିଲା । ପୁଲସିର ଜୁଲମ ତତେଇଥିଲା । ଚପରାସୀ ବି ଥରେଇ ପାରୁଛି ।

 

ଚିତ୍କାର ନାହିଁ । ମେରୁଦଣ୍ଡ ନ ଥିବା ପ୍ରାଣୀପରି ମୁହଁରୁ କଥା ବାହାର ନାହିଁ । ଚପରାସୀ ଦରମା ନ ବଢ଼ିଲେ କୁଆଡ଼େ ଝଡ଼ ବହେ । ହାକିମଙ୍କର ଉନ୍ନତି ନ ହେଲେ ଶାସନକଳ ଭାଙ୍ଗିଯିବାର ଗୁଜବ ଉଠେ । ଘରେ ରହିବା ଖାଇବାର ସୁବିଧା ଦିନକୁ ଦିନ ବଢ଼ୁଛି । ପତଳା ହାକିମ ମୋଟା ହେଉଛନ୍ତି; ବ୍ୟାଙ୍କରେ ଜମା ବଢ଼ୁଛି; ହାକିମଙ୍କର କ୍ଷମତା ବଢ଼ୁଛି; ଏଇ ଅନ୍ୟାୟ, ଅତ୍ୟାଚାରର ବିଭିନ୍ନ ଅସ୍ତ୍ର ଚଳାଇ ଚଳାଇ ।

 

ହାକିମ ପଢ଼ୁଛନ୍ତି ନିଜ ଲେଖିଥିବା ରାୟକୁ, ନିଜ ହାତରେ ମାରିଥିବା ପଶୁକୁ ଶିକାରୀ ବୁଲେଇଚଲେଇ ଦେଖିଲା ପରି । ହାକିମଙ୍କର ଟ୍ରେନିଂ ହୋଇଛି । ପଢ଼ିଲାବେଳର କଅଁଳିଆ ମୁହଁ, ଦରଦୀ ହୃଦୟ ଜମାଟ ବାନ୍ଧି ମୁଣ୍ଡା ପଥର ପାଲଟିଛି ।

 

ହାକିମ ସିଗାରେଟଟିଏ ଲଗାଇ ଖୁସି ହେଉଥିଲେ । ମୁହଁରେ ହସ—ଆସାମୀକୁ ଦଣ୍ଡ ଦେଇ ପାରୁଛନ୍ତି । ବଡ଼ ହାକିମ ଖୁସି ପାଇବେ । ଚାକିରିରେ ଉନ୍ନତି ହେବ । ତିଅଣ ସାଙ୍ଗରେ ଭଜା ଖାଇ ହେବ । ପିଲାମାନେ ଦୁଧ ପିଇ ପାରିବେ । ମଣିଷରୁ ଆସାମୀ ତିଆରି କରିପାରୁଛି । ଆସାମୀକୁ କଏଦୀ କରିପାରୁଛି । ହାକିମଙ୍କର ଉନ୍ନତି କରାଇ ପାରୁଛି । ଆଇନ ନ ଥିଲେ ଏସବୁ କି ସମ୍ଭବ ?

 

ଆସାମୀ ଭାବୁଥିଲା, ମାଗିବା କଣ ଦୋଷ ? ହାକିମ ଉନ୍ନତି ମାଗୁଛନ୍ତି । ବେପାରୀ ବେପାର ମାଗୁଛି । ରଜା ରାଜୁତି ଚାହୁଁଛନ୍ତି । ସେ ମାଗିଥିଲା ନିଜର ପାଉଣା ।

 

ତାକୁ ଡକରା ହେଲା । ମୁହଁକୁ ସିଗାରେଟ ଲିଭି ନାହିଁ । ନୂଆ ପେସାରକୁ କହିଲେ ଦଣ୍ଡକଥା ଶୁଣେଇ ଦେବାକୁ । ରୋଗୀ ମୂକ । କିନ୍ତୁ ବୁଢ଼ୀମା କାନ୍ଦି ଉଠିଲା । ପୁଅ ଯିବ ଜେଲକୁ । ଘଇତା ସ୍ୱର୍ଗରେ । ଦେହରେ ବଳ ନାହିଁ । ସବୁ ସରିଲାଣି । ସେ ବଂଚିବ କେମିତି ?

 

ସେହି କଠୋର ହସ ହସି ହାକିମ ଚପରାସୀକୁ କହିଲେ, ପୁଲିସ ହେପାଜତରେ ଆସାମୀକୁ ଦେବାପାଇଁ ଓ ବୁଢ଼ୀକୁ ବାହାର କରି ଦେବାକୁ । ଆସାମୀ ଦୋଷ କରିଛି—ତାର ମା କାନ୍ଦିଲେ ଘରେ ଯାଇ କାନ୍ଦୁ ।

 

ଅଜାଣତରେ ପିଲା ପେସ୍କାର ଆଖିରୁ ଲୁହ ଗଡ଼ିଆସିଲା । ହାକିମ କହିଲେ, ‘‘ପିଲାଲୋକ ତୁମେ । ନୂଆକରି ଦେଖୁଛ ବୋଲି କଅଁଳ ଲାଗୁଛି । ସହି ହେଉ ନାହିଁ । ଜଜ ସାହେବ ଫାଶି ହୁକୁମ ଦିଅନ୍ତି । ଆଇନ ବଳରେ ମଣିଷକୁ ଲିଭେଇ ଦିଅନ୍ତି । ବଂଚିବାକୁ ହେଲେ ଓଠରେ ହସ ଖେଳାଇ ଏମିତି କର୍ତ୍ତବ୍ୟ କରାଯାଏ ।’’

 

ମଣିଷ ଆଇନ ଗଢ଼ିଛି—କଣ କରିବାକୁ ହେବ, କେମିତି କରିବାକୁ ହେବ, କହି ଦେଇଛି । ସେଥିରେ ଅନ୍ୟାନ୍ୟ ଜିନିଷ ସବୁ ବାଜେ କଥା ।

☆☆☆

 

ମାଳୀ

 

ରାସ୍ତା କରର ଗଛଟି ପରି ଗୋପାଳ ଠିଆ ହୋଇଛି । ଗଛପରି ମାଟିରୁ ରସ ଟାଣେ । ଦେହରେ ବଳ କରେ । ଗଛପରି ପତ୍ର କଅଁଳେ, ଆଉ ଝଡ଼ିଯାଏ । ଫୁଲ ଫଳ ହୋଇ ପୁଣି ଭୂଇଁରେ ଖସିପଡ଼େ । କେହି କେହି ଆସି ଆଶ୍ରା ନିଅନ୍ତି । ଚଢ଼େଇଗୁଡ଼ାଙ୍କର ମଜଲିସର ସିଂହାସନ ହୁଏ । ଲୋକଙ୍କ ଆଖିରେ ପଡ଼ି ନ ପଡ଼ିଲା ପରି ତାହାର ଭାଗ୍ୟ । ସେହି ରାସ୍ତାକଡ଼ର ଗଛମୂଳେ ଗୋପାଳର କୁଡ଼ିଆ । ଆଉ ତାହାର ଚାହାଳୀ ।

 

ସଂସାରର ମୂଳଦୁଆ ଯେଉଁଠୁ ପଡ଼େ ସେଇ ସ୍ଥାନଟିକୁ ମନେ ରଖିବାର, ବଞ୍ଚେଇ ରଖିବାର ପ୍ରୟାସ ମଣିଷ ହାତରେ ହୁଏ ନାହିଁ । ଲୋକେ ଏନ୍ତୁଡ଼ିଶାଳ ଭୁଲନ୍ତି, ଗାଁ ଚାହାଳିକୁ ଭୁଲନ୍ତି-। ଯେଉଁଠି ପାଣି ପବନ ପିଇ ମଣିଷ ହୋଇଥିଲେ, ସେ ସ୍ଥାନକୁ ଭୁଲନ୍ତି । ଯେ ପାରିଯାଏ ସେ ବଡ଼ ହୋଇଯାଇ ଅନ୍ୟଜାଗାରେ କୋଠାତୋଳେ ଗାଁଠୁ ଦୂରରେ । ନାକ ଟେକି ନ ଟେକିଲା ପରି, ବାଧ୍ୟରେ ମନେ ପକାଇଲା ପରି, ଅଦରକାରୀ ଜିନିଷକୁ କର୍ତ୍ତବ୍ୟ ଅନୁରୋଧରେ ହେଜିଲା ପରି, କେବେ କେମିତି କହେ ନିଜ ଗାଁ କଥା ।

 

ଗାଁରୁ ଏମିତି କେତେ ଲୋକ ଚାଲି ଗଲେଣି । ଗୋପାଳର ଚାହାଳୀ ଭିତର ଦେଇ । ଗୋପାଳକୁ ଗୁରୁ ବୋଲି ଡାକି କେତେ ପୁଅ ଝିଅ ଗାଁ ଦାଣ୍ଡରୁ ବାହାରି ଗଲେଣି । କାହାରି ମନେ ପଡ଼ୁନାହିଁ ସେହି ରାସ୍ତାକଡ଼ରେ ଚାହାଳୀ କଥା । ସତେ ଯେମିତି ପିଲାଙ୍କ ଭୂଗୋଳ ପରି ନଈଗୁଡ଼ିକ-। ଛୋଟ ପାଣିଧାରରୁ ବଢ଼ି ବଢ଼ି ସମୁଦ୍ରରେ ବଡ଼ ହୋଇ ମିଶେ । ଦେଖି ଗୋପାଳ ଜାଣିଲାଣି ଯେ ତାହାରି ଗାଁର ପିଲାଗୁଡ଼ିକ ତାହାରି ହାତରୁ ଖସି ମଣିଷ ହେଉଛନ୍ତି ସଂସାରରେ—ମୋଟମାଟ ଯେମିତି ହେଉଛନ୍ତି ଧନୀ ମାନୀ ମଧ୍ୟ ସେମିତି ହେଉଛନ୍ତି । ଗର୍ବରେ ତାର ଗଛ ଫୁଲି ଉଠେ ମୋ’ରି ପିଲାତ ।

 

ଦିନେ ଗାଁ’ଟିର ଡାକହାକ ଥିଲା । ଲୋକ ଗହଳି ଥିଲା । ପୁରୁଣା ଗଛଗୁଡ଼ାକ ମଲେଣି । ଗାଁ’ର କଅଁଳିଆ ପୁଅ ଗୁଡ଼ାକ ସହରରେ ମଣିଷ ହେଉଛନ୍ତି । ଗୋପାଳର ଚାହାଳୀଟି ପାଖ ଗଛଟିର ସଢ଼ା ପତ୍ରରେ, ଆଉ ତାହାର ଭିତରର ଦୈନ୍ୟରେ କୁଢ଼େଇ ହେଇପଡ଼ିଲା ପରି ହେଇଛି । ଆନ୍ଦୋଳନ ଲାଗିଛି ଯେ ତାରି ପରି ମାଷ୍ଟ୍ରଙ୍କର ଦରମା ବଢ଼ାଇବା ପାଇଁ ।

 

ସତ କଥା ତ । ଘର ଚଳୁନାହିଁ । ପ୍ରତିବର୍ଷ ‘ନୂଆବର୍ଷର ଟିକସ’ କହି ଗୋଟିଏ ଦୁଇଟି ଟିକସ କାଢ଼ୁଛି । ଚାରିଆଡ଼େ ଇସ୍କୁଲ ବିଛେଇ ହୋଇପଡ଼ୁଛି । ଭଲ ପଢ଼ାଇବା ବିଜ୍ଞାପନ ଦେଇ ଗୋପାଳ ଉପରେ ଭାର ପଡ଼ିଛି ପଢ଼ିବାକୁ ରାଜି ନଥିବା ପିଲାଙ୍କୁ ଆଣି ପଢ଼ାଇବା । ଉଃ—କି କଠୋର କର୍ତ୍ତବ୍ୟ ।

 

ଶଗଡ଼ ଚାଲିଲା ପରି, ନଈ ବହିଲା ପରି, ଗଛ ବଢ଼ିଲା ପରି କର୍ତ୍ତବ୍ୟ ତାହାର ଚକକୁ ଗଡ଼େଇ ଚାଲୁଛି । ତାହାରି ଛାତ୍ରଗୁଡ଼ିକ ଛୋଟ ବଡ଼ ଇସ୍କୁଲରେ, ସରକାରୀ, ବେସରକାରୀ କଲେଜରେ କମ୍ପାନୀ ଓ ସରକାର ଦପ୍ତରରେ କେଜାଣି କେତେ ବଡ଼ ହୋଇ ଗଲେଣି । ସେ ଶୁଣେ ସେମାନେ ଶହ ଶହ ପିଲାଙ୍କୁ ମଣ କରୁଛନ୍ତି । ଶହ ଶହ ମଣିଷଙ୍କୁ ଚଳାଉଛନ୍ତି । ମା ଯେମିତି ପିଲାଟି ମାନଙ୍କର ବଡ଼ ପଣ ଦେଖିଲେ ଛିଣ୍ଡା ମଇଳା ଦରବା ପିନ୍ଧି ବି, ଭୋକିଲା ପେଟରେ ବି, ଖୁସି ହୋଇଯାଏ, ଗୋପାଳ ସେମିତି ସେହିସବୁ ସୁଖବର ପାଇଲେ । ଆପଣାଛାଏଁ କୁରୁ କୁରୁ ହୋଇ ହସେ ‘ଏବେ ଭାବୁଥିବେ ଗୋପାଳ ମାଷ୍ଟ୍ର କଥା—ଗୋପାଳର ଟ୍ରେନିଂ କଣ ବ୍ୟର୍ଥ ହେବ ? ଠିକ୍‌ ଅର୍ଜ୍ଜୁନଙ୍କର ଶର ପରି ଅବ୍ୟର୍ଥ ।’

 

ନିଜର ନଅଙ୍କିଆ ପିଲାଗୁଡ଼ାଙ୍କୁ ଦେଖି ତାଙ୍କ ମା ଯେତେବେଳେ ଗୋପାଳକୁ ଝିଙ୍ଗାସ କହେ ଯେ ପିଲାଗୁଡ଼ାକ ଅନାଥ ହୋଇଯିବେ, ଗୋପାଳ ଛାତି ଫୁଲାଇ କହେ କିଛି ଅସୁବିଧା ରହିବ ନାହିଁ ଏଥର । ମୋ ଛାତ୍ରଗୁଡ଼ାକ କେଡ଼େ କେଡ଼େ ହୋଇଗଲେଣି ସହରରେ । ଓଡ଼ିଶା ସାରା ଦେଖିଯିବେ । ମୋ ପିଲାଏ ଖାଲି ନିଜ ପରିଚୟ ଦେଇ ପାରିଲେ କିଛି ଅଭାବ ରହିବ ନାହିଁ ତାଙ୍କର......ତମେ ବି ଦେଖ ତମର କିଛି ରହିବ ନାହିଁ ଅସୁବିଧା ।

 

ଗୋପାଳ ଆରାମରେ ବିଶ୍ରାମ କରେ । ମନ ନିଶ୍ଚିନ୍ତ । ସେ ତାର କର୍ତ୍ତବ୍ୟ କରିଛି । ସକାଳୁ କଳ ପରି ପିଲାଙ୍କୁ ପଢ଼େଇଛି ଗାଧୁଆ ବେଳଯାଏ । ଛାଇ ଲେଉଟାବେଳୁ ମଣ କରିଛି ସଞ୍ଜଯାଏ । ଏଠି ସେଠି ରାତିରେ ବି ତାଙ୍କର ପିଛା ଲାଗିଛି । ବାପ ମା ଯେତେ ସମୟ ଲାଗି ରହୁଥିଲେ ତହିଁରୁ ଅଧିକ ଗୋପାଳର ହାତ ଲାଗିଛି । କାଦୁଅକୁ ଗୋପାଳ ଚିପ ଚାପି ମୂର୍ତ୍ତି କରିଛି । ପ୍ରଥମ ଚିହ୍ନି ହେଉଛି ଜୀବନର ଶେଷ ଚିହ୍ନ । ସବୁ ଭୁଲିଗଲା ପରେ ଗୋପାଳ ଅବଶ୍ୟ ତାଙ୍କର ମନରେ ପଡ଼ିବ ।

 

କିନ୍ତୁ ମାଷ୍ଟ୍ରଙ୍କ ସ୍ତ୍ରୀ ଭାବେ ଅବଧାନଙ୍କର ମତିଭ୍ରମ ହେଲାଣି । କଅଁଳିଆ ପିଲାଗୁଡ଼ାକ ଅବଧାନଙ୍କ ହାତରେ ମଣ ହୋଇଥିଲେ ସତ । ତା’ଉପରେ ତା’ଉପରେ କେତେ ପରସ୍ତ ଦାଗ ବସିଯିବଣି । ଅବଧାନଙ୍କର ଦାଗ ସେଥିରେ କେମିତି ଉକୁଟି ଉଠିବ ? ଅବଧାନେ ସଂସାର କଥା ତ କହୁନାହାନ୍ତି । ବୋଧହୁଏ ସପନ ଦେଖୁଛନ୍ତି ।

 

ଘରଣୀଙ୍କ ହୁକୁମରେ ନିଜର ଚାଟଙ୍କୁ ପରଖିବା ପାଇଁ ଅବଧାନେ ସହରକୁ ଆସିଲେ ଚାହାଳୀ ବନ୍ଦକରି, କୁଟୁମ୍ବ ସମ୍ଭାର ସାଥିରେ ନେଇ । ମନରେ ଆଶା ସବୁ ବ୍ୟବସ୍ଥା ସହଜ ସରଳ ହୋଇଯିବ । ଅବଧାନକୁ ଦେଖି ଚାଟଗୁଡ଼ିକ କେତେ ମାନ୍ୟକରି ଓଳଗି ହେବେ । କେତେ ଚର୍ଚ୍ଚା କରିବେ—ସବୁ ପିଲାଙ୍କୁ ରୁଣ୍ଡେଇ ଅବଧାନେ ଗୋଟିଏ ଫଟୋ ଉଠାଇବେ । ସେ ନିଜେ ବସିବେ ଚଉକିରେ, ପିଲାମାନେ ବସିବେ ତଳେ । ସେତକ ଦେଖିଲେ ଘରଣୀର ବିଶ୍ୱାସ ଆସିବ ଗୋପାଳ ଅବଧାନ ସତ କହେ ।

 

ଯାହା ଯେମିତି ଠିକଣା ମିଳିଲା ସଜିଲ କରି ଅବଧାନେ ସହରରେ ହାଜର ହେଲେ । ତାଙ୍କର ଗୌରବର ଦିନ । ସହର ଦେଖିବେ । ସ୍ତ୍ରୀର ସନ୍ଦେହ ଦୂର କରିବେ । ଆଉ ନିଜର ଚାହାଳୀ ତିଆରି ଚାଟଙ୍କୁ ଦେଖିବେ । ସେମାନେ କେମିତି ଘୋଡ଼ା ହାତୀରେ ବସି ଲୋକ ଚଳାଉଛନ୍ତି । ଆଖି ପୁରିଯିବ ‘ବୋଧହୁଏ ମୋରି ପିଲାମାନେ କଟକରେ ରହି ଗୋପାଳ ଅବଧାନ ଦରମା କଥା ଭାବି, ଅବଧାନ ଦରମା ପାଇଁ ସଭା କରି, ଖବର କାଗଜରେ ଲେଖେଇ, ଏତେ ପାଟିତୁଣ୍ଡ କରାଉଛନ୍ତି ।’

 

ସେହି ଗୋପାଳ ଅବଧାନ ଆସିଛିଚାହାଳୀ ଛାଡ଼ି ସହରକୁ ।

 

ଦିନଟିଏ ଅବଧାନେ କଟକ ଯାକ ବୁଲିଲେ । କଚେରୀ ବାଚେରୀ ଯେଉଁଠି ସୁବିଧା ହେଲା ନିଜର ଚାଟଙ୍କୁ ଆଖିପୁରାଇ ଦେଖିଲେ । ଚପରାଶୀମାନଙ୍କୁ ନିଜ ମାହାତ୍ମ୍ୟ ଶୁଣେଇଲେ । ଫେରିଆସିଲେ ଘରକୁ । ମନେ କଲେ ହାକିମମାନେ କଚେରୀ ବାହୁଡ଼ା ଖୋଜିବେ ଅବଧାନଙ୍କୁ ସଂଖଳିବା ପାଇଁ । କେଡ଼େ ଅଭ୍ୟର୍ଥନା ଗୋପାଳ ଅବଧାନ ନ ପାଇବେ ?

 

ଆଲୁଅ ଓ ଅନ୍ଧାର ଆଗପଛ ହୋଇ ଚାଲିଗଲେ । ଭଡ଼ାଘର ଦୁଆରେ ଚଟେଇଟିଏ ପାରି ଅବଧାନ ଚାହିଁଛନ୍ତି ରାସ୍ତାକୁ । ଛାତି ଉଠପଡ଼ ହେଉଛି । ପିଲାଏ ଆସିଲେ କେମିତି ଚର୍ଚ୍ଚା କରିବେ ? .......‘ହଁ—ସେଥିରେ କଣ ଅଛି ? ଚାହାଳୀରେ ଯେମିତି ମୁଁ ବସିଥିଲି ମସିଣାରେ ଆଉ ପିଲାଏ ବସୁଥିଲେ ଭୂଇଁରେ; ସେମିତି ତ ଏଠି ଆସି ବସିବେ । ପିଲାଏ ସିନା ବଡ଼ହେଲେ, ଅବଧାନତ ଛୋଟ ହୋଇନାହି ।’

 

 

କେହି ଦେଖାନାହିଁ । ଭାରିଯା ପଚାରିଲାଣି ପିଲାଙ୍କ କଥା । ଅବଧାନେ ଭାବୁଥିଲେ କଣ ଖବର ହେଲା ନାହିଁକି ? ଚପରାଶି କଣ ପାଉଣା ପାଇନାହିଁ । ବୋଲି ଲୁଚାଇଲା ? ଗାଁର କୁକୁର, ବିଲେଇ, କାଉ, ବଣି ଚିହ୍ନି ମନେ ରଖି ପାରିଛନ୍ତି ଲଏ ପାଠୁଆ ପିଲାଏ କଣ ଭୁଲିଯିବେ ? ନା-ନା-ମିଛ । ଆସିବେ ଯେ । ନଈ ଯେଡ଼େ ବଡ଼ ହେଉ ଲାଗିରହିଛି ତ ଗାଁ ଚାହାଳୀ ସାଙ୍ଗରେ । ମାଟି ପାଣି ଆକାଶ ପବନ ଯଦି ଅଲଗା ହୋଇନାହିଁ, ଗୋପାଳ ଅବଧାନ କେଉଁଠି ଛିଣ୍ଡିଗଲା ?

 

ଅନ୍ଧାର ଆଲୁଅରେ ଆଉ ଦି ପରସ୍ତ ପାଇ ଅବଧାନଙ୍କର ସନ୍ଦେହ ଆସିଲାଣି । ସକାଳୁ ଅବଧାନେ ତାଙ୍କ ଗାଁ—ଧଉଳା କୁର୍ତ୍ତା ଖଣ୍ଡିକରେ ପାନବଟାଟି ସଜିଲ କରି ରଖି ପ୍ରଥମେ ଗୋଟିଏ ଚାଟ—ଗୋବିନ୍ଦ ବାବୁ ହାକିମଙ୍କ ଘରକୁ ଗଲେ । ଚିହ୍ନା ଚପରାଶି ସେଠି ବି ଦୁଆରେ ବସିଛି । ଅବଧାନେ ଦେଖି ହସିଲେ । ଯେମିତି କହିବାକୁ ଚାହୁଁଛନ୍ତି ‘ହେଇ ମୁଁ ଆସିଲି—ତୋ ନାଁରେ ବିପଦ କହିଦେଲେ କଣ ହବ ଜାଣୁଛୁ ? ତଥାପି ଭିତରକୁ ଯିବାକୁ ବହପ ଖଟିଲା ନାହିଁ । କାରଣ ଟିକିଏ ଆଦର ସଂଖୁଳା ପାଇବା କଥା ଅଛି ।’

 

ଅବଧାନଙ୍କର ଦରବୁଢ଼ା ଦେହ ଭିତରେ ଦରବୁଢ଼ା ଶିରରେ ରକ୍ତ ଯେମିତି କଅଁଳ ବାଛୁରୀ ପରି ଛନ ଛନ ହେଉଥାଏ । ହାକିମ ପଦାକୁ ଆସି ଭୂଇଁରେ ଅବଧାନ ପାଦ ପାଖରେ ମୁଣ୍ଡ ଲଗାଇ ପ୍ରଣାମ କରିବେ । ଅବଧାନ ସେତେବେଳେ ହସି ଚାହିଁବେ ଚପରାସି ମୁହଁକୁ—‘ଚିହ୍ନି ଏଥର ।’

 

କାହିଁ ? —ବସିବା ଘରେ ପାଟି ଶୁଭୁଛି । ଚା’ ପିଆଲା ଠଣ ଠଣ ହେଉଛି । ଝରକାର ପରଦା ଫାଙ୍କରେ ଧୂଆଁ ବାହାରୁଛି—ସିଗାରେଟର ଖସ୍‌ବି ନେଇ । ଅବଧାନ ସେଠି ବେଞ୍ଚରେ ଚପରାସି ପାଖରେ ମୌନ ହୋଇ ବସି ଭାବୁଥାନ୍ତି ସେ ବସିଛନ୍ତି ଜାଣି ବି ତାଙ୍କର ଗୋବିନ୍ଦା କ’ଣ ସିଗାରେଟ୍‌ ପିଉଛି ? ......ନା, ଜାଣି ନଥିବ ପରା ।

 

‘ଚପରାସି ବାବୁ କି ହୋ, ଖବର ଦେଲ ?’

 

‘ଏଇ, ତମେ’ ‘ତମେ’ କ’ଣ କରୁଛୁ ?

 

‘ବାବୁଙ୍କ କହ, ତାଙ୍କ ଗୋପାଳ ଅବଧାନ ଆସିଛନ୍ତି’

 

‘ଆରେ ହଁ, କହିଲେଣି ସେତେବେଳୁ । ସାହାବ ଡକେଇଲେ ତ ଯିବ ।’

 

ଅବଧାନେ କ୍ରୋଧ ଓ ଅଭିମାନରେ ଭାବୁଥିଲେ ଆସିବା ଖବର ପାଇସାରି ଗୋବିନ୍ଦା ତାହାହେଲେ ଏମିତି ସିଗେରେଟ, ଚା ଚଲେଇଛି । ଏଇ ପିଲା ଆସିଥିଲା ମୋର ହାତ-ତାଲିମ ହୋଇ । ୟାରି ପିଠିରେ ଏଇ ଅବଧାନ ହାତ ଲାଗିଥିଲା । ....ବୋଧହୁଏ ଗୋବିନ୍ଦା ବିଗିଡ଼ିଗଲା ।

ଉଠିବ ଉଠିବ ବୋଲି ଭାବିଲା ବେଳେ ଭିତରୁ ଘଣ୍ଟି ବାଜିଲା । ଚପରାସି ଭିତରକୁ ଯାଇ ଆସି ଡାକିଲା ଅବଧାନକୁ ଭିତରକୁ । ହଠାତ୍‌ ଅବଧାନଙ୍କର ବିରକ୍ତିରେ ବିଘ୍ନ ଆସିଲା । ମନଭିତର ପୁଣି ଗର୍ବ ଆନନ୍ଦରେ ଉଲ୍ଲସି ଉଠିଲା । ତାଙ୍କର ଗୋଟିଏ ଛାତ୍ର ଗୋବିନ୍ଦ ସାଙ୍ଗରେ ଦେଖା ହେବ—କେଜାଣି କେତେ ବର୍ଷ ହେଲାଣି ସେ ଗାଁକୁ ଆସି ନାହିଁ ।

ଚପରାସି ଭିତରକୁ କରେଇ ଦେଇ ବାହାରକୁ ପେରିନାହିଁ ଓ ଅବଧାନେ ଘର ଭିତରେ ପୁରା ପଶି ନାହାନ୍ତି, ଟେବୁଲ ପାଖ ଚଉକିରୁ ସମ୍ଭାଷଣ ହେଲା ‘କି, କେବେ ଆସିଲେ ମାଷ୍ଟ୍ରେ । ... ଆଉ ସବୁ ଖବର ଭଲ । ସେଠି ଆଉ ଦି’ ଜଣ ଭଦ୍ରଲୋକ ବି ବସି ସିଗେରେଟ୍‌ ଧରି ଚାହିଁଛନ୍ତି ନୂଆ ପଦାର୍ଥ ‘ଗୋପାଳ ଅବଧାନକୁ ।’

ଅବଧାନଙ୍କର ସପନ କଟିଗଲାଣି । ଏତେବର୍ଷ ପରେ ଦେଖା ହେଲା ଯେ ଗୋଟିଏ ଓଳଗି ନାହିଁ । ଚଉକି ଛାଡ଼ି ଉଠା ହେଲା ନାହିଁ ଗୋବିନ୍ଦର । ଆଉ ସମ୍ଭାଷଣ କଣ ନା—‘କେବେ ଆସିଲେ ମାଷ୍ଟ୍ରେ ।’

ଅସୀମ ଦମ୍ଭରେ ଅବଧାନେ ଆରମ୍ଭ କଲେ ‘ଦି ଦିନ ହେଲା ଆଇଲେଣି ଗୋବିନ୍ଦ । ତତେ ଓ ତୋ’ ପରି ଦି ଚାରିଜଣ ଛାତ୍ରଙ୍କୁ ସଂଖୁଳୀବାକୁ । ତୁ ବଡ଼ଲୋକ ହେଇଛୁ ଶୁଣିଥିଲି ବୋଲି ଦେଖିବାକୁ ଆସିଲି । ଗାଁରେ ଭାରି ଅସୁବିଧା....କଥାକୁହା ନ ସରୁଣୁ ସେମିତି ତୀରପରି ଉତ୍ତର ଆସିଲା ‘ବଡ଼ ଅସୁବିଧାରେ ଅଛି । ଟଙ୍କା ନଅଣ୍ଟ ହେଉଛି । କରଜ କେଇଦିନ ମିଳିବ କେଜାଣି ?’ କହି ପୋଡ଼ି ଯାଉଥିବା ସିଗାରେଟ୍‍ ମୁହଁରେ ଦେଲେ । ସେତକ ହାକିମଙ୍କର ପ୍ରତିଶୋଧ ମାଷ୍ଟ୍ର ଉପରେ ନାଁ ଧରି ବେହେଡ଼ା କରି ଡାକିଛି ବୋଲି ।

 

ଗୋପାଳ ଆଖି ଆଗରେ ନିଜର ଛାତ୍ରକୁ ସିଗାରେଟ ଖାଇବା ଦେଖିଲା । ସେତେବେଳଯାଏ ଅବଧାନ ଠିଆ ହୋଇ ରହିଛନ୍ତି ବସିବାକୁ କେହି କହି ନାହିଁ । ଅବଧାନେ ହୁଏତ ଭରସି ବସୁ ନ ଥାନ୍ତି ଓ ବିରକ୍ତିରେ ହୁଏତ ବସିବାକୁ ଚାହୁଁ ନ ଥାନ୍ତି । ସ୍ତ୍ରୀ କଥା ମନେ ପଡ଼ି ଯାଉଥାଏ । ସେ ଜାଣିଲେ କଣ ନ କହିବ ?

 

ଘରଟା ତୁନ୍‌ତାନ । ଛାତ୍ରଙ୍କର ଆଉ ପଚାରିବାକୁ କିଛି ନାହିଁ । ଅବଧାନଙ୍କର ବି ଭାଷା ନାହିଁ ଭିତରର କଥା ବୁଝେଇ ଦବାକୁ । ଘର ଭିତରେ ସିଗାରେଟ ଧୂଆଁର କୁହୁଡ଼ି ଦୂର ଗାଁର ଅତୀତ କାଳର ଗୋପାଳ ଅବଧାନକୁ ଢାଙ୍କିବା ପାଇଁ ଘେରୁଥାଏ ।

 

ହଉ, ମୁଁ ଆସିଥିଲି ଖାଲି ଦେଖିବା ପାଇଁ ମୋ ପିଲାଗୁଡ଼ିଙ୍କୁ । ଯାଉଛି । ଅବଧାନଙ୍କର ଆଖି ଓ ଗଳା ଅସୀମ ଦରଦରେ ନଇଁ ପଡ଼ୁଥାଏ ।

 

କାମ ଶୀଘ୍ର ବଢ଼େଇବା ପାଇଁ ଚାଟ ଠିଆ ହୋଇଗଲେ ‘ହଉ, ହଉ । ଆସୁଥିଲେ ଏଣେ ସେମିତି ପାଦ ପଡ଼ୁଥାଏ ଯେବିତି । କଥାଗୁଡ଼ାକରେ ‘ଆପଣ’ ନାହିଁ ‘ମାନ୍ୟ’ ନାହିଁ । ଖାଲି ଭାବ ବାଚ୍ୟ-ଭିତରର ଭାବକୁ ବୁଝାଇ ଦେବାପାଇଁ ଯେତିକି ଶବ୍ଦ ଦରକାର, ଖାଲି ସେତିକି ।

 

ଭିତରୁ ଅବଧାନେ କେମିତି ରାସ୍ତାକୁ ଆସି ପାଞ୍ଚଦଶ ପାହୁଣ୍ଡ ଚାଲି ଆସିଛନ୍ତି ତାଙ୍କୁ ଜଣା ନାହିଁ । ପଚାଶ ବର୍ଷର ସ୍ୱପ୍ନ ଭାଙ୍ଗି ପଡ଼ିଥିଲା ସେହି ଛାତ୍ରଟି ପାଖରେ । ସେହି ପୁଣି ବଡ଼ ହେଉଛି—ହାକିମ ହୋଇଛି । ସହରକୁ ଚଳାଉଛି । ଦେଶ ଶାସନ କରୁଛି ।

 

ଅବଧାନଙ୍କର ମନେହେଲା ଦେଶର ଶିକ୍ଷା ଏହି ପ୍ରକାରର ହେଇଯିବାରୁ ଗୁରୁଙ୍କଠାରୁ ଚାଟେ ଆଉ ଦି’ ଚାଉ ପା ଅଧିକ ହେଇଯିବାରୁ ଏତେ ପ୍ରକାରର ବିଭ୍ରାଟ । ମଧୁସୂଦନ, ଗୋପବଂଧୁ ଆଦି ଗଲେ । ଯେ ଯାହା ଦେଇଗଲା ଦେଇଗଲା, କେହି ପଦେ ହେଲେ ସେ କଥା ତୁଣ୍ଡରେ ଧରୁ ନାହାନ୍ତି । କାହାରି ମନେ ପଡ଼ୁନାହିଁ । ଯାହାକୁ ଦୁଧ ଦିଅ, ସେଇ ହେଇଯାଇଛି ସାପ—ଚାହାଳିରେ, ସହରରେ, ଶାସନରେ, ଚାରିଆଡ଼େ ।

 

ଗାଁ ଚାହାଳିରେ କୋଡ଼ର କାଖର କରି ଯେଉଁଗୁଡ଼ିକ ମଣିଷ ଜରା ହେଉଥିଲା ସେମାନଙ୍କଠାରେ ଏତିକି ଭରସା ବି ରହୁନାହିଁ କି ଦେଖା ହେଲା ଚିହ୍ନିବେ ।

 

ଗାଁ ଚାହାଳିକୁ ଫେରିବାକୁ ହେବ । ଅବଧାନଙ୍କର ଜୀବ ଦଶାରେ ହୁଏତ ସେହି ଚାରିଶେଣିଆ ପୁରୁଣା ଘର ନୂଆ ହେଇପାରିବ ନାହିଁ । ଅବଧାନଙ୍କ ପରେ ସେଠି ଆଉ ଚାହାଳି କେହି କରିବେ ନାହିଁ । ଦିନେ ସେହି ପାଖ ଝଙ୍କାଳିଆ ଗଛଟି ଘରଟିକୁ ମାଡ଼ି ବସିବ । ...ପିଲାମାନେ କ’ଣ ହେବେ ? ...କେମିତି ବଞ୍ଚିବେ ? ଗୋଟିଏ ବି ଆଶ୍ରୟ ଦିଶୁନାହିଁ ଆଖିକୁ । ହାକିମଟିଏ ଓ ଚପରାସୀଟିଏ ଦେଖିବାର ଓ ସେମାନଙ୍କର ପରାକ୍ରମ ପରଖିବାର ସୁବିଧା ମିଳିଥିଲା-। ଆଉ କିଛି ଦେଖିବାର ଦରକାର କଣ ? ...ପଳାଇବା ଘରକୁ । ...ଛାତ୍ରମାନେ ଏମିତି ନୂଆ ଆଦବ କାଇଦା ଶିଖିଲେ ଅନ୍ୟଠାରେ ଯାଇ ଶିଖନ୍ତୁ । ...ଆମେ ଛୁଟି ନେବା ଏଥର—ମରହଟ୍ଟି ଲୋକ ଆମେ ।

Image